ଭୁବନେଶ୍ବର: ଆଗାମୀ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସିଙ୍ଗାପୁର ସରକାର ସହଯୋଗ ଜାରି ରଖିବେ। ସିଙ୍ଗାପୁର ଗସ୍ତରେ ଯାଇ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ସେଠାକାର ଶିକ୍ଷାମନ୍ତ୍ରୀ ଓଙ୍ଗ୍ ୟେ କୁଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ଆଇଟିଇଏସ୍, ଓଡ଼ିଶା ସରକାର, ସିଙ୍ଗାପୁର ସରକାର ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମଧ୍ୟରେ ହୋଇଥିବା ବୁଝାମଣା ବିଷୟରେ ସମୀକ୍ଷା କରାଯାଇଥିଲା। ବୁଝାମଣା ଯୋଗୁଁ ଓଡ଼ିଶାର ବୈଷୟିକ, ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ବହୁତ ଉନ୍ନତି ସାଧିତ ହୋଇଛି। ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଉଭୟ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀଙ୍କୁ ୨୦୨୦ରେ ଓଡ଼ିଶା ପରିଦର୍ଶନରେ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ। ଆଗକୁ ଦକ୍ଷତା ବିକାଶ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ନେଇ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଶ୍ରୀ କୁଙ୍ଗ୍ ସହମତି ପ୍ରକାଶ କରିଥିଲେ। ଆସନ୍ତା ଦିନରେ ରାଜ୍ୟରେ ଥିବା ପଲିଟେକନିକ କଲେଜର ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପାଇଁ ସିଙ୍ଗାପୁର ପଠାଇବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ସିଙ୍ଗାପୁରର ୧୦୦ ଜଣ ବୈଷୟିକ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାରେ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ନିମନ୍ତେ ଇଣ୍ଟର୍ନସିପ୍ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ପ୍ରସ୍ତାବ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଙ୍ଗାପୁର ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଜାଭେଦ ଅଶରଫ୍, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ସିଙ୍ଗାପୁର ଆଇଟିଇର ସିଇଓ ବ୍ରୁସ୍ ପୋହ, ନିର୍ଦ୍ଦେଶକ ବୁନ୍ ଟିୟଙ୍ଗ୍, କର୍ମ ନିୟୋଜନ ନିର୍ଦ୍ଦେଶାଳୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।