ଭୁବନେଶ୍ୱର : ୧୮୫୭ର ସିପାହୀ ବିଦ୍ରୋହ ନୁହେଁ, ଏହାର ୪୦ ବର୍ଷ ପୂର୍ବରୁ ଓଡ଼ିଶାରେ ସଂଗଠିତ ପାଇକ ବିଦ୍ରୋହ ଥିଲା ଦେଶର ସ୍ୱାଧୀନତା ସଂଗ୍ରାମର ଆଦ୍ୟପର୍ବ। କିନ୍ତୁ ଆମେ ଓଡ଼ିଆମାନେ ଆମର ଏହି ଐତିହ୍ୟ ଓ ବୀରତ୍ୱର ଗାଥାକୁ ଭୁଲିଗଲୁଣି। ଏବେ ସମୟ ଆସିଛି ରାଜନୀତିର ଊର୍ଧ୍ୱକୁ ଯାଇ ଶତାବ୍ଦୀ ଶତାବ୍ଦୀ ପାଇଁ ଓଡ଼ିଆ ବୀରତ୍ୱକୁ ପୃଥିବୀ ବକ୍ଷରେ ଅବସ୍ଥାପିତ କରିବାର। ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ଗୁଜରାଟର ସର୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବଂ ମହାରାଷ୍ଟ୍ରର ସମୁଦ୍ର ଗର୍ଭରେ ଛତ୍ରପତି ଶିବାଜୀଙ୍କ ସମ୍ମାନରେ ତିଆରି ହେଉଥିବା ନଭଶ୍ଚୁମ୍ବୀ ପ୍ରତିମୂର୍ତ୍ତି ‘ଶିବ୍ ସ୍ମାରକ୍’ଠାରୁ ବି ବରୁଣେଇକୁ ପାଇକ ବିଦ୍ରୋହର ସ୍ମୃତିସ୍ଥଳ କରିବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ଵାନ ଦେଇଛନ୍ତି। ଏନେଇ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ‘ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ’ରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପ୍ରଧାନ ଆହୁରି କହିଲେ, ବକ୍ସିଙ୍କ ଘୋଡ଼ା ଚଢ଼ା, ଖଣ୍ଡାଧରା ନଭଶ୍ଚୁମ୍ବୀ ମୂର୍ତି ସହ ଜୟୀ ରାଜଗୁରୁଙ୍କଠାରୁ ଆରମ୍ଭ କରି ସ୍ୱାଧୀନତା ପର୍ଯ୍ୟନ୍ତ ଓଡ଼ିଶାର ସଂଘର୍ଷ ଓ ସାମାଜିକ ଜୀବନର ଚିତ୍ରକୁ ବରୁଣେଇ ପାହାଡ଼ରେ ପୁନର୍ଜୀବିତ କରି ବିଶ୍ୱ ପର୍ଯ୍ୟଟନର ଏକ ଆକର୍ଷଣୀୟ କେନ୍ଦ୍ର କରିବାର ଆବଶ୍ୟକତା ରହିଛି।
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ, ପାଇକ କୌଣସି ଜାତି ନଥିଲା। ଏହା ଥିଲା ହିନ୍ଦୁ, ମୁସ୍ଲିମ୍ ଓ ସମସ୍ତ ଜାତିର ଏକ ମିଶ୍ରିତ ରୂପ। ଯେଉଁମାନେ କି ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ, ବଳିଦାନ ଦେଇଥିଲେ। କିନ୍ତୁ ଆଜି ସେଇ ଏକତା କମିଗଲାଣି। ପଦ, ପଦବି ଓ ସଂଖ୍ୟା ପଛରେ ଗୋଡ଼େଇ ଜାତି ଓ ମାଟି କଥା ଏ ଓଡ଼ିଆ ଭୁଲି ଗଲାଣି। ଏଣୁ ସମସ୍ତଙ୍କ ମନରେ ଆମ ଐତିହ୍ୟକୁ ସଂଗଠିତ କରିବାର ଏକତ୍ୱ ଭାବ ଆସିବା ଉଚିତ।
ପରିଷଦର ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୂର୍ବତନ ସୂଚନା କମିସନର୍ ଜଗଦାନନ୍ଦ, ସୁବାର୍ତ୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ, ଜାଗି ମଙ୍ଗତ ପଣ୍ଡା, ଦିଲ୍ଲୀପ ଶ୍ରୀଚନ୍ଦନ, ଲଳିତେନ୍ଦୁ ମହାପାତ୍ର, ଉପାସନା ମହାପାତ୍ର, ଶିଶିର ନାୟକ ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୃଥ୍ଵୀରାଜ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂଗ୍ରାମ କେଶରୀ ପାଇକରାୟ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରୁ ଏକ ବିଶାଳ ବୀର ମଶାଲ ଯାତ୍ରା ସ୍ୱାଧୀନତା ସଂଗ୍ରାମୀ ସଦନ ପଡ଼ିଆରୁ ଉତ୍କଳ ମଣ୍ଡପ ଯାଏଁ ଆସିଥିଲା। ଏଥିରେ ୫୦୦ରୁ ଊର୍ଧ୍ୱ ପାଇକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ‘ଶୌର୍ଯ୍ୟ’ ପୁସ୍ତକ, ‘ଉଠରେ ଓଡ଼ିଆ, ଜାଗରେ ଓଡ଼ିଆ’ ସିଡି ଓ ପାଇକ ବିଦ୍ରୋହ େଓ୍ଵବ୍ସାଇଟ୍ ଉଦ୍ଘାଟିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ନାଟକ ‘ମହାସଂଗ୍ରାମର ମହାନାୟକ’ ପରିବେଷିତ ହୋଇଥିଲା। ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।