କୁନ୍ଦୁଲି ପୀଡିତାଙ୍କ ପରିବାରକୁ ଭେଟିଲେ ସାଂସଦ, ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ

କୋରାପୁଟ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ସେ ଆଜି ପୀଡିତାଙ୍କ ଗାଁକୁ ଯାଇ ତାଙ୍କ ମା’ ଓ ଭାଇଙ୍କ ସହ ଆଲୋଚନା କରିବା ସହ ପୀଡିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଚାଲିଥିବା ଲଢେଇ ଜାରି ରହିବ ବୋଲି କହିଛନ୍ତି। କୁନ୍ଦୁଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟରେ ପୁଲିସକୁ କ୍ଲିନ୍‌ଚିଟ ମିଳିଥିଲାବେଳେ ସାଂସଦଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ରଖୁଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳର ଜ‌ଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୦୧୭ ଅକ୍ଟୋବର ୧୦ ତାରିଖରେ ଯବାନ ପୋଷାକ ପିନ୍ଧିଥିବା ୪ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। କ୍ରାଇମ ବ୍ରାଂଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ ସରକାର। ତଦନ୍ତର ଫଳ ମିଳୁ ନ ଥିଲାବେଳେ ୨୦୧୮ ଜାନୁଆରି ୨୨ ତାରିଖରେ ପୀଡିତା ଜଣଙ୍କ ଆତ୍ମହତ୍ୟା କରିଥିଲେ। ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ କମିସନଙ୍କ ରିପୋର୍ଟ କିଛି ଦିନ ତ‌ଳେ ବିଧାନସଭାରେ ଉପସ୍ଥାପିତ ହୋଇଛି। ଏଥିରେ ପୀଡିତାଙ୍କୁ ଦୁଷ୍କର୍ମ କରାଯାଇ ନଥିବା କୁହାଯାଇଛି। ଏହାକୁ ନେଇ ପୀଡିତାଙ୍କ ପରିବାର ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବେଳେ ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପୀଡିତାଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିଛନ୍ତି। ମା’ ଓ ଭାଇଙ୍କ ସହ କଥା ହେବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ତଦନ୍ତରେ ପୀଡିତାଙ୍କ ପରିବାରକୁ ସାମିଲ କରାଯାଇନି। କେହି କିଛି ପଚାରି ନାହାନ୍ତି। ତେଣୁ ତଦନ୍ତ ରିପୋର୍ଟ ଏକପାଖିଆ ହୋଇଥିବା ମନେ ହେଉଛି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଏସ‌ଆଇଟି ତଦନ୍ତ ପାଇଁ ଦାବି କରିବେ। ତାଙ୍କ କଥାକୁ ଗୁରୁତ୍ବ ନ ‌ଦେଲେ ଏହି ପ୍ରସଙ୍ଗ ସଂସଦରେ ଉଠାଇବା ସହ ସିବିଆଇ ତଦନ୍ତ ପାଇଁ ଦାବି ଉଠାଇବେ। ନ୍ୟାୟିକ ବ୍ୟବସ୍ଥା ଓ ସରକାରଙ୍କ ପାଖରୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି ବୋଲି ସାଂସଦ କହିଛନ୍ତି। ଅପରପକ୍ଷରେ ପୀଡିତାଙ୍କ ମା’ କହିଛନ୍ତି ଯେ, ତଦନ୍ତ ରିପୋର୍ଟ ତାଙ୍କୁ କଷ୍ଟ ଦେଇଛି। ତଦନ୍ତ ସମୟରେ ତାଙ୍କୁ କେହି କିଛି ପଚାରି ନାହାନ୍ତି। କେବଳ ଗାଁକୁ ଆସି ଘଟଣାସ୍ଥଳ ବୁଲି ‌ଦେଖିଥିଲେ। ମାମଲାର ସିବିଆଇ ତଦନ୍ତ ହେଲେ ଘଟଣା ଉପରୁ ପରଦା ହଟି ପାରିବ ବୋଲି ପୀଡିତାଙ୍କ ମା’ କହିଛନ୍ତି।

ସମ୍ବନ୍ଧିତ ଖବର