ଧାନ ସଂଗ୍ରହ ୨୫% ବୃଦ୍ଧି

୪.୭୮ ଲକ୍ଷ ଚାଷୀଙ୍କୁ ମିଳିଲାଣି ୩୯୭୭ କୋଟି

ଭୁବନେଶ୍ବର : ଧାନ ମଣ୍ଡି ଖୋଲୁନାହିଁ। ଚାଷୀମାନେ ଧାନ ବିକିବାକୁ ଦିନରାତି ଶୀତ କାକରରେ ପଡ଼ି ରହୁଛନ୍ତିି। ମିଲ୍‌ ମାଲିକ, ଯୋଗାଣ ବିଭାଗ କର୍ମଚାରୀ ଓ ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍‌ସ) କର୍ମଚାରୀମାନଙ୍କ ସଲାସୁତୁରାରେ ଚାଷୀଙ୍କୁ ଲୁଟ୍‌ କରାଯାଉଥିବା ଭଳି ମାଳ ମାଳ ଅଭିଯୋଗ ବାଢ଼ୁଛନ୍ତିି ବିରୋଧୀ କଂଗ୍ରେସ ଓ ବିଜେପି। ଏଭଳି ପରିସ୍ଥିତିରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନେଇ ଆଗେଇ ଚାଲିଛି। ବରଂ ବିଗତ ବର୍ଷ ତୁଳନାରେ ଆଜି ସୁଦ୍ଧା ଧାନ କିଣା ଅଧିକ ୨୫ ପ୍ରତିଶତ ହୋଇଛି। ପ୍ରାୟ ୪.୭୮ ଲକ୍ଷ ଚାଷୀ ଧାନ ବିକି ୩୯୭୭ କୋଟିରୁ ଅଧିକ ଟଙ୍କା ପାଇଲେଣି ବୋଲି ସରକାରୀ ତଥ୍ୟ ବୟାନ କରୁଛି।

ଏହି ତଥ୍ୟ ଅନୁଯାୟୀ ଗତବର୍ଷ ଏହି ତାରିଖ ସୁଦ୍ଧା ୨୨୨୨୩୪୦.୮୩ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଆଜି ସୁଦ୍ଧା ଧାନ ସଂଗ୍ରହ ହୋଇଛି ୨୭୭୩୯୯୧.୧୬ ମେଟ୍ରିକ ଟନ୍‌। ପ୍ରାୟ ୪ ଲକ୍ଷ ୭୮ ହଜାର ୧୮୯ଜଣ ଚାଷୀ ସେମାନଙ୍କର ୪୮୫୪.୪୨ କୋଟି ଟଙ୍କା ମୂଲ୍ୟର ଧାନ ବିକ୍ରି କରିଛନ୍ତି। ସେଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ୩୯୭୭.୮୭ କୋଟି।

ରାଜ୍ୟର ମୋଟ ୩୩୪ଟି ବ୍ଲକ ଓ ପୌରାଞ୍ଚଳରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ଭାଗ ନେଇଛନ୍ତି ୨୫୩୩ ପାକ୍‌ସ। ୩୧୦୨ଟି ମଣ୍ଡି ଖୋଲିଛି। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଋତୁ ପାଇଁ ମୋଟ ୧୨ ଲକ୍ଷ ୮ହଜାର ୮୩ଜଣ ଚାଷୀଙ୍କୁ ପଞ୍ଜୀକୃତ କରାଯାଇଛି। ୧୨୪୪ଜଣ ମିଲ୍‌ ମାଲିକମାନେ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅଦ୍ୟାବଧି ସେମାନେ ୨୭୫୩୦୪୯ ମେଟ୍ରିକ ଟନ୍‌ ଧାନ ଉଠାଇଛନ୍ତିି। ସଂଗୃହୀତ ଧାନ ମଧ୍ୟରୁ ରାଜ୍ୟ ଯୋଗାଣ ନିଗମ ସର୍ବାଧିକ ଧାନ କ୍ରୟ କରିଛି। ତେବେ ଟିଡିସିସି ଆଦୌ ଧାନ ସଂଗ୍ରହ କରିନାହିଁ।

ସମ୍ବନ୍ଧିତ ଖବର