ଟ୍ରକ ଧକ୍କାରେ ଝିଆରୀ ମୃତ, ବାପଝିଅ ଗୁରୁତର : ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ ଜାଳିଦେଲେ

ଯୋଡ଼ା : ଦଶରା’ ଖୁସି ଆଖିପିଛୁଳାକେ ମିଳାଇଗଲା। ପୋଷାକ କିଣିବାକୁ ଯାଉଥିଲାବେଳେ ଟ୍ରକ ଧକ୍କା ଦେବାରୁ ନାବାଳିକା ଝିଆରୀର ଜୀବନ ଚାଲିଗଲା। ବାପାଝିଅ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଧୀନ ଗୋବର୍ଦ୍ଧନପୁର ଗ୍ରାମ ରାସ୍ତାରେ ଆଜି ଅପରାହ୍‌ଣ ୪ଟାରେ ଏହି ଦୁର୍ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକଟିକୁ ଜାଳିଦେଇଛନ୍ତି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ମୃତ ନାବାଳିକା ହେଲେ ଚିମିଳା ଗ୍ରାମର ସାଗରିକା ମହାକୁଡ଼ (୧୩)। ଗୋବର୍ଦ୍ଧନପୁର ଗ୍ରାମର ବିଜୟ ମହାକୁଡ଼ଙ୍କର ସେ ସଂପର୍କୀୟ ଝିଆରୀ। ପର୍ବ ପାଇଁ ତାଙ୍କ ଘରକୁ ଆସିଥିଲେ। ଆଜି ଅପରାହ୍‌ଣରେ ବିଜୟ ତାଙ୍କ ଝିଅ ବିଦୁସ୍ମିତା (୧୧) ଓ ଝିଆରୀ ସାଗରିକାଙ୍କୁ ନେଇ ବାଇକ୍‌ (ଜେଏଚ୍‌ ୦୬ ପି- ୪୩୯୦) ରେ ଯୋଡ଼ା ଯାଉଥିଲେ। ଘରୁ ବାହାରିବା ପରେ ମାତ୍ର ଅଳ୍ପ କିଛି ଦୂରରେ ଏକ ଦଶ ଚକିଆ ଟ୍ରକ (ଓଡି ୦୯ ଜି- ୧୬୭୩) ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ସମସ୍ତେ ବିକ୍ଷିପ୍ତ ଭାବେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସାଗରିକାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ବାପାଝିଅଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

ଗ୍ରାମ୍ୟରାସ୍ତାରେ ଭାରୀଯାନ ଚଳାଚଳକୁ ଲୋକେ ବିରୋଧ କରିବା ସହ ଦୁର୍ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଯୋଡା ଥାନା ଆଇଆଇସି ମନୋଜ କୁମାର ରାଉତ ଓ ବିଲେଇପଦା ଫାଣ୍ତି ଅଧିକାରୀ ନରେଶ କୁମାର ଦାସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି। ବଡ଼ବିଲ ତହସିଲ୍‌ଦାର କ୍ଷୀରୋଦ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧିତ ଖବର