କ୍ୟାପିଟାଲ ହସ୍ପିଟାଲ ସର୍ଜରି, ସ୍ତ୍ରୀ ଓ ପ୍ରସୂତି ବିଭାଗ : ବୀମା କାର୍ଡ ଥାଇ ବି ରୋଗୀଙ୍କୁ ଶୋଷୁଛନ୍ତି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ କରାଯାଉଛି। ସର୍ଜରି, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ରୋଗୀଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ଥିବା ସତ୍ତ୍ୱେ ସେମାନଙ୍କଠାରୁ ଟଙ୍କା ନିଆଯାଉଛି। ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର କଲେ ଅସ୍ତ୍ରୋପଚାରର ପରବର୍ତୀ ସମୟରେ ବହୁ ସମସ୍ୟା ଉପୁଜିବ ବୋଲି କହି ହସ୍ପିଟାଲ କର୍ମଚାରୀ ରୋଗୀଙ୍କୁ ଭୁଅାଁ ବୁଲାଉଛନ୍ତି।

ସର୍ଜରି ବିଭାଗକୁ ଆସୁଥିବା ରୋଗୀଙ୍କୁ ଡାକ୍ତର ଓ କିଛି କର୍ମଚାରୀ ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର ନ କରିବା ପାଇଁ ପ୍ରବର୍ତାଉଛନ୍ତି। ଏକ ସୁଚିନ୍ତିତ ର‍୍ୟାକେଟ୍‌ ଏଥିପାଇଁ କାର୍ଯ୍ୟ କରୁଛି। କାର୍ଡ ବ୍ୟବହାର କଲେ କିଛି ସୁବିଧା ନ ମିଳିପାରେ ବୋଲି କହିବା ସହ ଅସ୍ତ୍ରୋପଚାର ପାଇଁ ଟଙ୍କା ନେଉଛନ୍ତି। ଅସ୍ତ୍ରୋପଚାରର ଗମ୍ଭୀରତା ଦେଖି ଟଙ୍କା ଧାର୍ଯ୍ୟ କରାଯାଉଛି। ବିଶେଷକରି ଗରିବ ରୋଗୀମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ବେଶ୍‌ କିଛି ଦିନ ଧରି ଏଭଳି ଫନ୍ଦି ବାହାର କରିଛନ୍ତି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ। ଅସ୍ତ୍ରୋପଚାରରେ ଆବଶ୍ୟକ ସମସ୍ତ ସରଞ୍ଜାମ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଉପଲବ୍ଧ ହେଉଛି। ଏହାକୁ ବ୍ୟବହାର କରି ପକେଟ ଗରମ କରୁଛନ୍ତି। ମାତ୍ର କୌଣସି ରୋଗୀ ଅଭିଯୋଗ କରିବାକୁ ସାହସ କରୁ ନାହାନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲର ଆଇସିୟୁ, ପୁରୁଷ ଓ ମହିଳା ଭେଷଜ ଓ୍ଵାର୍ଡ ଓ ଚକ୍ଷୁ ଓ୍ଵାର୍ଡରେ ସ୍ୱାସ୍ଥ୍ୟ ବୀମା କାର୍ଡରେ ରୋଗୀଙ୍କୁ ସେବା ଦିଆଯାଉଛି। ସ୍ୱାସ୍ଥ୍ୟ ବୀମା କାର୍ଡରେ ରୋଗୀଙ୍କ ଚିକିତ୍ସା ଖର୍ଚ ସମେତ ଔଷଧ ଓ ଅନ୍ୟାନ୍ୟ ସୁବିଧା ରହିଛି। ମାତ୍ର ଗତ ୬ ମାସ ମଧ୍ୟରେ ସର୍ଜରି ବିଭାଗରେ ଆରଏସ୍‌ବିଓ୍ଵାଇ କିମ୍ବା ବିକେକେଓ୍ଵାଇ ଜରିଆରେ କିଛି ହାତଗଣତି ଅସ୍ତ୍ରୋପଚାର ହୋଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡେଲିଭରିକୁ ବାଦ୍‌ ଦେଲେ ଅନ୍ୟ ଅସ୍ତ୍ରୋପଚାରରେ ମଧ୍ୟ ସମାନ ଅବସ୍ଥା। ଏଠାରେ ହିଷ୍ଟୋଟୋମି ଓ ପ୍ରୋଲାପ୍ସ ଭଳି ଅସ୍ତ୍ରୋପଚାର ପାଇଁ ଆନାସ୍ଥେସିଆର କୃତ୍ରିମ ଅଭାବ ଦର୍ଶାଇ ଘରୋଇ ନର୍ସିଂହୋମ୍‌କୁ ରୋଗୀଙ୍କୁ ପଠାଇ ଦିଆଯାଉଛି। ଏହାସତ୍ତ୍ୱେ ହସ୍ପିଟାଲର କିଛି ଅଧିକାରୀ ନିଜର କିଛି ଲୋକଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର କରାଉଥିବା ନଜରକୁ ଆସୁଛି। ଫଳରେ ସ୍ୱାସ୍ଥ୍ୟ ବୀମା କାର୍ଡ ଥିବା ଲୋକମାନେ କ୍ୟାପିଟାଲ ହସ୍ପିଟାଲରେ ଏହାର ସେବା ପାଉ ନାହାନ୍ତି।

ହସ୍ପିଟାଲରେ ଏବେ ୩ଜଣ ଆନେସ୍ଥେଟିକ୍‌ ଡାକ୍ତର ରହିଛନ୍ତି। ଏହାସହ ଅନ୍ୟ ୪ଜଣ ଠିକାରେ ନିଯୁକ୍ତ ହୋଇଛନ୍ତି। ତେବେ ଠିକାରେ ନିଯୁକ୍ତ ହୋଇଥିବା ଆନେସ୍ଥେଟିକ୍‌ ଡାକ୍ତରଙ୍କୁ କେବଳ ଡେଲିଭରି ପାଇଁ କଡ଼ା ନିର୍ଦେଶ ରହିଥିବା ବେଳେ ଅନ୍ୟ ୩ଜଣ ଅନ୍ୟାନ୍ୟ ବିଭାଗରେ ବ୍ୟସ୍ତ ରହୁଛନ୍ତି। ଅସ୍ଥିଶଲ୍ୟ ବିଭାଗରେ ହାତଗଣତି ଅସ୍ତ୍ରୋପଚାର ହେଉଥିବା ରୋଗୀଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡରେ ଇମ୍ପ୍ଲାଣ୍ଟ ସାମିଲ ନ ଥିବା ଡାକ୍ତର କହୁଛନ୍ତି। ଫଳରେ ରୋଗୀମାନେ ବାହାରୁ ନିଜ ଖର୍ଚରେ ଇମ୍ପ୍ଲାଣ୍ଟ କିଣିବାକୁ ବାଧ୍ୟ ହେଉଛନ୍ତି।

ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୀମା କାର୍ଡ ଜରିଆରେ କୋଟି କୋଟି ଟଙ୍କା ଖର୍ଚ ହେଉଛି। ମାତ୍ର ହିତାଧିକାରୀ ଏହାର ଉପଯୁକ୍ତ ସେବା ପାଉ ନାହାନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆରଏସ୍‌ବିଓ୍ଵାଇ ଓ ବିକେକେଓ୍ଵାଇର ଗାଇଡଲାଇନ୍‌ରେ ଇମ୍ପ୍ଲାଣ୍ଟ ସାମିଲ ରହିଛି। କିଛି ଡାକ୍ତର ଜାଣିଶୁଣି ଲୋକଙ୍କୁ ଏଭଳି ଭୁଆଁ ବଲାଉଛନ୍ତି। ତେବେ କେଉଁ ପରିସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଘଟଣା ଘଟୁଛି, ଆବଶ୍ୟକ ପଡ଼ିଲେ ତାହାର ତଦନ୍ତ କରାଯିବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲର କୌଣସି ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର