ବିଧାୟକଙ୍କୁ ହତ୍ୟା ଘଟଣା: ନକ୍ସଲଙ୍କ ପୋଷ୍ଟର ଜାରି କଲା ପୁଲିସ

ହତ୍ୟାକରି ଯିବା ବେଳର ଭିଡିଓ ଭାଇରାଲ

ମାଲକାନଗିରି,: ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଆରକୁ ବିଧାୟକ କେ.ସର୍ବଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଏସ.ସୋମାଙ୍କୁ ରବିବାର ଦିନ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣା ପରେ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏପରିକି ଲୋକ ପ୍ରତିନିଧିଙ୍କୁ ବି ସତର୍କ ରହିବା ପାଇଁ ପୁଲିସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବିଧାୟକଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୌଡ଼ି ଦୌଡ଼ି ଯାଉଥିବା ନକ୍ସଲଙ୍କ ଭିଡିଓ ଭାଇରାଲ ହୋଇଛି। ନକ୍ସଲ ହତ୍ୟା ପରେ କିଭଳି ଘଟଣା ସ୍ଥଳରୁ ଜଙ୍ଗଲ ଭିତରକୁ ପଶୁଛନ୍ତି ଭିଡିଓରେ ସ୍ପଷ୍ଟ ରୂପେ ଦେଖାଯାଉଛି। ସେହିପରି ଏହି ବର୍ବରକାଣ୍ଡର ଯୋଜନା କରିଥିବା ୩ଜଣ ଟପ୍‌ ମାଓନେତାଙ୍କ ଫଟୋ ବି ପୁଲିସ ଜାରି କରିଛି। ପୂର୍ବରୁ ହିଁ ନକ୍ସଲଙ୍କ ଟାର୍ଗେଟରେ ରହିଥିଲେ ଟିଡିପି ବିଧାୟକ ସର୍ବଶ୍ୱର ଏବଂ ପୂର୍ବତନ ବିଧାୟକ ସୋମା। ଦୀର୍ଘଦିନ ହେଲା ସେମାନଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଟପ୍‌ କ୍ୟାଡର ମାଓନେତା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ସୁଯୋଗ ଅପେକ୍ଷାରେ ରହିଥିଲେ। ଘଟଣା ଦିନ ନକ୍ସଲଙ୍କ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟି ସଦସ୍ୟ ଅରୁଣା, ସୁନୀଲ ଏବଂ କାମେଶ୍ୱରୀ ଗୋଟିଏ ଦଳ ନେଇ ଜଙ୍ଗଲରୁ ବାହାରିଥିଲେ। ହତ୍ୟା କରିବା ପୂର୍ବରୁ ବିଧାୟକଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ଯୁକ୍ତିତର୍କ ବି ହୋଇଥିଲା। ଶେଷରେ ଅତି ନିକଟରୁ ଉଭୟଙ୍କୁ ଗୁଳି କରି ପୁଣି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ ନକ୍ସଲ। ଏଥିରେ କିଛି ଗ୍ରାମବାସୀ ମଧ୍ୟ ନକ୍ସଲଙ୍କୁ ସହଯୋଗ କରିଥିବା ଜଣାପଡିଛି। ବିଶାଖାପାଟଣା ପୁଲିସ ସଂପୃକ୍ତ ନକ୍ସଲଙ୍କ ବିଷୟରେ ଜାଣିବା ପରେ ପୋଷ୍ଟର ଜାରି କରିଛି। ସେମାନଙ୍କ ସନ୍ଧାନ ଆରମ୍ଭ କରିବା ସହ ସନ୍ଦିଗ୍ଧ ଗତିବିଧି ଉପରେ ବି ନଜର ରଖିଛି।

ଏହି ଘଟଣା ପରେ ମାଲକାନଗିରିରେ ହାଇଆଲର୍ଟ ଜାରି କରାଯାଇଛି। ବିଏସ୍‌ଏଫ୍‌ ଏବଂ ଓଡ଼ିଶା ପୁଲିସ ପକ୍ଷରୁ ସୀମାକୁ ସିଲ୍‌ କରାଯାଇଛି। ଆନ୍ଧ୍ରରେ ଘଟଣା ଘଟାଇବା ପରେ ସେମାନେ ସିଧାସଳଖ ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳରେ ପଶିବା ନେଇ ପୁଲିସ ସନ୍ଦେହ କରୁଛି। ତେଣୁ ଏହି ଅଞ୍ଚଳରେ କମ୍ବିଂକୁ ଜୋର୍‌ଦାର୍‌ କରାଯାଇଛି। ପୁଲିସ ଗୁଇନ୍ଦା ବିଭାଗ ବି ଏବେ ପୂରା ସତର୍କତାର ସହ ନକ୍ସଲଙ୍କ ଗତିବିଧି ନେଇ ସୂଚନା ସଂଗ୍ରହ କରୁଛି। ଜିଲ୍ଲାରେ ନେତାମାନଙ୍କୁ ଏସ୍‌ଓପି ପାଳନ ନେଇ ନିର୍ଦେଶ ଦିଆଯାଇଛି। ଜିଲ୍ଲାର ବିଧାୟକଙ୍କୁ ଦୁର୍ଗମ ଅଂଚଳକୁ ଗସ୍ତ ନକରିବା ପାଇଁ ବାରଣ କରାଯାଇଛି। ସେହିପରି ମାଲକାନଗିରିରେ ବିଧାୟକଙ୍କ ଗାଡି ବଦଳାଯାଇଥିବା ବେଳେ ସୁରକ୍ଷାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର