ଉତ୍ତର ଖାତା ମିଶିଗଲେ ପରୀକ୍ଷାର୍ଥୀ ଫେଲ୍‌

ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏସ୍‌ସିଟିଇ ଆଣ୍ଡ ଭିଟିର ଅଜବ ନିୟମ

ଭୁବନେଶ୍ୱର: ଯଦି ଜଣେ ପରୀକ୍ଷାର୍ଥୀଙ୍କର ଗୋଟିଏ ବିଷୟର ଉତ୍ତର ଖାତା ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ସହ ମିଶିଯାଉଥିବ ତେବେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ବାତିଲ୍‌ କରାଯିବ। ସମ୍ପୃକ୍ତ ବିଷୟରେ ପରୀକ୍ଷାର୍ଥୀଙ୍କୁ କୌଣସି ମାର୍କ ମିଳିବନି। ଯେତେଟା ବିଷୟରେ ଏଭଳି ହୋଇଥିବ ପରୀକ୍ଷାର୍ଥୀ ଜଣକ ସେତେକିଟି ବିଷୟରେ ‘ଶୂନ’ ପାଇବେ। କପି ରୋକିବା ପାଇଁ ଏଭଳି ନିୟମ କରିଛି ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇ ଆଣ୍ଡ ଭିଟି)। ଗତ କିଛିବର୍ଷ ହେଲା ଏହି ନିୟମ ହୋଇଥିଲେ ମଧ୍ୟ ଏଥର ତାହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଯେଉଁଥିପାଇଁ ୩୨୦୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ମାଟ୍ରିକ୍‌ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ସବୁଠି କପି ହେଉଥିଲେ ମଧ୍ୟ ତାହାକୁ ରୋକାଯାଇପାରୁ ନାହିଁ। ସିସିଟିଭି ଲଗାଯିବାଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ତାହାର ସୁଫଳ ଏପର୍ଯ୍ୟନ୍ତ ମିଳିପାରିନି। ଏସ୍‌ସିଟିଇ ଆଣ୍ଡ ଭିଟିର ସେମିଷ୍ଟାର୍‌ ଭିତ୍ତିକ ପରୀକ୍ଷା ଆଇନ ୧୫.୪.୧୨ ଅନୁଯାୟୀ ଯଦି ଦୁଇ କିମ୍ବା ତା’ଠାରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତାର ଉତ୍ତର ମିଶୁଥିବ ତେବେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ ବାତିଲ୍‌ କରି ଦିଆଯିବ। ସମ୍ପୃକ୍ତ ବିଷୟରେ ପରୀକ୍ଷାର୍ଥୀଙ୍କୁ ‘ଶୂନ’ ମାର୍କ ମିଳିବ। ଯେତେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମିଶୁଥିବ ସମସ୍ତଙ୍କ ପରୀକ୍ଷା ଖାତାକୁ ବାତିଲ କରିବାର ନିୟମ ହୋଇଛି।

୬ଷ୍ଠ ସେମିଷ୍ଟାରର ୩୨୦୦ ଛାତ୍ରଛାତ୍ରୀଙ୍କ ବ୍ୟାକ୍‌
ଜୁଲାଇ ୧୮ରୁ ୨୬ ମଧ୍ୟରେ ପକ୍ଷ ରଖିବେ ଛାତ୍ରଛାତ୍ରୀ

ଚଳିତବର୍ଷ ପ୍ରଥମ ଥର ପାଇଁ ତାହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ ଏହାର ପ୍ରଥମ ଶିକାର ହୋଇଛନ୍ତି ଡିପ୍ଲୋମା ଇଞ୍ଜିନିୟରିଂ ପରୀକ୍ଷାର ୬ଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀ। ଏକାଥରେ ୩୨୦୦ ଛାତ୍ରଛାତ୍ରୀ ଏକାଧିକ ବିଷୟରେ ‘ଶୂନ’ ପାଇଛନ୍ତି। ବ୍ୟାକ୍‌ ରହିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ଜଣେ ଜଣେ ପରୀକ୍ଷାର୍ଥୀଙ୍କର ସମସ୍ତ ବିଷୟରେ ୭୦%ରୁ ୮୦% ମାର୍କ ରହିଥିବା ବେଳେ ଗୋଟିଏ ଲେଖାଏ ବିଷୟରେ ଶୂନ ମିଳିଛି। ଏଭଳି କଡ଼ା ନିୟମକୁ କେତେକ ଡିପ୍ଲୋମା କଲେଜ ସମର୍ଥନ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଏହାକୁ ପୂର୍ବରୁ ଲାଗୁ କରାଯିବାର ଥିଲା। କିଛି ଶିକ୍ଷାନୁଷ୍ଠାନ ଶତ ପ୍ର୍ରତିଶତ ରେଜଲ୍ଟ କରିବା ପାଇଁ ସେମାନଙ୍କ ପିଲାଙ୍କୁ ପରୀକ୍ଷା ହଲ୍‌ରେ ଉତ୍ତର ଡାକି ଦେଉଛନ୍ତି। ଯେଉଁଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କ ଉତ୍ତର ସମାନ ହୋଇଥାଏ, ଯାହାକି ଏହି ନିୟମ ଦ୍ୱାରା ଧରାପଡ଼ିଛି। ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ ଏକ ସୁଯୋଗ ମଧ୍ୟ ଦିଆଯାଇଛି। ଜୁଲାଇ ୧୮ରୁ ୨୬ ତାରିଖ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ଡକାଯାଇଛି। ଯଦି ସେମାନେ ଭୁଲ କରି ନ ଥିବେ ତେବେ ପକ୍ଷ ରଖି ନ୍ୟାୟ ପାଇପାରିବେ।

ସମ୍ବନ୍ଧିତ ଖବର