ହାଇକୋର୍ଟରେ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ହାଇକୋର୍ଟରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରହିଛି। ଆଜି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ଶ୍ରୀ ବିଶ୍ୱାଳଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ସମୟରେ ସିବିଆଇ ପକ୍ଷରୁ ତାଙ୍କ ସ୍ୱସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଓ କେସ୍‌ ଡାଏରି ଦାଖଲ କରାଯାଇଥିଲା। ତଦନ୍ତର ସାନି ସ୍ଥିତି ସଂପର୍କରେ ସିବିଆଇ ମଧ୍ୟ ଅବଗତ କରିଥିଲା। ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଅର୍ଥ ଓ ଜମି କାରବାରରେ ତାଙ୍କର କିଛି ସିଧାସଳଖ ସଂପୃକ୍ତି ନାହିଁ। ଏହି ମାମଲାର ତଦନ୍ତରେ ସେ ସିବିଆଇକୁ ସବୁ ବେଳେ ସହଯୋଗ କରି ଆସୁଥିଲେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ସେ ଜଣେ ବିଧାୟକ। ତେଣୁ ଜାମିନ ପ୍ରଦାନ ପରେ ସେ ପଳାୟନ କରିବାର ମଧ୍ୟ ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଯେ କୌଣସି ସର୍ତ୍ତ ରଖି ଜାମିନ ପ୍ରଦାନ କରାଯିବାରେ କିଛି ବାଧା ନାହିଁ ବୋଲି ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ଦାୟର ଜାମିନ ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର