ଶ୍ରୀମନ୍ଦିର ପାଇଁ ୧୦୨ କୋଟିର ବଜେଟ୍

ପାଳିଆ ପୁରସ୍କାର ଓ ଦରମା ବାବଦକୁ ୩୮ କୋଟି, ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୬ କୋଟି, କର୍ପସ ଓ ଅନ୍ୟାନ୍ୟ ପାଣ୍ଠି ୭୦୦ କୋଟିକୁ ବୃଦ୍ଧି ଲକ୍ଷ୍ୟ

ପୁରୀ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଆଜି ପ୍ରସ୍ତୁତ ହୋଇଛି। ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ପାଇଁ ଶହେ କୋଟିରୁ ଅଧିକ ଟଙ୍କାର ବଜେଟ୍ ହୋଇଛି। କିଛି ଦିନ ତଳେ ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ପ୍ରସ୍ତୁତ କରିଥିବା ୧୦୨ କୋଟିର ବଜେଟ୍‌ ପ୍ରସ୍ତାବରେ ପରିଚାଳନା କମିଟି ମୋହର ମାରିଛି। ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ଏହି ବଜେଟ୍ ୨୪ କୋଟି ଅଧିକ ରହିଛି।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୭୮ କୋଟି ଟଙ୍କାର ବ୍ୟୟ ଅଟକଳକୁ ପରିଚାଳନା କମିଟି ମଂଜୁର କରିଛି। ଏଥିରେ ସେବାୟତ କଲ୍ୟାଣ ପାଣ୍ଠି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ୟୁନିଫର୍ମ ପଲିସିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଜମି ବିକ୍ରିରୁ ଶ୍ରୀମନ୍ଦିର ପ୍ରଶାସନ ସର୍ବାଧିକ ଆୟ ଲକ୍ଷ୍ୟ ରଖିଛି। ପୂର୍ବରୁ ୬୫୦ କୋଟିରେ ସୀମିତ ଥିବା କର୍ପସ ଓ ଅନ୍ୟାନ୍ୟ ପାଣ୍ଠିକୁ ୭୦୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି।

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବରୁ ଅର୍ଥ ସବ୍‌କମିଟି ପ୍ରସ୍ତୁତ କରିଥିବା ବଜେଟ୍ ଆଜିର ବୈଠକରେ ଉପସ୍ଥାପନ କରାଯାଇଥିଲା। ଅର୍ଥ ସବ୍‌କମିଟି ବିଭିନ୍ନ ଦିଗରୁ ଆୟକୁ ନେଇ ୧୦୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲା। ପୂର୍ବବର୍ଷ ତୁଳନାରେ ୨୦୧୯-୨୦ ଆର୍ଥିକ ବର୍ଷର ଆୟ ଅଟକଳ ଥିବାବେଳେ ପଥରଖଣି, ଜମିବିକ୍ରିରୁ ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥଙ୍କ ଜମିବିକ୍ରି ନେଇ ଯେଉଁ ୟୁନିଫର୍ମ ପଲିସି ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇଥିଲା, ତାହା ମଞ୍ଜୁର ହୋଇଛି। ଶ୍ରୀଜଗନ୍ନାଥଙ୍କ ଜମିବିକ୍ରିରୁ ୧୫ କୋଟି ଟଙ୍କା ଆୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି। ସେହିଭଳି ପୂର୍ବରୁ ଦାନ ଅର୍ଥରୁ ୪ କୋଟି ଟଙ୍କା ଆୟ ହେଉଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଏହାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି।

ବ୍ୟୟ ଉପରେ ନଜର ପକାଇଲେ ସର୍ବାଧିକ ୩୮ କୋଟି ଟଙ୍କା ସେବାୟତ, ପାଳିଆ ପୁରସ୍କାର ଓ କର୍ମଚାରୀଙ୍କ ଦରମା ବାବଦକୁ ଦିଆଯିବ। ସେବାୟତଙ୍କ ପାଇଁ ଶୌଚାଳୟ ନିର୍ମାଣ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ପ୍ରଚାରପ୍ରସାରରେ ଏହି ଟଙ୍କା ଖର୍ଚ୍ଚ କରାଯିବ। ସେବାୟତଙ୍କ ପାଇଁ ୧ କୋଟି ଟଙ୍କାର ଏକ କଲ୍ୟାଣ ପାଣ୍ଠି ବି ଗଠନ କରାଯାଇଛି। ସେହିଭଳି ଆଦର୍ଶ ଗୁରୁକୁଳ ପାଇଁ ସାଢ଼େ ୩ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ରାଜ୍ୟ ସରକାର ଏହି ଟଙ୍କା ଦେଇଛନ୍ତି। ବାକି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିବ।

ଚଳିତ ବର୍ଷ ରଥଯାତ୍ରା ବାବଦକୁ ୬ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି। ରଥଯାତ୍ରାରେ ପ୍ରତିବର୍ଷ ପ୍ରାୟ ୧୫ କ୍ବିଣ୍ଟାଲ ଚନ୍ଦନକାଠ ଆବଶ୍ୟକ ପଡ଼ୁଥିବାବେଳେ ଏ ବାବଦକୁ ଦେଢ଼କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସେହି ଅନୁସାରେ ରଥଯାତ୍ରା ଖର୍ଚ୍ଚ ବି ବଢ଼ିବାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର