ଏସ୍ଏଚ୍‌ଜି ପାଇଁ ନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସ ଏବେ ବ୍ୟବସାୟୀଙ୍କ କବ୍‌ଜାରେ, ବଢ଼ୁଛି ଅସନ୍ତୋଷ

ନୟାଗଡ଼ : ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି) ଗଠନ କରାଯାଇଛି। ସେମାନଙ୍କ ଦ୍ବାରା ପ୍ରସ୍ତୁତ ସମାଗ୍ରୀର ବିକ୍ରିୟ ପାଇଁ ବିଭିନ୍ନ ବ୍ଲକ୍‌ରେ ସ୍ବର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ବରୋଜଗାର ଯୋଜନାରେ ମାର୍କେଟ୍ କମ୍ପ୍ଲେକ୍ସ ତିଆରି ହୋଇଛି। ହେଲେ ନୟାଗଡ଼ ସଦର ବ୍ଲକ୍‌ରେ ଏହାର ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ଖୋଦ ବ୍ଲକ୍‌ କାର୍ଯ୍ୟାଳୟ ପାର୍ଶ୍ବରେ ନିର୍ମିତ ଏହି କମ୍ପ୍ଲେକ୍ସରେ ଖୋଲାଖୋଲି ଭାବେ ଅନ୍ୟ ବ୍ୟବସାୟୀମାନେ ବ୍ୟବସାୟ ଚଳାଇଥିବା ବେଳେ ସରକାରୀ ବାବୁମାନେ ଦେଖି ବି ଚୁପ୍। ଏସ୍ଏଚ୍‌ଜିମାନଙ୍କୁ ଅଣଦେଖା କରାଯାଇ ବ୍ୟବସାୟୀମାନଙ୍କୁ ଏହି ଘର ଯୋଗାଇ ଦିଆଯାଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଯେଉଁଠି ଏସ୍‌ଏଚ୍‌ଜି ଦ୍ବାରା ପ୍ରସ୍ତୁତ ବଢି, ଆଚାର, ପାପଡ଼ ଭଳି ସାମଗ୍ରୀ ବିକ୍ରି କରାଯିବା କଥା ସେଠାରେ ବିକ୍ରି ହେଉଛି ବିଭିନ୍ନ କମ୍ପାନିର ଜିନିଷ।

ସୂଚନାଯୋଗ୍ୟ, ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ୮ କୋଠରି ବିଶିଷ୍ଟ ଏହି କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ୨୦୧୧ ଡିସେମ୍ବର ୧୦ ତାରିଖରେ ସାଂସଦ ପିନାକୀ ମିଶ୍ର ଏହାର ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଅବସରରେ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ତତ୍କାଳୀନ ନୟାଗଡ଼ ବିଡିଓ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ସେ ସମୟରେ ଏଠାରେ ବ୍ୟବସାୟ କରିବାକୁ ବିଭିନ୍ନ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ ଆବେଦନ କରିଥିଲେ। କୌଣସି କାରଣରୁ ଏସ୍‌ଏଚ୍‌ଜିଗୁଡ଼ିକୁ ଏହି କମ୍ପ୍ଲେକ୍ସ ବ୍ୟବସାୟ ପାଇଁ ଦିଆଯାଇନଥିଲା। ଯେଉଁଥି ପାଇଁ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ୬ ବର୍ଷ ଏହି କମ୍ପ୍ଲେକ୍ସରେ ତାଲା ଝୁଲିଥିଲା। ଉଦ୍ଘାଟନ ହେଉ ହେଉ ଏହା ଅକାମି ହୋଇ ଯାଇଥିଲା। ଏହା କିଛି ମାସ ହେବ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଥିରେ ଗୋଟିଏ ବି ଏସ୍ଏଚ୍‌ଜିକୁ ସାମିଲ କରାଯାଇନଥିବା ଦେଖିବାକୁ ମିଳିଛି। ଏହି କମ୍ପ୍ଲେକ୍ସ ସଂପୂର୍ଣ୍ଣ ଭାବେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏସ୍ଏଚ୍‌ଜି ପାଇଁ ନିର୍ମିତ କମ୍ପ୍ଲେକ୍ସରେ କିଭଳି ଅନ୍ୟମାନେ ବ୍ୟବସାୟ କରୁଛନ୍ତି, କାହିଁକି ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି, ଏ ନେଇ ନୟାଗଡ଼ ବିଡିଓ ମନୋଜ ପାତ୍ରଙ୍କୁ ପଚାରିବାରୁ, ସେ ଏହି ଘଟଣା କିଭଳି ହୋଇଛି ଜାଣିନଥିବା କହିଥିବା ବେଳେ, ତାଙ୍କ ସମୟରେ ଏହି ଅନିୟମିତତା ହୋଇନଥିବା କହିଛନ୍ତି। ତତ୍କାଳନୀ ଉପଜିଲ୍ଲାପାଳ ଓ ବିଡିଓ ଘଟଣା ସମ୍ବନ୍ଧରେ ଜାଣିଥିବା କହିଛନ୍ତି।

ସମ୍ବନ୍ଧିତ ଖବର