ଟଙ୍କିକିଆ ଚାଉଳ ପାଇଁ କଳି

ଭୁବନେଶ୍ୱର : ରାଜ୍ୟ ସରକାର ବାଣ୍ଟୁଥିବା ଟଙ୍କିକିଆ ଚାଉଳରେ କାହାର ଭାଗ କେତେ, ସେ ନେଇ ରାଜ୍ୟ ବିଜେପି ବ୍ୟାପକ ଅଭିଯାନ ଆରମ୍ଭ କରିଥିଲା। ଦୀର୍ଘ ଦେଢ଼ବର୍ଷ ପରେ ପୁଣି ଥରେ ଟଙ୍କିକିଆ ଚାଉଳ ନେଇ ରାଜନୀତି ଆରମ୍ଭ ହୋଇଛି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ଏ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଟଙ୍କିକିଆ ଚାଉଳ ରାଜ୍ୟ ସରକାରଙ୍କର ନୁହେଁ, ବରଂ ମୋଦିଙ୍କ ଚାଉଳ। ଜାଭଡେକରଙ୍କ ଏହି ମନ୍ତବ୍ୟ ଆଜି ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି। ମନ୍ତ୍ରୀଙ୍କ ଏଭଳି ଟିପ୍‌ପଣୀକୁ ନେଇ ବିଜେପି ନେତା ଉତ୍ସାହିତ।

ହେଲେ ବିଜେଡି ନେତାଙ୍କ ଦେହରେ ନିଆଁ ଫୋଡ଼ି ହୋଇଯାଇଛି। ନେତାମାନେ ଗର୍ଜିଛନ୍ତି ଓ ଏହାକୁ ନେଇ ବୟାନବାଜି ଆରମ୍ଭ ହୋଇଯାଇଛି। ବିଜେଡି କହିଛି, ମୋଦି କ’ଣ ଘରୁ ଆଣି ଚାଉଳ ଦେଉଛନ୍ତି? ୨୦୦୮ରୁ ଚାଉଳ ଯୋଜନା ଆରମ୍ଭ ହେଲାଣି, ମୋଦି କେଉଁଠି ଥିଲେ? କଂଗ୍ରେସ ବି ଏ ପ୍ରସଙ୍ଗରେ ଚୁପ୍‌ ବସିନି।

୨୦୦୮ ମସିହାରୁ ରାଜ୍ୟ ସରକାର ଦୁଇଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଏହାକୁ ଏକ ଟଙ୍କାକୁ କମାଇ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସପକ୍ଷରେ ହେଉଥିବା ଭୋଟ୍‌ ପଛର ଏହା ଏକ ବଡ଼ କାରଣ ବୋଲି କୁହାଯାଉଛି।

ଅତୀତରେ ଉପା ସରକାର ସମୟରେ କଂଗ୍ରେସ ନେତାମାନେ ବି ଏ ନେଇ ଆପତ୍ତି ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ଶ୍ରେୟ ଏଥିରେ ଅଧିକ ବୋଲି କୁହାଯାଇଥିଲା। ତା ସତ୍ତ୍ୱେ ୨୦୧୪ ନିର୍ବାଚନରେ ଏହି ପ୍ରସଙ୍ଗ ପ୍ରଭାବ ରଖିନଥିଲା। ହେଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ବିଜେପି ପୁଣି ଥରେ ଏହି ପ୍ରସଙ୍ଗ ନେଇ ଆରମ୍ଭ କରିଥିଲା ଆନ୍ଦୋଳନ।

ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓଡ଼ିଶା ଗସ୍ତରେ ଆସିବା ଅବସରରେ କହିଛନ୍ତି, ୧ ଟଙ୍କିଆ ଚାଉଳ ରାଜ୍ୟ ସରକାରଙ୍କର ନୁହେଁ, ଏହା ମୋଦିଙ୍କର ଚାଉଳ। ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର ୨୭ ଟଙ୍କା ଦେଉଛନ୍ତି, କିନ୍ତୁ ମାତ୍ର ୨ ଟଙ୍କା ଦେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହରଣ କରି ବାହାବା ନେଉଛନ୍ତି। ଜାଭଡେକର କହିଥିଲେ, ନବୀନଙ୍କ ବିଶେଷତ୍ୱ ହେଉଛି ଅନ୍ୟର ଯୋଜନାକୁ ପରିବର୍ତନ କରୁଛନ୍ତି ଓ ନିଜ ଯୋଜନା ବୋଲି କହି ଲୋକଙ୍କ ପାଖକୁ ଯାଉଛନ୍ତି। ତେବେ ରାଜ୍ୟ ସରକାର ଅସମର୍ଥ, ଲୋକେ ଏକଥା ଜାଣିସାରିଲେଣି।

ପ୍ରକାଶ ଜାଭଡେକରଙ୍କ ଏହି ବୟାନ ପରେ ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଛି। ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, କେନ୍ଦ୍ର ସରକାର ଚାଉଳକୁ ନେଇ ରାଜନୀତି କରୁଛନ୍ତି। ସରକାର ଭୁଲି ଯାଉଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ଚାଉଳ ଉପରେ ରାଜ୍ୟକୁ ରିହାତି ଦେବାକୁ କେନ୍ଦ୍ର ସରକାର ବାଧ୍ୟ। ଏବଂ ସେହି ଆଇନ ଆଧାରରେ କେନ୍ଦ୍ର ସରକାର ଚାଉଳ ପାଇଁ ୨୭ ଟଙ୍କା ଦେଉଛନ୍ତି ଓ ରାଜ୍ୟ ସରକାର ୨ ଟଙ୍କା ଦେଉଛନ୍ତି। ଏହି ଯୋଜନାରେ ହିତାଧିକାରୀ ବି ଟଙ୍କାଟିଏ ଦେଉଛି।

ସେ କହିଥିଲେ ଯେ କେନ୍ଦ୍ର ଚାଉଳ ଦେବାକୁ ବାଧ୍ୟ। ଏହି ରିହାତି ଦେଇ ରାଜ୍ୟ ସରକାରଙ୍କ ଉପରେ କେହି ଦୟା କରୁନାହାନ୍ତି। ଏହା ଆମର ହକ୍‌। ନା ମୋଦି ଏ ଚାଉଳ ଦେଉଛନ୍ତି ନା ବିଜେପି ନିଜ ଦଳରୁ ଏ ଚାଉଳ ଦେଉଛି। ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀ ମୋଦି ଚାଉଳ କହି ରାଜନୀତିକରଣ କରୁଛନ୍ତି।

ଏହି ଟଙ୍କିକିଆ ଚାଉଳ ରାଜନୀତିରେ ଉଭୟ ବିଜେଡି ଓ ବିଜେପିକୁ ଘେରିଛି କଂଗ୍ରେସ। ଉଭୟ କେନ୍ଦ୍ର ଓ ରାଜ୍ୟ ଟଙ୍କିକିଆ ଚାଉଳକୁ ନେଇ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଟଙ୍କିକିଆ ଚାଉଳ ନା ମୋଦିଙ୍କର ନା ନବୀନଙ୍କର। ଏହା କ’ଣ କାହା ପୈତୃକ ସମ୍ପତ୍ତି ? ଉପା ସରକାର ବେଳେ ଖାଦ୍ୟ ସୁରକ୍ଷା ଆଇନ୍‌ ତିଆରି ହୋଇଥିଲା। ସେହି ନିୟମ ଅନୁଯାୟୀ, ସେ ସମୟରେ କେନ୍ଦ୍ର ସରକାର ୩ ଟଙ୍କାରେ ରାଜ୍ୟକୁ ଚାଉଳ ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ପ୍ରସଙ୍ଗ କିନ୍ତୁ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମହଲ କହିବା କଥା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ସମସ୍ୟାଠାରୁ ଦୂରେଇ ଯାଇ ଏଭଳି ବୟାନବାଜି ଚଳାଇଛନ୍ତି ଖାସ୍‌ ଏଇଥିପାଇଁ ଯେ ଉଭୟଙ୍କର ଦୁର୍ବଳତା ଲୁଚିଯିବ। ଅସଲକଥା, ଓଡ଼ିଶା ଯେତିକି ଗୁରୁତ୍ୱ ପାଇବା କଥା, କେନ୍ଦ୍ର ସରକାରଙ୍କ ନଜରରେ ପାଉନି। ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ବିକାଶ ଦିଗରେ ଯେଭଳି ନିଷ୍ଠା ଓ ଆନ୍ତରିକତା ପ୍ରକଟ କରିବା କଥା ସେଥିରେ ଅସମ୍ଭବ ଅଭାବବୋଧ ପରିଲକ୍ଷିତ ହେଉଛି। ଏଣୁ ଉଭୟ କ୍ରମାଗତ ବ୍ୟବଧାନରେ ଅଣ ପ୍ରସଙ୍ଗକୁ ପ୍ରସଙ୍ଗ କରି ଲୋକଙ୍କ ଦୃଷ୍ଟିରେ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର