କେନ୍ଦ୍ରାପଡ଼ା: ରାଜନଗର ବଡ଼କୁଦ ଗାଁ ଜଗନ୍ନାଥ ମନ୍ଦିରରୁ ଚୋରି

କେନ୍ଦ୍ରପଡ଼ା: ଗତ ରାତି ପାହାନ୍ତା ପୂର୍ବରୁ ରାଜନଗର ଥାନା ଅନ୍ତର୍ଗତ ବଡ଼କୁଦ ଗାଁ’ର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ସକାଳୁ ପୂଜକ ଦେଖିବା ପରେ ଚୋରି ହୋଇଥିବା ଖବର ଜଣାପଡ଼ିଥିଲା।

ବଡ଼କୁଦ ଗାଁ’ର ଅକ୍ଷୟ ରାଉତଙ୍କ ଜମିରେ ତୋଳା ଯାଇଥିବା ଜଗନ୍ନାଥ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ମଥାରୁ ସୁନା ଚିତା ଏବଂ ଅନ୍ୟାନ୍ୟ ରୁପା ଅଳଙ୍କାର ଚୋରାଇ ନେଇଛନ୍ତି। ତା’ପରେ ବେଢ଼ାରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରୁ ସେମାନେ ସୁନା ମୁକୁଟ, ରୁପା ବଂଶୀ ଏବଂ ଅନ୍ୟାନ୍ୟ ରୁପା ଅଳଙ୍କାର ନେଇ ଯାଇଛନ୍ତି।

ଦୁର୍ବୃତ୍ତମାନେ ମନ୍ଦିରର ହୁଣ୍ଡିକୁ ସେଠାରୁ ଅଧକିଲୋମିଟର ଦୂର ହଂସୁଆ ନଈକୂଳକୁ ନେଇ ଯାଇ ଭାଙ୍ଗିଥିଲେ। ଗ୍ରାମବାସୀଙ୍କ କହିବାନୁସାରେ ସେଥିରେ ଥିବା ଲକ୍ଷାଧିକ ଟଙ୍କା ନେଇଯିବା ପରେ ଖାଲି ହୁଣ୍ଡିଟିକୁ ନଈକୂଳରେ ଫିଙ୍ଗି ଦିଆ ଯାଇଛି।

ଖବର ପାଇ ରାଜନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର