ଦୁର୍ନୀତିଖୋରଙ୍କ ପାଇଁ ଚାବୁକ : କାର୍ଯ୍ୟକାରୀ ହେଲା ଲୋକାୟୁକ୍ତ ଆଇନ

ସର୍ଚ୍ଚ କମିଟି ଗଠନ ପ୍ରକ୍ରିୟା ଆରମ୍ଭ, ଅକାମୀ ହେଲା ପୁରୁଣା ଲୋକପାଳ ବ୍ୟବସ୍ଥା

ଭୁବନେଶ୍ୱର : ପାଖାପାଖି ତିନି ବର୍ଷରୁ ଅଧିକ ସମୟ ଧରି ହାତ ବାନ୍ଧି ବସିବା ପରେ ଶେଷରେ ରାଜ୍ୟ ସରକାର ନିଜର ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ପରିପ୍ରକାଶ କରିବାକୁ ଯାଇ ଆଜି ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିଛନ୍ତି। ଏ ସଂକ୍ରାନ୍ତ ନିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେବା ପରେ ବିଧିବଦ୍ଧ ଭାବେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଲୋକାୟୁକ୍ତ ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଗଠନ ପ୍ରକ୍ରିୟା ସଂକ୍ରାନ୍ତ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି। ଏଥିସହିତ ବହୁ ଦିନର ଲୋକପାଳ ଆଇନ ଆପେ ଆପେ ଅକାମୀ ହୋଇଛି।

ଆସନ୍ତା ୧୦ ତାରିଖ ପୂର୍ବରୁ ସୁପ୍ରିମକୋର୍ଟରେ ମୁଖ୍ୟଶାସନ ସଚିବଙ୍କୁ ସତ୍ୟପାଠ ଦାଖଲ କରିବାକୁ ଥିବାରୁ ସରକାର ଆଉ କୌଣସି ବିବାଦ ଭିତରେ ନ ପଶି ସିଧା ସିଧା ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଥିଲେ। ଖୁବ୍‌ଶୀଘ୍ର ପ୍ରକ୍ରିୟା ଶେଷ ହେଲେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ସ୍ପଷ୍ଟ ଭାବେ ଶୁଣାଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।
କେନ୍ଦ୍ରରେ ଲୋକପାଳ ବିଲ୍‌ ଆଇନର ମାନ୍ୟତା ପାଇବା ପରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ଆଇନ ପାସ୍‌ କରିଥିଲା। ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଓଡ଼ିଶା ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିଲା। ସେତେବେଳେ ଘୋଷଣା କରାଯାଇଥିଲା ଯେ ରାଜ୍ୟରୁ ଦୁର୍ନୀତି ଦୂର କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। ଏଣୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ଆଇନ କାର୍ଯ୍ୟକାରୀ କରିବ।

ହେଲେ ୨୦୧୪ ଡିସେମ୍ବରରୁ ଓଡ଼ିଶା ଲୋକାୟୁକ୍ତ ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିସାରିଥିଲେ ହେଁ, ସେବେଠାରୁ କିନ୍ତୁ ଏ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ସୁପ୍ରିମକୋର୍ଟ ତନାଘନା କରିବା ପରେ ଗତ ୨୩ ତାରିଖରେ ବିଧି ବିଭାଗ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିିଥିଲେ। ଲୋକାୟୁକ୍ତ ଆଇନ ଅଧୀନସ୍ଥ ନିୟମ ପ୍ରଣୟନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାଧାରଣ ପ୍ରଶାସନ ବିଭାଗ ୨୭ ତାରିଖ ଦିନ ଏ ସଂକ୍ରାନ୍ତ ଫାଇଲ ଆଇନ ବିଭାଗକୁ ପଠାଇଥିଲେ। ଆଇନ ବିଭାଗ ଏ ସଂକ୍ରାନ୍ତ ଫାଇଲ ଫେରାଇବା ପରେ ଆଜି ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେବା ସହିତ ବିଧିବଦ୍ଧ ଭାବେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିଛନ୍ତି।

ଏହି ଆଇନର ପ୍ରଥମ ପଦକ୍ଷେପ ସ୍ୱରୂପ ଲୋକାୟୁକ୍ତ ନିଯୁକ୍ତି ପାଇଁ ନିୟମ ପ୍ରଣୟନ କରାଯାଇଛି। ନିୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ରହିବେ। ଏହି ତିନିଜଣ ମିଶି ଜଣେ ଚତୁର୍ଥ ସଭ୍ୟଙ୍କ ନାମ ବାଛି ସୁପାରିସ କରିବେ, ଯାହାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେବେ। ଏମାନଙ୍କୁ ନେଇ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହିଁ ଚୟନ କମିଟି ଗଠନ ହେବ। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହି କମିଟିର ସଚିବ ଭାବେ କାର୍ଯ୍ୟ କରିବେ। ଏହି କମିଟି ହିଁ ଶେଷରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଚୟନ କରିବେ।

ତେବେ ଏହି ପ୍ରକ୍ରିୟା ପାଇଁ ଆହୁରି ଲମ୍ବା ବ୍ୟବସ୍ଥା ରହିଛି। ନିୟମ ଅନୁସାରେ ଏହି ଚୟନ କମିଟି ଏକ ପାଞ୍ଚଜଣିଆ ସର୍ଚ୍ଚ କମିଟି ବାଛିବେ। ସର୍ଚ୍ଚ କମିଟିର କାର୍ଯ୍ୟକାଳ ଦୁଇବର୍ଷ ରହିବ ଓ ସଚିବ ପାହ୍ୟାର ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ଦିଆଯିବ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟ ବାଛି ଚୟନ କମିଟି ବିଚାର ପାଇଁ ନାମ ସୁପାରିସ କରିବେ। ଲୋକାୟୁକ୍ତ ଅଧ୍ୟକ୍ଷ ପଦ ପାଇଁ ସର୍ଚ୍ଚ କମିଟି ପାଞ୍ଚ ଜଣଙ୍କ ନାମ ଦେବେ ଓ ୫ଜଣ ସଦସ୍ୟଙ୍କ ପାଇଁ ୩ଟି ଲେଖାଏଁ ନାମ ଦେବେ। ଏହିପରି ୨୦ଟି ନାମ ଉପରେ ହିଁ ଚୟନ କମିଟି ୬ଜଣିଆ ଲୋକାୟୁକ୍ତ ମଣ୍ଡଳୀ ବାଛିବେ। ସୁପାରିସ ହୋଇ ଆସିଥିବା ପାଞ୍ଚଜଣଙ୍କ ନାମ ମଧ୍ୟରୁ ଚୟନ କମିଟି ଜଣଙ୍କୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଭାବେ ଚୟନ କରିବେ। ସେହିପରି ଅନ୍ୟ ୧୫ ଜଣଙ୍କ ନାମ ମଧ୍ୟରୁ ୫ଜଣ ସଦସ୍ୟ ବଛାଯିବେ।
ଏହି ପ୍ୟାନେଲ୍‌ ଏକ ବର୍ଷ ପାଇଁ ବଳବତ୍ତର ରହିବ। ଯଦି ମଝିରେ କୌଣସି ପଦବି ଖାଲି ପଡିଲା, ତେବେ ଏହି ପ୍ୟାନେଲରୁ ହିଁ ସଦସ୍ୟ ବା ଅଧ୍ୟକ୍ଷଙ୍କୁ ମନୋନୟନ କରାଯିବ। ସେହିଭଳି ସର୍ଚ୍ଚ କମିଟି ବାଛିବା ବେଳେ ଅନୁସୂଚିତ ଜାତି, ଜନଜାତି, ମହିଳା, ପଛୁଆ ବର୍ଗ ପ୍ରମୁଖଙ୍କୁ ଧ୍ୟାନ ଦିଆଯିବ।

ଲୋକାୟୁକ୍ତ ଆଇନର ବ୍ୟବସ୍ଥା ଅନୁଯାୟୀ, ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ପଞ୍ଚାୟତ ପୌରସଂସ୍ଥା ଅଧ୍ୟକ୍ଷ ଏବଂ ନିର୍ବାଚିତ ସଦସ୍ୟ, ସରକାରଙ୍କଠାରୁ ଅନୁଦାନ ନେଉଥିବା ବେସରକାରୀ ସଂଗଠନର କାର୍ଯ୍ୟକର୍ତା, ସରକାରୀ କର୍ମଚାରୀ, ନିଗମ କର୍ମକର୍ତା, ଠିକାଦାରୀ ସଂସ୍ଥା ଏ ସମସ୍ତେ ଲୋକାୟୁକ୍ତଙ୍କ ତଦନ୍ତ ପରିସରଭୁକ୍ତ ହୋଇପାରିବେ।

୬ ସଦସ୍ୟ ବିଶିଷ୍ଟ ଲୋକାୟୁକ୍ତ ମଣ୍ଡଳୀ ଅଭିଯୋଗ ଉପରେ ପ୍ରାଥମିକ ଯାଞ୍ଚ କରିବେ। ଏଥିରୁ ଆପାତ ପ୍ରମାଣଯୋଗ୍ୟ ତଥ୍ୟ ମିଳିଲେ, ଅଭିଯୋଗର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦେଶ ଦେଇପାରିବେ। ତଦନ୍ତ ରିପୋର୍ଟ ଭିତ୍ତିରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତ ପଦକ୍ଷେପ ନେଇପାରିବେ।

ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସିଧାସଳଖ ଲୋକାୟୁକ୍ତ ତଦାରଖ କରିବାର ବ୍ୟବସ୍ଥା ରହିଛି। ଆବଶ୍ୟକ ପଡ଼ିଲେ, ଅଭିଯୁକ୍ତଙ୍କ ସଂପତ୍ତିକୁ ସହବନ୍ଧିତ କିମ୍ବା ବାଜ୍ୟାପ୍ତ କରିବାକୁ ନିର୍ଦେଶ ବି ଲୋକାୟୁକ୍ତ ଦେଇପାରିବେ।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଗତ ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଲୋକାୟୁକ୍ତ ନିଯୁକ୍ତି ବିଳମ୍ବକୁ ନେଇ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିିଲେ। ଏଥିସହିତ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ପାଇଁ ମାଗିଥିବା ୬ ମାସର ମହଲତକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ। ବିିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର୍‌. ଭାନୁମତିଙ୍କୁ ଗଠିତ ଖଣ୍ଡପୀଠ ରୋକ୍‌ଠୋକ୍‌ କହିଥିଲେ ଯେ ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରି ଜୁଲାଇ ୧୦ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦିଅନ୍ତୁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏପରି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବା ଲାଗି ସରକାରୀ ତନାଘନା ଆରମ୍ଭ ହୋଇଥିଲା।

ଅନ୍ୟପଟରେ ୨୦୧୩ ମସିହା ଜାନୁଆରି ୨୨ ତାରିଖରେ ଜଷ୍ଟିସ ପି.କେ ପାତ୍ରଙ୍କ ମୃତ୍ୟୁ ପରେ ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ଆଇନ, ୧୯୯୫କୁ ରାଜ୍ୟ ସରକାର ଜାଣିଶୁଣି ଅଚଳ କରିଦେଇଥିଲେ। ସରକାର ନୂଆ ଆଇନ କରିବେ ବୋଲି କହି ଆଉ କାହାକୁ ଲୋକପାଳ ନିଯୁକ୍ତି ଦେଇନଥିଲେ। ସେବେଠାରୁ ଅଫିସ ଖୋଲୁଥିଲା, କର୍ମଚାରୀ ଦରମା ପାଉଥିଲେ ହେଁ ଲୋକପାଳ ବ୍ୟବସ୍ଥାଟି ଅକାମୀ ହୋଇପଡ଼ିଥିଲା। ଆଜି କିନ୍ତୁ ବିଧିବଦ୍ଧ ଭାବେ ସରକାର ଏହି ବ୍ୟବସ୍ଥାକୁ ରଦ୍ଦ କରିଛନ୍ତି। ଲୋକାୟୁକ୍ତ ବ୍ୟବସ୍ଥା ଆରମ୍ଭ ହୋଇଗଲେ, ଆଇନତଃ ଲୋକପାଳଙ୍କ ପାଖରେ ଥିବା ସମସ୍ତ ମାମଲା ଏଠାକୁ ସ୍ଥାନାନ୍ତରଣ ହେବ।

ସମ୍ବନ୍ଧିତ ଖବର