କହୁ କହୁ କହିଦେଲେ ସମ୍ବିତ, ପୁରୀରେ କେବଳ ଶଙ୍ଖ ଫୁଟୁ

ପୁରୀରେ କେବଳ ଶଙ୍ଖ ଫୁଟୁ

ପୁରୀ: ପୁରୀ ଏକ ପବିତ୍ର ମାଟି। ଏଠାରେ ଗୁଳି ନଫୁଟୁ, ବୋମା ନଫୁଟୁ, କେବଳ ‘ଶଙ୍ଖ’ ହିଁ ଫୁଟୁ। ଏହା ହେଉଛି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ। ଭାବବିହ୍ବଳ ହୋଇ ଏଠାରେ ଶଙ୍ଖ ଫୁଟୁ ବୋଲି ସମ୍ବିତ କହୁ କହୁ କହି ଦେଇଥିଲେ। ଯାହା କେବଳ ଦଳୀୟ କର୍ମୀଙ୍କୁ ଆଚମ୍ବିତ କରିନି, ବାଟଘାଟରେ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଛି। ପୁରୀ ଲୋକସଭା ଆସନ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହେବା ପରେ ସମ୍ବିତ ସୋମବାର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ସମ୍ବିତ। କହିଲେ, ମୋର ଭାଗ୍ୟ ମୁଁ ଏଠାରେ ପହଞ୍ଚିଛି। ଗର୍ବ ଅନୁଭବ କରୁଛି। ମହାପ୍ରଭୁଙ୍କ ଶ୍ରୀଚରଣେ ନିଜକୁ ଶରଣାଗତ କଲି। ନରେନ୍ଦ୍ର ମୋଦୀଙ୍କ ପାଇଁ ପ୍ରାର୍ଥନା କଲି, ଅନେକ ବର୍ଷ ପରେ ଦେଶକୁ ଏପରି ପ୍ରଧାନମନ୍ତ୍ରୀ ମିଳିଛନ୍ତି। ମୋଦୀଙ୍କୁ ମଜବୁତ କରିବା ଓ ତାଙ୍କ ସରକାର ପୁନଃ ଆସିବାକୁ ପ୍ରାର୍ଥନା କରିଛି। ଜଗନ୍ନାଥଙ୍କୁ ଧନ୍ୟବାଦ ଦେଲି, ମହାପ୍ରଭୁ ମୋ କାଣି ଆଙ୍ଗୁଠି ଧରି ମୋତେ ଡାକି ଆଣିଛନ୍ତି। ନିର୍ବାଚନ ଲଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋତେ ନରେନ୍ଦ୍ର ମୋଦୀ ପଠାଇଛନ୍ତି। ମହାପ୍ରଭୁଙ୍କ ଆଦେଶ ଗ୍ରହଣ କରି ମୁଁ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛି।

ଶ୍ରୀ ପାତ୍ର ଆହୁରି କହିଥିଲେ, ଆଜି ମୁଁ ସିଂହଦ୍ବାରରେ ଛିଡ଼ା ହୋଇଛି। ଏହିଠାରୁ ଓଡ଼ିଆ ଜାତିକୁ ଆହ୍ବାନ ଦେଉଛି, ସମଗ୍ର ଓଡ଼ିଆ ଜାତି ସିଂହ ଭଳି ଗର୍ଜନ କରିବାକୁ ପଡ଼ିବ। ଆମ ଗୌରବମୟ ଇତିହାସକୁ ପୁନର୍ଜୀବିତ କରିବାକୁ ହେବ। ପୁରୀ ଭଳି ଆଧ୍ୟାତ୍ମିକ କ୍ଷେତ୍ର କାହାରି ଗଡ଼ ନୁହେଁ, ଏହା ମହାପ୍ରଭୁଙ୍କ ଗଡ଼। ଧର୍ମ ଓ ସତ୍ୟର ଗଡ଼। ଗତ ୧୯ ବର୍ଷ ଧରି ସତ୍ୟକୁ ଧ୍ବଂସ କରାଯାଇଛି, ଏଥର ପୁନଃଧର୍ମ ସ୍ଥାପନ ହେବ। ଏହି ମାଟିରେ କ୍ରାଇମ୍‌ ନହେଉ, ଗୁଳି ନଚାଲୁ, ବୋମା ଓ ବନ୍ଧୁକ ନଫୁଟୁ। କେବଳ ‘ଶଙ୍ଖ’ ଫୁଟୁ। ଏତିକି ମୋର ଇଚ୍ଛା ବୋଲି କହିଥିଲେ। ବିଜେପିର ‘ପଦ୍ମ’ ଫୁଟାଇବାକୁ ଆସିଥିବା ସମ୍ବିତଙ୍କ ପାଟିରୁ ‘ଶଙ୍ଖ’ ଫୁଟିବା କଥା ଶୁଣି ଦଳୀୟ କର୍ମୀମାନେ ବି ଦ୍ବନ୍ଦ୍ବରେ ପଡିଥିଲେ।

ସମ୍ବନ୍ଧିତ ଖବର