୩ଟି ଘରୋଇ ସ୍କୁଲକୁ ଝଟ୍‌କା : ସ୍କୁଲ ଫି’ ବୃଦ୍ଧି ମହଙ୍ଗା ପଡ଼ିଲା, ଫେରସ୍ତ କରିବେ ନେଇଥିବା ଅଧିକ ଫି’, ଅଭିଭାବକଙ୍କଠାରୁ ନେଇପାରିବେନି ଅଣ୍ଡରଟେକିଂ

ଭୁବ‌ନେଶ୍ବର : ରାଜଧାନୀରେ ଗୋଟିଏ ସଂସ୍ଥା ଦ୍ବାରା ପରିଚାଳିତ ୩ଟି ଘରୋଇ ବିଦ୍ୟାଳୟ ୨୦୧୯-୨୦ ଶିକ୍ଷାବର୍ଷରେ ନାମଲେଖା ପୂର୍ବରୁ ଅଭିଭାବକଙ୍କଠାରୁ ଅଣ୍ଡରଟେକିଂ ନେଉଥିଲେ। ଅଭିଭାବକଙ୍କୁ କୁହାଯାଉଥିଲା ଯେ ପିଲାଙ୍କ ନାମଲେଖା ପୂର୍ବରୁ ସେମାନେ ଯେଉଁ ଅଣ୍ଡରଟେକିଂ ଦେବେ ସେଥିରେ ୧୦ ବର୍ଷ ଧରି ଧାର୍ଯ୍ୟ କରାଯାଇଥିବା ସ୍କୁଲ ଫି’ ଦାଖଲ କରିବେ। ବର୍ଦ୍ଧିତ ସ୍କୁଲ ଫି’ ବିରୋଧରେ ଅଭିଭାବକମାନେ କୌଣସି ପ୍ରତିବାଦ କରିପାରିବେ ନାହିଁ। କିମ୍ବା ଆନ୍ଦୋଳନକୁ ଓହ୍ଲାଇବେ ନାହିଁ। ଏନେଇ ଓଡ଼ିଶା‌ ଅଭିଭାବକ ମହାସଂଘ ସ୍ବର ଉଠାଇବା ସହ ଗତ ଜାନୁଆରି ମାସରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ସିବିଏସ୍‌ଇ କର୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇଥିଲା।

ନାମଲେଖା ପୂର୍ବରୁ ଘରୋଇ ବିଦ୍ୟାଳୟଗୁଡ଼ିକର ଏଭଳି ମନମାନିକୁ ନେଇ ମହାସଂଘ ପ୍ରତିବାଦ କରିବା ସହ ‌ଫେବ୍ରୁଆରି ମାସରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୩ଟି ଯାକ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଯାହାର ଚୂଡ଼ାନ୍ତ ଶୁଣାଣି କରାଯାଇଛି। ଆଉ ୩ଟି ଯାକ ଘରୋଇ ସ୍କୁଲ ବିରୋଧରେ ରାୟ ଦିଆଯାଇଛି। ଫି’ ବୃଦ୍ଧିକୁ ସ୍ଥଗିତ ରଖାଯାଇଛି। ଯଦି ଅଧିକ ଫି’ ନେଇଥିବେ ତେବେ ତାହାକୁ ତୁରନ୍ତ ଫେରସ୍ତ କରିବାକୁ କୁହାଯାଇଛି। ଏଭଳି ନିର୍ଦେଶ ପରେ ସତ୍ୟନଗର, ଖଣ୍ଡଗିରି ଓ କେଦାରଗୌରୀଠାରେ ଥିବା ଏହି ବିଦ୍ୟାଳୟଗୁଡ଼ିକୁ ଏବେ ଶକ୍ତ ଝଟ୍‌କା ଲାଗିଛି।

କୁହାଯାଇଛି ଯେ ୩ଟି ଯାକ ସ୍କୁଲ ୧୦ ବର୍ଷିଆ ଫି’ ପ୍ରତ୍ୟାହାର କରିବେ। ଯଦି କୌଣସି ବି ଛାତ୍ରଛାତ୍ରୀଙ୍କଠାରୁ ୮ ପ୍ରତିଶତରୁ ଅଧିକ ଫି’ ବୃଦ୍ଧି କରି ନେଇଥିବେ ତେବେ ଉପଯୁକ୍ତ ତଥ୍ୟ ସହ ଫି’ ଫେରସ୍ତ କରିବେ। ଯଦି ସ୍କୁଲ କର୍ତୃପକ୍ଷ ଅଧିକ ଫି’ ଫେରସ୍ତ ନ କରନ୍ତି ତେବେ ପ୍ରଭାବିତ ଅଭିଭାବକମାନେ ନିକଟସ୍ଥ ଥାନାରେ ଏତଲା ଦେଇପାରିବେ। ଫି’ ରେଗୁଲେଟୋରି କମିଟିର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ଅଧିକ ଫି’ ବୃଦ୍ଧି କରି ନେଇପାରିବେ ନାହିଁ। ଯଦି ବଢ଼ାଇ ଅଧିକ ଫି’ ନେଉଥିବେ ତେବେ କମିଟି ରିପୋର୍ଟ ଆସିବା ପରେ ସେମାନେ ଅର୍ଥ ଫେରସ୍ତ କରିବେ।

ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ରାୟକୁ ସ୍ବାଗତ କରାଯାଇଛି। ଏହାର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ଏଭଳି ନିଷ୍ପତ୍ତି ପରେ ଅନ୍ୟ ବିଦ୍ୟାଳୟର ଅଭିଭାବକମାନେ ଆଗକୁ ଆସିବା ଆବଶ୍ୟକ। ଯଦି କୌଣସି ବିଦ୍ୟାଳୟର ୮ ପ୍ରତିଶତରୁ ଅଧିକ ଫି’ ବୃଦ୍ଧି କରି ଆଦାୟ କରୁଛନ୍ତି ତେବେ ନିକଟସ୍ଥ ଥାନାରେ ଏତଲା ପଦାନ କରନ୍ତୁ। ମହାସଂଘ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ।

ସୂଚନାଯୋଗ୍ୟ ଯେ ଘରୋଇ ସ୍କୁଲଗୁଡ଼ିକରେ ଅଧିକ ଫି’ ଆଦାୟ ହେଉଥିବା ଅଭିଯୋଗ ହେବା ପରେ କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ଫି’ ରହିବ ସେ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇ ଗଣଶିକ୍ଷା ବିଭାଗକୁ ଦିଆଯାଇଥିଲା। ଫି’ ରେଗୁଲେସନ୍ କମିଟି ଗତବର୍ଷ ସେପ୍ଟେମ୍ବର ୭ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବା ପରେ ନଭେମ୍ବର ୧୪ରୁ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦିଆଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାହା ଲାଗୁ କରିଯାଇପାରି ନାହିଁ। ଯାହାର ସୁଯୋଗ ନେଇ ମନଇଚ୍ଛା ଫି’ ଆଦାୟ କରୁଛନ୍ତି ସ୍କୁଲ କର୍ତୃପକ୍ଷ।

ସମ୍ବନ୍ଧିତ ଖବର