ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଆସନ୍ତାକାଲି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର କରିବେ ଶିଳାନ୍ୟାସ

ବାରିପଦା/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରି ୫ରେ ବାରିପଦା ଗସ୍ତରେ ଆସୁଛନ୍ତି। ଏଥି ପାଇଁ ଛଉପଡ଼ିଆ ଠାରେ ଆୟୋଜିତ ମୋଦିଙ୍କ ସାଧାରଣ ସଭାରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ହାଇସ୍କୁଲ ପଡ଼ିଆରେ ସରକାରୀ କାର୍ଯ୍ୟକ୍ରମ ହେବ। ମୟୂରଭଂଜ ସମେତ ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ବିଜେପି କର୍ମକର୍ତ୍ତାମାନେ ମୋଦିଙ୍କ ସଭାରେ ଯୋଗଦେବେ। ମୋଦିଙ୍କ ଗସ୍ତକୁ ଆଖିଆଗରେ ରଖି ବିଜେପି ସଂପୂର୍ଣ୍ଣ ବାରିପଦାକୁ ଗେରୁଆ ରଂଗରେ ସଜେଇ ଦେଇଛି। ଚାରିଆଡେ ବିଜେପି ପତାକା ସହିତ ବିଭିନ୍ନ ନେତାଙ୍କ ମାଳ ମାଳ ହୋର୍ଡିଂ ଲାଗିଛି। ସେହିପରି ରାଜଧାନୀ ଭୁବନେଶ୍ୱରରୁ ବିଜେପି ନେତାଙ୍କ ସୁଅ ଛୁଟୁଛି। ସଭାକୁ ସଫଳ କରିବାକୁ ଦଳ ପୂର୍ଣ୍ଣ ଉଦ୍ୟମ କରୁଛି।

ମୋଦିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏମିତି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଇଜି ଏସ୍‌ପିଜି ବୁଧବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏନେଇ ସେ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଗୁପ୍ତା ଆଲୋଚନା କରିଛନ୍ତି। ପୁଲିସ୍‌ (ମଡର୍ଣ୍ଣାଇଜେସନ) ଏଡିଜି ବିନୟତୋଷ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସଂପୂର୍ଣ୍ଣ ବ୍ୟବସ୍ଥା ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ମୋଦିଙ୍କ ଗସ୍ତରେ ବାରିପଦାରେ ୭୦ ପ୍ଲାଟୁନ ପୁଲିସ ନିୟୋଜିତ ହେବେ। ଏହା ସହିତ ୧୦୦-୧୫୦ ଇନସ୍‌ପେକ୍ଟର, ୪୦ ଡିଏସ୍‌ପି, ୧୦ ଅତିରିକ୍ତ ଏସ୍‌ପି ଏବଂ ୧୦ ଏସ୍‌ପି ପାହ୍ୟାର ପୁଲିସ୍‌ ଅଧିକାରୀ ନିୟୋଜିତ ରହିବେ।

ମୋଦିଙ୍କ ଦିନିକିଆ ଗସ୍ତ ପାଇଁ ମୟୂରଭଂଜ ଜିଲ୍ଲା ପୁଲିସ ପକ୍ଷରୁ ଟ୍ରାଫିକ୍‌ ଓ ପାର୍କିଂ ଆଦି ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ ଉଦଳା ଦିଗରୁ ଆସୁଥିବା କର୍ମୀଙ୍କ ଗାଡ଼ିଗୁଡ଼ିକ ମଧୁବନ ପଡ଼ିଆରେ ପାର୍କିଂ କରାଯିବ। ଦୂରବର୍ତ୍ତୀ ସ୍ଥାନକୁ ଯାଉଥିବା ବସ୍‌ ଗୁଡ଼ିକ ବସଷ୍ଟାଣ୍ଡରୁ ସତ୍ୟସାଇ ଛକ ଦେଇ ଦାରଗାଡାହି ଯିବେ ଏବଂ ସେହି ରାସ୍ତା ଦେଇ ବସ୍‌ଷ୍ଟାଣ୍ଡକୁ ଆସିବେ। ସେହିପରି ବାଲେଶ୍ୱର ଦିଗରୁ ଆସୁଥିବା କର୍ମୀଙ୍କ ଗାଡ଼ି ଗୁଡ଼ିକ ଷ୍ଟେସନ ଆଥଲେଟିକ୍‌ ପଡ଼ିଆରେ ପାର୍କିଂ କରିବେ। ଦଳୀୟ କର୍ମୀମାନେ ବାଲେଶ୍ୱର ଗୋଲେଇ ଦେଇ ଚାଲି ଚାଲି ଛଉପଡ଼ିଆରେ ପହଂଚିବେ। ତୁଳସୀଚଉରା ଆଡୁ ପାଲବଣୀକୁ ଯାଉଥିବା ଗାଡ଼ି ଅମ୍ବିକା ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ପାର୍କିଂ କରିବେ। ବାଙ୍ଗିରିପୋଷି ଏବଂ ଦେଉଳି ଆଡୁ ଆସୁଥିବା ଗାଡ଼ି ଦେଉଳି ରାସ୍ତାରେ ଏକ ଘରୋଇ ପାର୍କିଂ ସ୍ଥାନରେ ପାର୍କିଂ କରିବେ।

ଏହି ଗସ୍ତରେ ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ବାରିପଦା ଠାରେ ମୋଦି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୪ ଲେନ୍‌ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ଦେଇ ଏଲପିଜି ପାଇପ୍‌ଲାଇନ୍‌ର ଲୋକାର୍ପଣ ସାମିଲ ରହିଛି। ସେହିପରି ରେଲଲାଇନ ଦୋହରୀକରଣ, ବାଲେଶ୍ୱରରେ ଲଜିଷ୍ଟିକ ହବ, ହରିପୁରରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦିର ଲୋକାର୍ପଣ କରିବେ। ବାରିପଦା ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗୀର ଗସ୍ତ କରିବାର ଅଛି।

ସମ୍ବନ୍ଧିତ ଖବର