୫୦ ବର୍ଷର ରେକର୍ଡ ଭାଙ୍ଗିଲା ବାହୁଡ଼ା ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ, ଶ୍ରୀଲକ୍ଷ୍ମୀ-ନାରାୟଣ ଭେଟକୁ ଭକ୍ତଙ୍କ ଅପେକ୍ଷା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ରବିବାର ୫୦ ବର୍ଷର ବାହୁଡ଼ା ଯାତ୍ରାର ରେକର୍ଡ ଅତିକ୍ରମ କରିଛି। ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ଶୀ ବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’ ଓ ଦେବୀ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ପହଞ୍ଚିଛି। ସଂସ୍କୃତି ଗବେଷକ ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ବଳଭଦ୍ରଙ୍କ ତାଳଧ୍ୱଜ ଅପରାହ୍ନ ୩ଟା ୩୦ରେ ଶ୍ରୀମନ୍ଦିର ସମ୍ମୁଖକୁ ପହଞ୍ଚିଥିବା ବେଳେ, ୨୦ ମିନିଟ ପରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଥିଲା। ଭକ୍ତମାନେ କହୁଥିଲେ ଶ୍ରୀଜିଉମାନେ ଜନ୍ମଦେବୀରୁ ରତ୍ନବେଦୀକୁ ଫେରିବା ପାଇଁ ବ୍ୟାକୁଳ ହୋଇ ପଡ଼ିଥିବାରୁ ଏଭଳି ଦେଖାଯାଇଛି। ପୁରୀର ବରିଷ୍ଠ ଓ ବୁଦ୍ଧଜୀବୀଙ୍କ କହିବା ଅନୁସାରେ ୫୦ ବର୍ଷର ଇତିହାସରେ ଅପରାହ୍ନ ୪ଟା ପୂର୍ବରୁ ୨ଟି ରଥ ପହଞ୍ଚି ନଥିଲା।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ୪ଟାରେ ରଥ ଟଣା ଯିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶ୍ରୀନହର ସମ୍ମୁଖକୁ ପହଞ୍ଚି ସାରିଛି। ଆଉ କିଛି ସମୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଶ୍ରୀଲକ୍ଷ୍ମୀ ନାରାୟଣ ଭେଟ ହେବ। ଏହା ପରେ ନନ୍ଦିଘୋଷ ସିଂହଦ୍ୱାର ଅଭିମୁଖେ ଗଡ଼ିବ। ବହୁ ପ୍ରତିକ୍ଷୀତ ଏହି ଭେଟ ଦେଖିବାକୁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି।

ଶ୍ରୀଜିଉମାନେ ରଥଯାତ୍ରା ସମୟରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀମନ୍ଦିରରୁ ବାହାରି ଥିଲେ। ଚଳିତ ମାସ ଜୁଲାଇ ୧୪ରେ ହୋଇଥିବା ରଥଯାତ୍ରା ଦିନ ତାଳଧ୍ୱଜ ଓ ଦର୍ପଦଳନ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ରଥ ପହଞ୍ଚି ଯାଇଥିଲା।

ସମ୍ବନ୍ଧିତ ଖବର