୧୪ ବଗି ଛାଡ଼ି ଗଡ଼ିଗଲା ରାଜଧାନୀ

କଟକ: ପୁଣି ଅଳ୍ପକେ ବର୍ତ୍ତିଗଲେ ଶତାଧିକ ରେଳ ଯାତ୍ରୀ। କାଠଯୋଡ଼ି ରେଳ ପୋଲ ଉପରେ ଆଜି ରାଜଧାନୀ ଏକ୍ସପ୍ରେସ୍‌ର ଇଂଜିନ ୧୪ଟି ବଗିକୁ ଛାଡ଼ି ଆଗକୁ ଗଡ଼ିଯାଇଥିଲା। ଏଭଳି ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଇଞ୍ଜିନ ସହିତ ବଗିକୁ ସ˚ଯୋଗ କରାଯିବା ପରେ ପ୍ରାୟ ୫ ଘଣ୍ଟା ବିଳମ୍ବରେ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ ଯାତ୍ରୀଙ୍କୁ ନେଇ କଟକ ଷ୍ଟେସନ ଆଡକୁ ଗଡ଼ିଥିଲା। ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ଯାଞ୍ଚ କରାଯିବା ସହ ଦୁଇଟି ବଗିକୁ ବାଦ ଦେଇ ଟ୍ରେନ ଦିଲ୍ଲୀ ଯାଇଥିଲା। କିନ୍ତୁ ଏ ପ୍ରକାର ତ୍ରୁଟି ପାଇଁ ଖୋର୍ଧା ରୋଡ୍‌ ଡିଭିଜନ୍‌ର ଡିଆର‌୍‌ଏମ୍‌ ବ୍ରିଜମୋହନ ଅଗ୍ରଵାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ତିନି ଜଣିଆ କମିଟି ଗଠନ କରାଯାଇଥିବା ବେଳେ ଟିମ୍‌ ଏବେ ତଦନ୍ତ ଆରମ୍ଭ କରିଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ପରିସ୍ଥିତିରେ ଇଞ୍ଜିନରୁ ବଗି ଅଲଗା ହୋଇଗଲା, ସେ ନେଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ୧୭ଟି ବଗି ବିଶିଷ୍ଟ ରାଜଧାନୀ ଏକ୍ସପ୍ରେସ୍‌(୨୨୮୨୩) ଆଜି ସକାଳ ପ୍ରାୟ ୯ଟା ୫୦ ବେଳେ କାଠଯୋଡ଼ି ବ୍ରିଜ ଉପରେ ୧୪ଟି ବଗିକୁ ଛାଡ଼ି ଅବଶିଷ୍ଟ ୩ଟି ଇଞ୍ଜିନ ସହିତ ଆଗକୁ ଗଡ଼ିଯାଇଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମରାମତି କରିବାକୁ ମେକାନିକ୍‌ ପହଞ୍ଚି ଯାଞ୍ଚ କରିଥିଲେ। ଇଞ୍ଜିନ ସହିତ ବି/୧, ବି/୨ ଏବ˚ ବି/୩ ବଗି ଲାଗି ରହିଥିବା ବେଳେ ବି/୪ରୁ ଜେନେରେଟର‌୍‌ କାର‌୍‌ ପର୍ଯ୍ୟନ୍ତ ବଗି ପୃଥକ ହୋଇଯାଇଥିଲା। ପୃଥକ ହୋଇଥିବା କୋଚ୍‌ଗୁଡ଼ିକୁ ଇଞ୍ଜିନ ସହିତ ସ˚ଯୋଗ କରାଯିବା ପରେ ୧୦ଟା ୪୦ରେ କଟକ ରେଳ ଷ୍ଟେସନକୁ ଟ୍ରେନ୍‌ ଆସିଥିଲା। ବି/୩ ଏବ˚ ବି/୪ ବଗିକୁ ରାଜଧାନୀ ଏକ୍ସପ୍ରେସ୍‌ରୁ ସମ୍ପୂର୍ଣ୍ଣ ଅଲଗା କରାଯାଇ ନୂଆ ବଗି ସ˚ଯୋଗ କରାଯାଇଥିଲା। ବି/୩ରେ ଥିବା ୩୯ ଯାତ୍ରୀ ଏବ˚ ବି/୪ରେ ଥିବା ୨୦ ଯାତ୍ରୀ ଓ ତାଙ୍କ ଲଗେଜ୍‌ଗୁଡ଼ିକୁ ନୂତନ ବଗିକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୫ ଘଣ୍ଟା କାଳ ମରାମତି କାର୍ଯ୍ୟ ଶେଷ ହେବା ପରେ ଅପରାହ୍ନ ପ୍ରାୟ ୨ଟା ୪୦ ବେଳକୁ ରାଜଧାନୀ ଏକ୍ସପ୍ରେସ୍‌ ଦିଲ୍ଲୀ ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଥିଲା। ଅନ୍ୟପଟେ ଖୋର୍ଧା ରୋଡ୍‌ ଡିଭିଜନ୍‌ର ଡିଆର‌୍‌ଏମ୍‌ ବ୍ରିଜମୋହନ ଅଗ୍ରଵାଲ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତଟ ରେଳବାଇର ମେକାନିକାଲ୍‌ ଡିପାର୍ଟମେଣ୍ଟ, ଅପରେଟି˚ ଡିପାର୍ଟମେଣ୍ଟ ଏବ˚ ସେଫଟି ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ପାଇଁ ଗଠନ ହୋଇଥିବା ଟିମ୍‌ରେ ସାମିଲ ହୋଇଛନ୍ତି। କୌଣସି ଅବହେଳା ସାମ୍‌ନାକୁ ଆସିଲେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆର‌୍‌ଏମ୍‌ଙ୍କ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୫ ଅଗଷ୍ଟ ୬ ତାରିଖରେ ନରାଜ ମାର୍ଥାପୁର ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ତାଳଚେରରୁ କୋରାପୁଟର ଜାମନଜୋଡ଼ିକୁ କୋଇଲା ଚାଲାଣ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ କାଠଯୋଡ଼ି ଷ୍ଟେସନ୍‌ ନିକଟରେ ଭୁବନେଶ୍ବର-ଭଦ୍ରକ ଡିଏମ୍‌ୟୁ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଦୁଇ ଜିଆର‌୍‌ପି ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ସେପ୍ଟେମ୍ବର ୩ ତାରିଖରେ ଝାରସୁଗୁଡ଼ାରୁ ଆସୁଥିବା ଏକ ମାଲ୍‌ବୋଝେଇ ଟ୍ରେନ୍‌ର ତିନିଟି ଵାଗନ ଶିଖରପୁର ଲେବଲ୍‌ କ୍ରସି˚ ନିକଟରେ ଲାଇନ୍‌ଚ୍ୟୁତ ଘଟିଥିଲା। ୨୦୧୭ ସେପ୍ଟେମ୍ବର ୨୭ ତାରିଖରେ ନିର୍ଗୁଣ୍ଠି ରେଳ ଷ୍ଟେସନ୍‌ ନିକଟରେ ସାର ବୋଝେଇ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ପ୍ରାୟ ୧୬ ଵାଗନ୍‌ ରେଳ ଧାରଣା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଟ୍ରେନ ବିଶାଖାପାଟଣାରୁ ଆସାମ ଯାଉଥିଲା। ୨୦୧୮ ମେ ୧୪ ତାରିଖରେ ହାୱଡା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌ କଟକ ଷ୍ଟେସନ୍‌ରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଗୋଟିଏ ବଗିର ଆଲୁମିନିୟମ ପ୍ଲେଟ୍‌ ଖସିପଡ଼ିଥିଲା।

ସମ୍ବନ୍ଧିତ ଖବର