କୃଷକ ଉତ୍ପାଦକ ସଂସ୍ଥା ନୀତି ନେଇ କୃଷି ବିଭାଗର ବିଜ୍ଞପ୍ତି : ୧୦୦ କୋଟିର କର୍ପସ ପାଣ୍ଠି ସୃଷ୍ଟି ହେବ

ଭୁବନେଶ୍ବର : ଗତ ଡିସେମ୍ବର ୨୯ ତାରିଖରେ ରାଜ୍ୟ ସରକାର କ୍ୟାବିନେଟ୍‌ ଜରିଆରେ ଓଡ଼ିଶା କୃଷକ ଉତ୍ପାଦକ ସଂସ୍ଥା(ଏଫ୍‌ପିଓ) ନୀତିକୁ ଅନୁମୋଦନ ଦେଇଥିଲେ। ଆଜି ସେ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି କୃଷି ବିଭାଗ। ଏହା ସହିତ ୧୦୦ କୋଟିର କର୍ପସ ପାଣ୍ଠି ମଧ୍ୟ ସୃଷ୍ଟି କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହା ଫଳରେ କୃଷକଙ୍କ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିଛି।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଯଥା: ଖାଦ୍ୟ ପ୍ରକ୍ରିୟାକରଣ, କୃଷି ବ୍ୟବସାୟ, ଗୋଦାମ ଗୃହ ନିର୍ମାଣ ଆଦିର ସଂଯୋଜିତ ବିକାଶ ନିମନ୍ତେ ଓଡ଼ିଶା ଏଫ୍‌ପିଓ ନୀତି ପ୍ରଣୟନ କରାଯାଇଛି। ଏଥିପାଇଁ ବିଶ୍ବସ୍ତରୀୟ ବୈଷୟିକ ଜ୍ଞାନକୌଶଳ, ଭିତ୍ତିଭୂମି ସୁବିଧା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏଭଳି ନୀତି ସରକାର ଓ ଘରୋଇ ଭାଗିଦାରୀରେ କାର୍ଯ୍ୟକାରୀ ହେବ। ଏହା କୃଷକଙ୍କ ଆୟ ଓ ଅର୍ଥନୈତିକ ଅଭିବୃଦ୍ଧି, ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସହାୟକ ହୋଇପାରିବ ବୋଲି ଯୋଜନା ହୋଇଛି। ବିଶେଷ କରି ଏହି ଯୋଜନା ମାଧ୍ୟମରେ ଏଫ୍‌ପିଓଙ୍କୁ ସଶକ୍ତୀକରଣ କରାଯିବ, ଯାହାଫଳରେ ସେ ବିଭିନ୍ନ ଆହ୍ବାନର ସାମ୍ନା କରିପାରିବେ। ଏହା ଜରିଆରେ ଜଳସେଚନ, ବ୍ୟକ୍ତିଗତ ଜମି ପଟ୍ଟା ଓ କୃଷି ଉତ୍ପାଦ ସାଇତି ରଖିବା ସୁବିଧା ସୃଷ୍ଟି ହୋଇପାରିବ। ଏହା ଉଭୟ ଶିଳ୍ପ ଓ କୃଷି କ୍ଷେତ୍ରର ପରିପୂରକ ବିକାଶ ସୃଷ୍ଟି ଦିଗରେ ସହାୟକ ହେବ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଉଲ୍ଲେଖ କରାଯାଇଛି।

ଏସବୁ ନିମନ୍ତେ ଆବଶ୍ୟକ ପାଣ୍ଠି ବିଭିନ୍ନ ଯୋଜନା ଯଥା: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ରାଜ୍ୟ ଯୋଜନା ସହିତ ଗଠିତ ୧୦୦ କୋଟିର କର୍ପସ ପାଣ୍ଠି ଜରିଆରେ ବିନିଯୋଗ କରାଯିବ। ଏଫ୍‌ପିଓ, ଉତ୍ପାଦକ, କ୍ଷୁଦ୍ର ଚାଷୀ ଗୋଷ୍ଠୀମାନଙ୍କୁ ସୁଦୃଢ଼ କରିବା ଦିଗରେ ଏହି ପାଣ୍ଠି ବାର୍ଷିକ ଖର୍ଚ ତୁଲାଇବ ବୋଲି କୁହାଯାଇଛି। ଏହି ବିଜ୍ଞପ୍ତି ନେଇ ସରକାରଙ୍କ ସବୁ ବିଭାଗ, ଜିଲ୍ଲାପାଳ, କୃଷି ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର