ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ : ସାପ କାମୁଡ଼ା ସ୍ୱପ୍ନ ଦେଖି ଛାନିଆ
ଗାଁର ଶତାଧିକ ଲୋକ ଦେଖି ସାରିଲେଣି ସମାନ ସ୍ୱପ୍ନ, ଅସୁସ୍ଥ ହୋଇ ଗୁଣିଆ, ଦିଶାରୀଙ୍କ ଶରଣ ନେଉଛନ୍ତି, ଗାଁରେ ପୂଜାର୍ଚ୍ଚନା
ମାଲକାନଗିରି/କାଲିମେଳା : ଅନ୍ଧବିଶ୍ବାସ କବଳରେ ଗୋଟିଏ ଗାଁର ଶତାଧିକ ପରିବାର। କୁହାଯାଉଛି େଯ ଗାଁର ଶତାଧିକ ଲୋକ ଦେଖୁଛନ୍ତି ସମାନ ସ୍ବପ୍ନ। ରାତିରେ ବିଷଧର ସାପ ଆସି କାମୁଡ଼ି ଦେଉଛି। ସକାଳୁ ଉଠିବା ବେଳକୁ ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି। ସ୍ବପ୍ନ ଦେଖୁଥିବା ଲୋକଙ୍କୁ ବିଷ ଜନିତ ଯନ୍ତ୍ରଣା ବି ହେଉଛି। ଶତାଧିକ ଲୋକଙ୍କ ସହ ଏମିତି ହୋଇ ସାରିଲାଣି। ଏପରିକି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହାକୁ ଲୋକେ ସତ ଘଟଣା ବୋଲି କହିବା ଆରମ୍ଭ କରିଛନ୍ତି। ସାପଙ୍କ ଦେବୀ ମନସା ଦେବୀଙ୍କ କୋପରେ ଏମିତି ହେଉଥିବା ଲୋକେ ବିଶ୍ବାସ କରୁଛନ୍ତି। ଏଥିପାଇଁ ଗାଁରେ ପୂଜାର୍ଚ୍ଚନା ସହ ଲୋକେ ମନସା ଦେବୀଙ୍କ ନିକଟରେ ଅଧିଆ ପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏଭଳି ଅଭାବନୀୟ ଘଟଣା ପୁଣି ନୂଆ ଚର୍ଚ୍ଚା। ଆଦିବାସୀ ବହୁଳ ଏହି ଜିଲ୍ଲାରେ ସଦ୍ୟତମ ଘଟଣା ଡାକ୍ତରୀ ଚିକିତ୍ସା ଓ ବିଜ୍ଞାନ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। କାରଣ ଏମିତି ଘଟଣା ପୂର୍ବରୁ କେବେ କିଏ ଦେଖିଥିଲା ନା ଶୁଣିଥିଲା।
ଏମଭି-୭୯ ଥାନା ଅନ୍ତର୍ଗତ ଏମଭି-୭୫ ଗାଁରେ ଶହେରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଗତ କିଛି ଦିନ ହେଲା ଏହି ଗାଁରେ ଅସ୍ବାଭାବିକ ଘଟଣା ସବୁ ଘଟୁଛି। ଶିକ୍ଷିତ ଲୋକ ଏହାକୁ ଅଜଣା ରୋଗ କହୁଥିବା ବେଳେ କେହି କେହି ମନସା ଦେବୀଙ୍କ କୋପ ଦୃଷ୍ଟି ପଡ଼ିଥିବା କହୁଛନ୍ତି। କାରଣ ପ୍ରତିଦିନ ରାତିରେ ଗାଁର ପ୍ରାୟ ଅଧିକାଂଶ ପରିବାରର ୨ରୁ ୩ଜଣ ସଦସ୍ୟ ଗୋଟିଏ ସ୍ବପ୍ନ ଦେଖୁଛନ୍ତି। ବିଳମ୍ବିତ ରାତିରେ ଦେଖୁଥିବା ଏହି ସ୍ବପ୍ନରେ ନାଗ ସାପ ଆସି ସେମାନଙ୍କୁ ଦଂଶନ କରୁଛି। ସକାଳୁ ଉଠିବା ପରେ ଶରୀରରେ ପ୍ରବଳ ପୀଡ଼ା ହେଉଛି। ମୁଣ୍ଡ ବୁଲାଇବା ସହ ହାତଗୋଡ଼ ଝିମ୍ଝିମ୍ କରୁଛି। ଯନ୍ତ୍ରଣା ବି ହେଉଛି। ନାଗସାପ କାମୁଡ଼ିଲେ ଯାହା ସବୁ ହୁଏ ସ୍ବପ୍ନ ଦେଖୁଥିବା ଲୋକଙ୍କଠାରେ ମଧ୍ୟ ସମାନ ଲକ୍ଷଣ ଦେଖିବାକୁ ମିଳୁଛି। ଗ୍ରାମର ଶତାଧିକ ଲୋକଙ୍କ ସହ ଏମିତି ହେବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କିଛି ଦିନ ତଳେ ଜଣେ ଯୁବକ ସ୍ବପ୍ନ ଦେଖି ଗୁରୁତର ହେବାରୁ ତାଂକୁ ପ୍ରଥମେ କାଲିମେଳା ଏବଂ ପରେ ମାଲକାନଗିରି ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ଏଭଳି ସ୍ବପ୍ନ ଦେଖିଥିବା ଅନ୍ୟ କେତେଜଣ ଡାକ୍ତରଖାନାକୁ ଯାଇ ଔଷଧ ଖାଇବା ସତ୍ତ୍ବେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା ଗ୍ରାମବାସୀ କହିଛନ୍ତି। ଏପରିକି ବାରମ୍ବାର ଏମିତି ସ୍ବପ୍ନ ଆସୁଥିବା ପ୍ରକାଶ କରିଛନ୍ତି।
ଡାକ୍ତରୀ ଚିକିତ୍ସାରେ ସୁସ୍ଥ ନ ହୋଇ ଲୋକେ ଏବେ ଝଡ଼ାଫୁଙ୍କା ପାଇଁ ଗୁଣିଆ ତଥା ଦିଶାରୀଙ୍କ ନିକଟକୁ ଦୌଡ଼ିବା ଆରମ୍ଭ କରିଛନ୍ତି।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିନ୍ତୁ ଏହାକୁ ଗୁଜବ ଓ ମାନସିକ ଭ୍ରମ ବୋଲି କହୁଛି। ଖବର ପାଇ ଗୋଟିଏ ଡାକ୍ତରୀଦଳ ସେହି ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି। ଲୋକଙ୍କୁ ରୋଗର ଲକ୍ଷଣ ବିଷୟରେ ପଚାରିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତେବେ କୌଣସି ରୋଗର ଲକ୍ଷଣ ଡାକ୍ତରୀ ଦଳ ଦେଖିବାକୁ ପାଇ ନଥିଲା। ତେଣୁ ଲୋକେ ଗୁଜବଠାରୁ ଦୂରରେ ରହି ତୁରନ୍ତ ମେଡିକାଲକୁ ଆସନ୍ତୁ ବୋଲି ସିଡିଏମଓ ଅଜୟ କୁମାର ବୈଠାରୁ ପ୍ରକାଶ କରିଛନ୍ତି।