ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ରାୟପୁରରେ କ୍ରାଇମ୍ବ୍ରାଞ୍ଚ ଚଢ଼ଉ, ପୁଞ୍ଜିଲାଲର ରିମାଣ୍ଡ ଶେଷ, ଆଜି କୋର୍ଟରେ ହାଜର ହେବ
୩ ଚାଳକଙ୍କୁ ଖୋଜିବାକୁ ଦୁଇ ଅଫିସର ନିଯୁକ୍ତ, ପୁରସ୍କାର ଘୋଷଣା କଲେ ଆଇଜି
କଟକ/ସମ୍ବଲପୁର : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲ ମେହେର୍ଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷଦିନରେ ତନାଘନା ଚଳାଇଛି କ୍ରାଇମ୍ବ୍ରାଞ୍ଚ । ପ୍ରମାଣଯୋଗାଡ଼ କରିବା ପାଇଁ ଝାଳବୁହା ଉଦ୍ୟମ କରିଛି। ସେମିତି କିଛି ତଥ୍ୟ ହସ୍ତଗତ ହୋଇନଥିବାବେଳେ ଆସନ୍ତାକାଲି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରିବ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଞ୍ଜିଲାଲଙ୍କୁ ଧରି କ୍ରାଇମ୍ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଆଜି ରାୟପୁରର ଛକରୁ ଛକ ଘୂରି ବୁଲିଥିଲା । ପାପୁଡ଼ି ଛକରେ କ୍ରାଇମ୍ବ୍ରାଞ୍ଚ ଏକାଧିକ ଅଟୋ ଚାଳକଙ୍କୁ ପଚରାଉଚରା କରିଥିଲା । ଦୁଇ ଜଣ ରିକ୍ସା ଚାଳକ ଏବଂ ଜଣେ ଅଟୋ ଚାଳକଙ୍କୁ କ୍ରାଇମ୍ବ୍ରାଞ୍ଚ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସମ୍ପର୍କରେ କୌଣସି ସୂଚନା କ୍ରାଇମ୍ବ୍ରାଞ୍ଚର ହସ୍ତଗତ ହୋଇପାରିନାହିଁ । ଦୁଇ ଜଣ ଅଫିସର ଏବେ ରାୟପୁରରେ ସେମାନଙ୍କୁ ଖୋଜିବାକୁ ନିଯୁକ୍ତ ହୋଇଥିବା ବେଳେ ରାୟପୁର କ୍ରାଇମ୍ବ୍ରାଞ୍ଚ ମଧ୍ୟ ଓଡ଼ିଶା କ୍ରାଇମ୍ବ୍ରାଞ୍ଚକୁ ସହଯୋଗ କରୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ପୁଞ୍ଜିଲାଲଙ୍କୁ ରିକ୍ସା ଓ ଅଟୋରେ ବସାଇ ନେଇଥିବା ଚାଳକଙ୍କ ସୂଚନାଦାତା, ନହେଲେ ଖୋଦ୍ ରିକ୍ସା ଓ ଅଟୋ ଚାଳକ ସାମ୍ନାକୁ ଆସିଲେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ଅନ୍ୟପଟେ, ସେ କିଭଳି ରିକ୍ସା ଓ ଅଟୋରେ କୋରିଅର ସଂସ୍ଥାଗୁଡ଼ିକୁ ଯାଇଥିଲେ, ସେନେଇ ପୁଞ୍ଜିଲାଲ ରାୟପୁରରେ ଡେମୋ ଦେଖାଇଥିଲେ। ଆଜି ସନ୍ଧ୍ୟାରେ ପୁଞ୍ଜିଲାଲଙ୍କୁ ଧରି କ୍ରାଇମ୍ବ୍ରାଞ୍ଚ ଟିମ୍ ପାଟଣାଗଡ଼ ଅଭିମୁଖେ ଆସୁଛି। ଆଜି ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ଆସନ୍ତାକାଲି ତାଙ୍କୁ ପାଟଣାଗଡ଼ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ । ପୁଞ୍ଜିଲାଲଙ୍କୁ ଏବେ ପୁନଃ ରିମାଣ୍ଡରେ ଆଣିବାକୁ ଯୋଜନା ନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏବେ ପୂରା ମାମଲାର ରାଜସାକ୍ଷୀ ପାଲଟିଥିବା ଅଟୋ ଏବଂ ରିକ୍ସା ଚାଳକଙ୍କୁ ଠାବ କରାଗଲେ ପୁଣି ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣି ଉଭୟଙ୍କୁ ସାମ୍ନା ସାମ୍ନି ଜେରା କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିିଛି ।