ବଜ୍ରପାତରେ ୨ ଜଣଙ୍କ ପ୍ରାଣ ଗଲା

ଶବ ପାଲଟିଗଲେ ଶବବାହକ

ବେତନଟୀ: ଶବ ସତ୍କାର କରିବାକୁ ଶ୍ମଶାନକୁ ଯାଇଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ୨ ଶବବାହକ ଶବ ପାଲଟିଗଲେ । ବଜ୍ରପାତରେ ଦୁଇ ଜଣଙ୍କ ଜୀବନ ଚାଲିଗଲା। ମୃତକ ଦୁଇ ଜଣ ହେଲେ କୁଅଁର ସୋରେନ (୫୫) ଓ ବସେନ ମାଝୀ (୪୦)। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି ବେତନଟୀ ଥାନା ଅଧୀନ ଛଚିନାପଦା ଗ୍ରାମରେ। ଗ୍ରାମବାସୀଙ୍କୁ ଏହା ସ୍ତବ୍ଧ କରି ଦେଇଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଛଚିନାପଦା ଗାଁର ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତେଣୁ ତାଙ୍କ ଶବ ସତ୍କାର କରିବାକୁ ଗାଁର ଅନ୍ୟ ଲୋକଙ୍କ ସହିତ କୁଅଁର ଓ ସୋରେନ ଶ୍ମଶାନକୁ ଯାଇଥିଲେ। ତେବେ ସେମାନେ ଶବ ନେଇ ଯାଉଥିବାବେଳେ ହଠାତ ପ୍ରବଳ ବର୍ଷା, ପବନ ଓ ଘନ ଘନ ବଜ୍ରପାତ ସହ କାଳବୈଶାଖୀ ମାଡ଼ି ଆସିଥିଲା। ଆଖପାଖରେ କିଛି ଘର ନ ଥିବାରୁ ଶବବାହକମାନେ ଗୋଟିଏ ଗଛମୂଳେ ଆଶ୍ରୟ ନେଇଥିଲେ। ଏତିକିବେଳେ ସେହି ଗଛ ଉପରେ ହିଁ ଭୟଙ୍କର ବଜ୍ରପାତ ହୋଇଥିଲା। ବଜ୍ରପାତ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେ କୁଅଁର ଓ ବସେନ ଟଳି ପଡ଼ିଥିଲେ। ଏହା ଦେଖି ଅନ୍ୟ ଗ୍ରାମବାସୀମାନେ ନିର୍ବାକ ହୋଇ ଯାଇଥିଲେ। ସେମାନେ ଶବ ସତ୍କାର କରିବେ କ’ଣ, କାଳେ ଦୁଇ ଜଣ ସାଥୀ ବଞ୍ଚିଥିବେ ଭାବି ପ୍ରବଳ ବର୍ଷା ଓ ବଜ୍ରପାତ ଭିତରେ ଦୁହିଁଙ୍କୁ କାନ୍ଧରେ ବୋହି ଗାଁକୁ ନେଇ ଆସିଥିଲେ। ତେବେ ଗାଁ ଲୋକେ ସେମାନଙ୍କୁ ହସ୍ପିଟାଲକୁ ନ ନେଇ ସ୍ଥାନୀୟ ଆଦିବାସୀ ସମାଜର ବିଶ୍ୱାସ ଅନୁଯାୟୀ ଉଭୟଙ୍କୁ ଆଣି ଗୋବର ଗଦାରେ ପୋତି ଦେଇଥିଲେ। ଏ ଖବର ବିଜୁଳି ବେଗରେ ପ୍ରଚାର ହୋଇଯିବାରୁ ଗାଁରେ ବହୁ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ ବେତନଟୀ ଦମକଳ କେନ୍ଦ୍ର ଏସ୍‌ଓ ବଳରାମ ଜେନା ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗାଁ ଲୋକଙ୍କୁ ବୁଝାଶୁଝା କରି ଉଭୟଙ୍କ ଗୋବର ଗଦାରୁ ଉଦ୍ଧାର କରି ବେତନଟୀ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବେତନଟୀ ଥାନା ଆଇଆଇସି ଗୋବିନ୍ଦଚନ୍ଦ୍ର ବେହେରା ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧିତ ଖବର