ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ ମାନିଲେ ରାଜ୍ୟବାସୀ; ନିଜ ଘର ସମ୍ମୁଖ ଓ ବାଲକୋନିରେ ଜାଳିଲେ ଦୀପ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକୁ ଦେଶବାସୀ ଗ୍ରହଣ କରିଛନ୍ତି । ସମଗ୍ର ଦେଶବାସୀଙ୍କ ସମେତ ଓଡ଼ିଶାବାସୀ ଆଜି ଘର ସମ୍ମୁଖ ଓ ବାଲକୋନିରେ ଦୀପ ଓ ଆଲୋକ ଜାଳିଛନ୍ତି । ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାରିପଦା, ଆଦି ସହରର ଲୋକମାନେ ନିଜ ପରିବାର ଲୋକଙ୍କ ସହିତ ମିଶି ବାଲକୋନି ଓ ନିଜ ଘର ସମ୍ମୁଖରେ ଛିଡା ହୋଇ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ ଅଥବା ମୋବାଇଲ ଫ୍ଲାସ ଲାଇଟ ଜଳାଇଛନ୍ତି ।

ଏହା ପୂର୍ବରୁ ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଥିଲେ । ଶକ୍ତି ବିଭାଗ ପକ୍ଷରୁ ଆଡଭାଇଜରିରେ କୁହାଯାଇଥିଲା ଯେ, ଘରର ମେନ ସୁଇଚ ବନ୍ଦ କରିବେ ନାହିଁ । ଏକ ଥରକେ ଲାଇଟ ସ୍ୱିଚ ବନ୍ଦ କରିବେ ନାହିଁ । ଅନ୍ୟ ଉପକରଣରେ ସ୍ୱିଚ ବନ୍ଦ କରିବେ ନାହିଁ । ସବୁ ସୁଇଚ ବନ୍ଦ କରିଦେଲେ ଗ୍ରିଡ ଉପରେ ପ୍ରଭାବ ପଡ଼ିପାରେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଜାରି କରିବା ସହ ନିବେଦନ କରିଥିଲେ ଯେ, ଆଗାମୀ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଲାନ୍ତୁ । ଏହି ଦୀପ ଜାଳିବା ଦ୍ୱାରା ଅନ୍ଧାର ଭିତରେ କରୋନାକୁ ମୁକାବିଲା କରିହେବ । ଦେଶର ୧୩୦ କୋଟି ଜନତା ମିଳିତ ଭାବେ ମହାଶକ୍ତିର ଜାଗରଣ କରନ୍ତୁ ଓ ଆମର ସଂକଳ୍ପ ନିଅନ୍ତୁ ବୋଲି ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଘରର ସବୁ ଲାଇଟ ବନ୍ଦ କରି ଘର ସମ୍ମୁଖରେ ହେଉ କି ବାଲକୋନିରେ ଛିଡା ହୋଇ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ ଅଥବା ମୋବାଇଲ ଫ୍ଲାସ ଲାଇଟ ଜଳାନ୍ତୁ । ଚାରିପାଶ୍ୱର୍ରୁ ଯେତେବେଳେ ଆଲୋକ ଆସିବ ମହାଶକ୍ତି ଅନୁଭବ ହେବ । ଏହି ଆଲୋକ ମାଧ୍ୟମରେ ଆମେ କେବଳ ଏକାକୀ ସଂକଳ୍ପ ନେଲେ ଚଲିବ ନାହିଁ । ଏଥିପାଇଁ ଦେଶର ୧୩୦ କୋଟି ଦେଶବାସୀଙ୍କୁ ସଂକଳ୍ପ ନେବାକୁ ହେବ ।

ସମ୍ବନ୍ଧିତ ଖବର