କେନ୍ଦ୍ରକୁ ଘାରିଛି ନଦୀ ସଂଯୋଗୀକରଣ ଭୂତ : ଓଡ଼ିଶାର ୮ ଜିଲ୍ଲାର ଶହେ ଗାଁ କୁ ବିପଦ

0 204

ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ସୁରକ୍ଷା ଅଭିଯାନ ଆସନ୍ତାକାଲି ଶେଷ ହେବ। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ଦିନକ ପୂର୍ବରୁ ପାରାଦୀପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ଟାଣିବେ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି ଏହା ଉପରେ ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ମାତ୍ର ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହକୁ ସୁନିଶ୍ଚିତ କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା କେନ୍ଦ୍ର ସରକାରଙ୍କ ମୁଣ୍ଡରୁ ନଦୀ ସଂଯୋଗୀକରଣ ଭୂତ ଓହ୍ଲାଇନାହିଁ, ଏକଥା ଏବେ ପଦାକୁ ଆସିଲାଣି। ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ପ୍ରସ୍ତାବରେ ହଁ ମାରିବା ଲାଗି କେନ୍ଦ୍ର ସରକାର ଗୋଟିଏ ପଟେ ଓଡ଼ିଶା ଉପରେ ଚାପ ସୃଷ୍ଟି କରିଚାଲିଥିବା ବେଳେ ଅନ୍ୟପଟରେ ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଡ୍ରୋଲୋଜି ଏହାର ପ୍ରଭାବ ଆକଳନ କାର୍ଯ୍ୟ ଜାରି ରଖିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୧୯୮୧ ମସିହା ରିପୋର୍ଟ ଆଧାରରେ ଏହି ଆକଳନ କରାଯାଉଥିବାରୁ ରାଜ୍ୟ ସରକାର ଏହାକୁ ବିରୋଧ କରିଛନ୍ତି। ଇତିମଧ୍ୟରେ ନଦୀରେ ଜଳପ୍ରବାହ କେବଳ କମିଛି ତା ନୁହେଁ, ଛତିଶଗଡ଼ ନୂଆ ରାଜ୍ୟ ଭାବେ ଉଭା ହୋଇଛି। ଛତିଶଗଡ଼ ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରିଥିବା ପରିପ୍ରେକ୍ଷୀରେ ନୂଆ ବିବାଦ ମୁଣ୍ଡ ଟେକିଲାଣି। ଏଣୁ ୧୯୮୧ ମସିହା ରିପୋର୍ଟ ଆଧାରରେ ଅନୁଧ୍ୟାନ ନ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି।

ତେବେ ମହାନଦୀରେ ଜଳ ପ୍ରବାହକୁ ନିଶ୍ଚିତ କରିବା ଲାଗି ଓଡ଼ିଶାରେ ଜନମତ ତୀବ୍ର ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ମାନସିକତା ରାଜ୍ୟ ପାଇଁ ଆଉ ଏକ ବଡ଼ ବିପଦ ଟାଣି ଆଣିପାରେ।

ଉଲ୍ଲେଖଯୋଗ୍ୟ, ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା ପ୍ରକଳ୍ପକୁ ନେଇ ମହାନଦୀ ଏବେ ବିତର୍କ ଭିତରେ ଅଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଟ୍ରିବ୍ୟୁନାଲ ଗଠନ କରାଯାଇଥିବା ବେଳେ ଛତିଶଗଡ଼ର ବିବାଦୀୟ ପ୍ରକଳ୍ପ କାମ ବନ୍ଦ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତି। ମାତ୍ର ପ୍ରକଳ୍ପ ନିର୍ମାଣ କାମ ବନ୍ଦ ଲାଗି ନିର୍ଦେଶ ଦେବା ତ ଦୂରର କଥା ଓଲଟା ପ୍ରଧାନମନ୍ତ୍ରୀ ୩ କୋଟି ଓଡ଼ିଆଙ୍କ ସ୍ୱାର୍ଥ ସମ୍ବଳିତ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଏଯାଏ ନିରବ ରହିଛନ୍ତି। ପୂର୍ବରୁ ରାଜ୍ୟର ଏ ପ୍ରସ୍ତାବକୁ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲା।

Panda Mobile only

ଛତିଶଗଡ଼ରେ ବିଜେପି ସରକାର ଥିବା ପରିପ୍ରେକ୍ଷୀରେ କେନ୍ଦ୍ର ଓଡ଼ିଶା ପ୍ରତି ଏଭଳି ପାତରଅନ୍ତର ମନୋଭାବ ପ୍ରକଟ କରୁଥିବା ବିଜେଡି ଅଭିଯୋଗ କରି ଆସୁଛି। ବିଭିନ୍ନ କାର୍ଯ୍ୟକ୍ରମ ଆଳରେ ଏ ପ୍ରସଙ୍ଗକୁ ଲୋକଙ୍କ ନିକଟକୁ ନେଲାଣି। କଂଗ୍ରେସ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛି। ହେଲେ ମହାନଦୀରେ ଜଳାଭାବ କଥା ଜାଣି ବି ନଦୀ ସଂଯୋଗୀକରଣ ଜିଦ୍‌ରେ ଅଟଳ ଅଛନ୍ତି କେନ୍ଦ୍ର ସରକାର।

ଏଠାରେ ସ୍ମରଣ କରାଯାଇପାରେ, ରାଜ୍ୟ ଜଳସଂପଦ ବିଭାଗ ତା’ ରିପୋର୍ଟରେ ଦର୍ଶାଇଛି ଯେ ୨୦୫୧ ବେଳକୁ ରାଜ୍ୟର ପ୍ରମୁଖ ୧୧ଟି ନଦୀ ଶଯ୍ୟାରେ ଜଳାଭାବ ଉତ୍କଟ ହେବ। ୧୯୯୭-୯୮ ପରିସଂଖ୍ୟାନକୁ ଆଧାର କରି ବିଶେଷଜ୍ଞମାନେ ଏ ରିପୋର୍ଟ ପ୍ରସ୍ତୁତ କରିଥିଲେ।

ଏମିତିରେ ବି ମହାନଦୀ ଗୋଦାବରୀ ନଦୀ ସଂଯୋଗୀକରଣ ନେଇ କେନ୍ଦ୍ର ସରକାର ଯେଉଁ ଦୁଇଟି ସର୍ତ ରଖିଛନ୍ତି, ତାହା ବର୍ତମାନ ପରିପ୍ରେକ୍ଷୀରେ ବାସ୍ତବବାଦୀ ନୁହେଁ ବୋଲି ବିଶେଷଜ୍ଞମାନଙ୍କର ମତ। କାରଣ ନଦୀ ସଂଯୋଗୀକରଣ ନେଇ ପ୍ରଥମ ପ୍ରସ୍ତାବରେ କେନ୍ଦ୍ର ସରକାର କହିଥିଲେ, ମହାନଦୀର ମଣିଭଦ୍ରା ଓ ବରମୂଳରେ ଦୁଇଟି ବ୍ୟାରେଜ୍‌ ନିର୍ମାଣ ହେବ ଓ ଅନ୍ୟ ଦୁଇଟି ସ୍ଥାନ ଯଥା ରାଉଳ ଓ ବାଗ୍‌ ଅଞ୍ଚଳରେ ଜଳ ସଂରକ୍ଷଣ କରାଯିବ। ଏହା କାର୍ଯ୍ୟକାରୀ ହେଲେ ୨୩ ହଜାର ୩୪୯ ହେକ୍ଟର ଅଞ୍ଚଳ ବୁଡିଯାଇପାରେ। ୮୨୮ କିଲୋମିଟର ଦୀର୍ଘ କେନାଲ ଖୋଳାଯିବା ଆବଶ୍ୟକ ପଡିବ। ଏଥିରେ ୨ଲକ୍ଷ ୩୧ ହଜାର ୯୩ ହେକ୍ଟର ଜମି ଜଳସେଚିତ ହେବ ଓ ୮୪୯ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ।

ଦ୍ୱିତୀୟ ବିକଳ୍ପ ପ୍ରସ୍ତାବରେ କେନ୍ଦ୍ର ସରକାର କହିଥିଲେ, ବରମୂଳରେ ବ୍ୟାରେଜ ନିର୍ମାଣ ହେବ ଓ ବାଗ୍‌, ସାଲ୍‌କି, ରାଉଳ, ଖାଡାଗୋ, ଉଦନ୍ତି ଏହଭଳି ୫ଟି ସ୍ଥାନରେ ଜଳ ସଂରକ୍ଷଣ ହେବ। ଏ ପ୍ରକଳ୍ପ ହେଲେ ୧୫ ହଜାର ୫୨୮ ହେକ୍ଟର ଅଞ୍ଚଳ ବୁଡିଯିବ। ୮୪୨ କିଲୋମିଟର କେନାଲ ନିର୍ମାଣ କରିବାକୁ ହେବ। ସମାନ ପରିମାଣର ଜଳସେଚିତ ହେବ ଓ ୧୦୩୯ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହେବ।

ବନ୍ୟା ନିୟନ୍ତ୍ରଣ ଓ ଜଳ ଅଭାବର ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରସ୍ତାବ ରଖିଛନ୍ତି ଯେ ବରମୂଳ-ଋଷିକୂଲ୍ୟା, ଇବ୍‌-ବ୍ରାହ୍ମଣୀ, ନାଗାବଳୀ-ଋଷିକୂଲ୍ୟା-ବଂଶାଧାରାରେ ବ୍ୟାରେଜ ନିର୍ମାଣ ହେବ ଓ ଅଙ୍ଗ୍‌, ଇବ୍‌ ଓ ଉପର ଲନ୍ଥରେ ଡ୍ୟାମ୍‌ କରାଯିବ।

ରାଜ୍ୟ ସରକାରଙ୍କର ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ମହାନଦୀରେ ବଳକା ପାଣି ନାହିଁ। କେବଳ ସେତିକି ନୁହେଁ, ରାଜ୍ୟ ସରକାର ଓଡ଼ିଶା ଭିତରେ ୧୯ଟି ଡ୍ୟାମ୍‌ ନିର୍ମାଣ ଲାଗି ୨୦ ବର୍ଷ ସମୟ ନେଲେଣି। ବିରୋଧ ଏତେ ହେଲା ଯେ ମହାନଦୀ ଉପରେ ସିଣ୍ଢୋଳ ଡ୍ୟାମ୍‌ ନିଷ୍ପତ୍ତିରୁ ସରକାର ଓହରିଯାଇଛନ୍ତି। ବାରମ୍ବାର ଉଦ୍ୟମ ସତ୍ତ୍ୱେ ମଣିଭଦ୍ରା ଉପରେ ଆଉ ଏକ ପ୍ରକଳ୍ପ ହୋଇପାରୁନାହିଁ। ଏବେ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଉଛନ୍ତି, ସେଥିରେ ସାତକୋଶିଆ ଅଭୟାରଣ୍ୟ ଉପରେ ପ୍ରଭାବ ପଡିବ। କେବଳ ସେତିକି ନୁହେଁ, ନୟାଗଡର ବରମୂଳରେ ପ୍ରକଳ୍ପ ହେଲେ ୧୨ଟି ଗାଁ ବୁଡିଯିବ। କଳାହାଣ୍ଡିର ରାଉଳ ଅଞ୍ଚଳରେ ହଜାରେ ହେକ୍ଟର, ନୂଆପଡାର ଉଦନ୍ତିରେ ବ୍ୟାରେଜ୍‌ ବା ଡ୍ୟାମ୍‌ ହେଲେ ୮ଟି ଗାଁର ୧୫ଶହ ହେକ୍ଟର ଜମି ଜଳ ଗର୍ଭକୁ ଚାଲିଯିବ। ବୌଦ୍ଧର ସାଲ୍‌କାରେ ମଧ୍ୟ ୧୧ଟି ଗାଁ ବୁଡିଯିବ। ସେହିଭଳି କନ୍ଧମାଳର ଖାଡାଗୋରେ ୧୯ଟି ଗାଁ, ବରଗଡର ଅଙ୍ଗ ପ୍ରକଳ୍ପ ପାଇଁ ୩୨ଟି ଗାଁ, ସୁନ୍ଦରଗଡର ଇବ୍‌ ପ୍ରକଳ୍ପ ପାଇଁ ୨୬ଟି ଗାଁ, ବଲାଙ୍ଗୀରର ଉପର ଲନ୍ଥରେ ୨ଟି ଗାଁ ବୁଡିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଂ। ବର୍ତମାନ ପରିସ୍ଥିତିରେ ଏତେ ବିସ୍ଥାପନ କରାଯିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଯୋଜନା ଓଡ଼ିଶା ପାଇଁ ଆହୁରି ଘାତକ ହୋଇପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.