କେନ୍ଦୁଝର : ଗୋଦାମରେ ପଶୁନି ଚାଉଳ! ଗାଡ଼ିରୁ ଗାଡ଼ିକୁ ଚାଉଳ ଉଠାଇ ପଞ୍ଚାୟତକୁ ଯାଉଛି

କେନ୍ଦୁଝର : ରାଇସ ମିଲରୁ ଚାଉଳ ଆସି ରାଇସ ରିସିଭିଙ୍ଗ ସେଣ୍ଟର ଗୋଦାମରେ ପହଞ୍ଚୁନି। ଏହି ଗୋଦାମ ଗୃହ ସମ୍ମୁଖରେ ଗାଡ଼ିରୁ ଗାଡ଼ିକୁ ଉଠାଯାଇ ସିଧାସଳଖ ପଞ୍ଚାୟତକୁ ପଠାଇ ଦିଆଯାଉଛି। ଗୋଦାମ ଘରେ ଚାଉଳ ରହିବା ନିମନ୍ତେ ଅନଲୋଡିଂ ଓ ପରବର୍ତ୍ତୀ ସମୟରେ ତାହା ପଞ୍ଚାୟତକୁ ଯିବା ପାଇଁ ଲୋଡିଂ ବାବଦ ଖର୍ଚ୍ଚ ମିଲ୍‌ ମାଲିକଙ୍କଠୁ ଆରମ୍ଭ କରି ପରିବହନ ସଂସ୍ଥା ଓ ଯୋଗାଣ ବିଭାଗ ଅଧିକାରୀ ଚଳୁ କରି ଦେଉଛନ୍ତି। ଏହି ଚାଉଳ ଅଦଳବଦଳର ଲୋଡିଂ ଅନ୍‌ଲୋଡିଂ ଖର୍ଚ୍ଚ ଅଳ୍ପ ଜଣାପଡ଼ୁଥିଲେ ବି ଏହା ଲକ୍ଷଲକ୍ଷ ଟଙ୍କାର କାରବାର। ଏଥିପାଇଁ ଏକ ରୢାକେଟ କାମ କରୁଥିବା ଆଭାସ ମିଳିଛି।

ଗତକାଲି ମଣ୍ଡୁଆସ୍ଥିତ ଗୋଦାମ ସମ୍ମୁଖରେ ରାଇସ ମିଲରୁ ଆସିଥିବା ଚାଉଳକୁ ଅନ୍ୟଏକ ଟ୍ରକରେ ଲୋଡ୍‌ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ଏଭଳି ଏକ ଦୃଶ୍ୟମାନ ହେଉ ନ ଥିବା ଦୁର୍ନୀତି ସମ୍ପର୍କରେ ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲାରେ ରହିଛି ୧୩ଟି ରାଇସ ମିଲ୍‌। ଏହାବ୍ୟତୀତ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଆଦି ଅଞ୍ଚଳରୁ ବଡ଼ବିଲ, ଚମ୍ପୁଆ, ଝୁମ୍ପୁରା, ପିଇଜି ଗୋଦାମ ଗୁମୁରା ଓ ମଣ୍ଡୁଆ ଆର୍‌ଆର୍‌ସି ଗୋଦାମକୁ ଚାଉଳ ଆସିଥାଏ। ନିୟମ ଅନୁସାରେ, ବିଭିନ୍ନ ମିଲ୍‌ରୁ ଚାଉଳ ଆସିବା ପରେ ମାନ ନିର୍ଦ୍ଧାରଣ ଓ ପରିମାଣ ଯାଞ୍ଚ କରିବା ପରେ ଉକ୍ତ ଚାଉଳକୁ ଗୋଦାମ ଘରେ ରଖାଯାଇଥାଏ। ପରେ ଜିଲ୍ଲାର ସମସ୍ତ ପଞ୍ଚାୟତ, ହଷ୍ଟେଲ ଓ ରିଟେଲର ପଏଣ୍ଟକୁ ଆବଶ୍ୟକତା ଅନୁଯାୟୀ ଯୋଗାଣ ହୋଇଥାଏ। କେନ୍ଦୁଝରରେ ଥିବା ଆର୍‌ଆର୍‌ସିଗୁଡ଼ିକରେ ଏସବୁ ନିୟମକୁ ପାଳନ କରାଯାଉନାହିଁ। ଅର୍ଥାତ ବିଭିନ୍ନ ମିଲ୍‌ରୁ ‌ଯେଉଁ ଚାଉଳ ଆର୍‌ଆର୍‌ସିକୁ ଆସୁଛି, ତାହା ଗୋଦାମରେ ଗଚ୍ଛିତ ନହୋଇ ସିଧାସଳଖ ବିଭିନ୍ନ ପଞ୍ଚାୟତକୁ ଯାଉଛି।

ଅଭିଯୋଗ ଅନୁସାରେ, ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସଲାସୁତୁରାରେ ଏଭଳି କାରବାର ନିୟମିତ ଚାଲୁଛି। ରାଇସ ମିଲରୁ ଆସୁଥିବା ଚାଉଳ ଗୋଦାମରେ ନିୟମ ମୁତାବକ ଗଚ୍ଛିତ ନରଖି ସିଧାସଳଖ ଗାଡ଼ିରୁ ଗାଡ଼ିକୁ ଲୋଡିଂ ଓ ଅନଲୋଡିଂ କରି ପଞ୍ଚାୟତ ଓ ବିଦ୍ୟାଳୟଗୁଡ଼ିକୁ ଯୋଗାଣ କରାଯାଉଥିବା ଜଣାପଡ଼ିଛି। ଗୋଦାମ ଭିତରେ ପ୍ରବେଶ ନକରିବା ଦ୍ବାରା ଖାଦ୍ୟଶସ୍ୟର ପରିମାଣ ଓ ମାନ ନିର୍ଦ୍ଧାରଣ ହୋଇପାରୁନାହିଁ। ସରକାରୀ କାଗଜପତ୍ରରେ ଏସବୁ କାର୍ଯ୍ୟ ସମ୍ପାଦନ ହୋଇଥିବା ଦର୍ଶାଯାଉଥିଲେ ମଧ୍ୟ ବାସ୍ତବରେ ଏହା ହେଉନାହିଁ। ଗାଡ଼ିରୁ ଗାଡ଼ିକୁ ଚାଉଳ ଉଠାଇ ପଠାଯିବା ସଂପର୍କରେ ଆମେ ଜଣେ ଅବସରପ୍ରାପ୍ତ ଯୋଗାଣ ଅଧିକାରୀଙ୍କୁ ପଚାରିଥିଲୁ। ସେ କହିଥିଲେ, ଗୋଦାମରେ ଚାଉଳ ଅନଲୋଡିଂ କରିବା ପାଇଁ ଏବଂ ପୁନର୍ବାର ପଞ୍ଚାୟତକୁ ପଠାଯାଉଥିବା ଚାଉଳ ଲୋଡ୍‌ କରିବା ପାଇଁ କ୍ୱିଣ୍ଟାଲ ପିଛା ୮ ଟଙ୍କା ମିଳିଥାଏ। ଯଦି ଏହାକୁ ଓହ୍ଲାଇ ଗୋଦାମରେ ଭର୍ତ୍ତି କରିବା ଓ ପ‌ରବର୍ତ୍ତୀ ସମୟରେ ଆଉଥରେ ଟ୍ରକରେ ଲଦିବା କାମ କରା ନ ଯାଏ, ତେବେ ପାଖାପାଖି ୬ ଟଙ୍କାର ମୁନାଫା ରହିଥାଏ। ଟ୍ରକରୁ ଗୋଦାମକୁ ନେବା ଓ ପୁଣି ଗୋଦାମରୁ ନେଇ ଟ୍ରକରେ ଲଦିବାରେ ଅଧିକ ପରିଶ୍ରମ ହୋଇଥାଏ। ମାତ୍ର ଟ୍ରକ ପଛ‌େ ଟ୍ରକ ଲଗାଇ ଚାଉଳ ଉଠାଇଲେ କମ୍‌ ସମୟରେ ଓ କମ୍‌ ପରିଶ୍ରମରେ ଏହି କାମ ହୋଇଥାଏ। ଶ୍ରମିକମାନେ ମାତ୍ର ୨/୩ ଟଙ୍କାରେ ଏହି ବସ୍ତା ଉଠାଇଥାନ୍ତି। ୮ ଟଙ୍କା ବଦଳରେ ୨/୩ ଟଙ୍କାରେ କାମ ହୋଇଯାଏ, କିନ୍ତୁ କାଗଜପତ୍ରରେ ଅନଲୋଡିଂ-ଲୋଡିଂର ବିଲିଂ ହୋଇଥାଏ। ଯୋଗାଣ ବିଭାଗ କର୍ମଚାରୀଙ୍କ ସମେତ ଏଥିରେ ସଂପୃକ୍ତ ଅନ୍ୟମାନେ ବି ଏହାର ଫାଇଦା ପାଇଥାନ୍ତି। ନିୟମ ମୁତାବକ ଗୋଦାମକୁ ନନେଇ ପରିବହନ କରାଯାଉଥିବାରୁ ଖାଉଟିମାନେ ଠିକ ପରିମାଣର ଓ ଉନ୍ନତମାନର ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ହୋଇଥାନ୍ତି। ମିଲରମାନେ ଖରାପ ଚାଉଳ ଯୋଗାଣ କରି ବେଶ୍‌ ଲାଭବାନ ହେଉଛନ୍ତି। ଏପରି କାର୍ଯ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଜ୍ଞାତସାରରେ ଦୀର୍ଘଦିନ ଧରି ଚାଲୁଛି।

ଉଲ୍ଲେଖଯୋଗ୍ୟ ଯେ ହରିଚନ୍ଦନପୁର ବ୍ଲକର ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତରେ ଠିକ୍‌ ଏହିଭଳି ଦୁର୍ନୀତି ହୋଇଥିଲା। ଏଠାରେ ୨୦୧୯ ଅଗଷ୍ଟ ୨୩ ତାରିଖରେ ଶ୍ୟାସ ସୁନ୍ଦର ରାଇସ ମିଲରୁ ଚାଉଳ ଗାଡ଼ି ପଣ୍ୟାଗାରକୁ ନ ଆସି ସିଧାସଳଖ ପଞ୍ଚାୟତକୁ ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଦୁଇଟି ପଞ୍ଚାୟତରେ ଗଚ୍ଛିତ ଥିବା ଚାଉଳ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ଦ୍ୱାରା ଜବତ ହୋଇଥିଲା। ଏହି ଘଟଣାରେ ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହୋଇ ଏବେ ବି ମାମଲା ବିଚାରାଧୀନ ଅଛି।

ସମ୍ବନ୍ଧିତ ଖବର