ଭକ୍ତଙ୍କଠାରୁ ପକେଟମାର୍‌ କରି ସେବାୟତ ଗିରଫ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପକେଟମାର୍‌ କରିବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଜଣେ ସେବାୟତଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଭକ୍ତଙ୍କ ମନିପର୍ସ ମିଳିଥିବା ବେଳେ ସେଥିରୁ ୭ ଶହ ଟଙ୍କା ଓ ଏଟିଏମ୍‌ କାର୍ଡ ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ନୟାଗଡ଼ ଥାନା ମହାବୀରପାଟଣା ଅଞ୍ଚଳର ଶୁଭ୍ରାଂଶୁ ଶେଖର ସାହୁ (୨୦) ଆଜି ଶ୍ରୀମନ୍ଦିର ଦର୍ଶନ ନିମନ୍ତେ ଆସିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ସେ ଗରୁଡ଼ସ୍ତମ୍ଭ ନିକଟରେ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ତାଙ୍କ ପକେଟରୁ ଜଣେ ସେବାୟତ ମନିପର୍ସ ଭିଡ଼ି ନେଇଥିଲେ। ଏହା ଦେଖି ଶୁଭ୍ରାଂଶୁଙ୍କ ସମେତ ଅନ୍ୟମାନେ ଚିତ୍କାର କରିବାରୁ ସେଠାରେ ଥିବା ସାଦା ପୋଷାକଧାରୀ ପୁଲିସ ଉକ୍ତ ସେବାୟତଙ୍କୁ ଧରିପକାଇଥିଲେ। ସେବାୟତ ଜଣକ ହେଲେ ବାଲି ସାହି ତଳୁଚ୍ଛ ସାହିର ଶ୍ୟାମସୁନ୍ଦର ପ୍ରତିହାରୀ (୫୬)। ତାଙ୍କ ନିକଟରୁ ଶୁଭ୍ରାଂଶୁଙ୍କ ମନିପର୍ସ ଜବତ କରାଯାଇଥିଲା। ଏହି ମନିପର୍ସ ଭିତରୁ ୭ ଶହ ଟଙ୍କା, ଅନ୍ୟ ଜରୁରୀ କାଗଜପତ୍ର, ଏଟିଏମ୍ ସହିତ ଅନ୍ୟ କାର୍ଡକୁ ଜବତ କରି ପୁଲିସ ଅଭିଯୋଗକାରୀଙ୍କ ଜିମା ଦେଇଛି। ଶ୍ୟାମସୁନ୍ଦରଙ୍କୁ ଏହି ମାମଲାରେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର