ଜାମ୍‌ରେ ଫସିଲା ଗାଡ଼ି, ରାସ୍ତାରେ ରୋଗୀଙ୍କ ମୃତ୍ୟୁ

୧୦୦ କିମିକୁ ଲାଗିଲା ୫ ଘଣ୍ଟା

ରାଉରକେଲା/କୋଇଡ଼ା : ମାତ୍ର ୧୦୦ କିଲୋମିଟର ଦୂରରେ ଆଧୁନିକ ଚିକିତ୍ସା ସୁବିଧା ଥିବା ବଡ଼ ଡାକ୍ତରଖାନା। ରୋଗିଣୀ ପତ୍ନୀଙ୍କୁ ନେଇ ସେଠାକୁ ବାହାରିଲେ ପ୍ରାୟ ସନ୍ଧ୍ୟା ୯.୩୦ଟା ସମୟରେ। ସେତିକି ବାଟକୁ ଅତିବେଶୀରେ ୨ ଘଣ୍ଟା ଲାଗିବା କଥା। କିନ୍ତୁ ଘରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ପହଞ୍ଚିଥିବା ସମୟରେ ଗାଡ଼ି ଫସିଗଲା ରାସ୍ତା ଜାମ୍‌ରେ। ଏହି ଜାମ୍‌ ଯୋଗୁ ଜଣେ ରୋଗୀଙ୍କର ପ୍ରାଣହାନି ଘଟିଛି।

ସୂଚନା ଅନୁସାରେ, ଡେବିଟ୍‌ ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲାସ୍ଥ କୋଇଡା ବ୍ଲକ୍‌ର ଟେନ୍‌ସାରେ ରହନ୍ତି। ତାଙ୍କ ନିଜ ଗାଁ ଟେନ୍‌ସା ନିକଟବର୍ତୀ ଏକ ଗାଁରେ। ଷ୍ଟିଲ୍‌ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍‌) ଅଧୀନରେ ଥିବା ଟେନ୍ସା ବରସୁଆଁ ଲୁହାଖଣିର ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ। ଡେବିଟ୍‌ଙ୍କ ପତ୍ନୀ ଜରଙ୍ଗ ମୁଣ୍ଡା ହୃଦ୍‌ରୋଗରେ ପୀଡ଼ିତା ଥିଲେ। ଗତ ମଙ୍ଗଳବାର ଦିନ ସନ୍ଧ୍ୟା ୮ଟାରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଟେନ୍‌ସାରେ ଥିବା ସେଲ୍‌ ହସ୍‌ପିଟାଲ୍‌ରେ ଭର୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାାବସ୍ଥା ଖରାପ ହୋଇ ଯିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ‌ରାଉରକେଲାରେ ଥିବା ଇସ୍ପାତ ଜେନେରାଲ୍ ହସ୍‌ପିଟାଲ୍‌ (ଆଇଜିଏଚ୍)କୁ ଅଣା ଯାଉଥିଲା। ସେଥିପାଇଁ ଏକ ବଲେରୋକୁ ଭଡ଼ା ନିଆ ଯାଇଥିଲା। ତେବେ ସବୁଦିନେ ଅନ୍ୟ ଗାଡ଼ି ସମେତ ହଜାର ହଜାର ଖଣିଜ ଦ୍ରବ୍ୟବାହୀ ଭାରି ଟ୍ରକ୍ ଓ ଡମ୍ଫର୍ ଆଦି ଚାଲୁଥିବା ଟେନ୍‌ସା-ରାଉରକେଲା ରାସ୍ତାରେ ସେଦିନ ଅଧିକାଂଶ ଦିନ ଭଳି ପ୍ରବଳ ଜାମ୍‌ ସୃଷ୍ଟି ହୋଇଥିଲା। ସନ୍ଧ୍ୟା ୭ଟାରୁ ପ୍ରାୟ ରାତି ୧୨.୩୦ଟା ଯାଏ ରହିଥିବା ସେ ଜାମ୍ ସୃଷ୍ଟି ହୋଇଥିଲା ରାସ୍ତା ଉପରେ ଏକାବେଳେ ଅଚଳ ହୋଇ ଯାଇଥିବା ୩ଟି ଡମ୍ଫର୍ ଓ ଗୋଟିଏ ୧୨ ଚକିଆ ଟ୍ରକ୍ ଯୋଗୁ। ତେଣୁ ରାଇକଳା ନିକଟରେ ବଲେରୋ ଅଟକି ଗଲା। ସେତେବେଳେ ରୋଗିଣୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଯାହାହେଉ କିଛି ଲୋକଙ୍କ ସାହାଯ୍ୟରେ ଗାଡ଼ିଟି ଧୀରେ ଧୀରେ ଆଗେଇଲା। ତେବେ ସେ ଜାମ୍‌ରୁ ବାହାରିବାବେଳକୁ ପ୍ରାୟ ୧୨.୩୦ ହୋଇ ଯାଇଥିଲା। ଟିକେ ବାଟ ପରେ ପୁଣି ଆଉ ଏକ ଛୋଟିଆ ଜାମ୍‌ରେ ଫସିଥିଲା ଗାଡ଼ି। ରୋଗିଣୀଙ୍କୁ ଏତେ ସମୟ ଦେବାକୁ ବୋଧେ ରାଜି ନ ଥିଲା ଜୀବନ! ଆଉ କିଛି ଦୂର ଯିବାପରେ ଚାନ୍ଦିପୋଷ ପାଖାପାଖି ରୋଗିଣୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର