ହାଇକୋର୍ଟରେ ଶ୍ରୀମନ୍ଦିର ମାମଲା : ଶ୍ରୀଗୁଣ୍ଡିଚା ଓ ମାଉସୀ ମା’ ମନ୍ଦିର ସ୍ଥିତି ଯାଞ୍ଚ ନିର୍ଦ୍ଦେଶ

କଟକ : ପୁରୀ ଶ୍ରୀମନ୍ଦିର ସଂପର୍କିତ ମାମଲାର ଶୁଣାଣି ବେଳେ ଆଜି ହାଇକୋର୍ଟ ଶ୍ରୀଗୁଣ୍ଡିଚା ମନ୍ଦିର ଓ ମାଉସୀ ମା’ ମନ୍ଦିର ସ୍ଥିତି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ମରାମତି ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ରାଜ୍ୟ ସରକାର ଏହି ଦୁଇ ମନ୍ଦିର ସ୍ଥିତି ଯାଞ୍ଚ କରି ମରାମତି ସଂପର୍କରେ ନିଷ୍ପତ୍ତି ନେବେ। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଏ ସଂପର୍କରେ ଏଏସଆଇ ଓ ସରକାର ରିପୋର୍ଟ ଦାଖଲ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତିି। ଏଥି ସହିତ ଜୟ ବିଜୟ ଦ୍ୱାରର ମରାମତି କାର୍ଯ୍ୟ ଜୁଲାଇ ୨୫ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶୁଣାଣି ସମୟରେ ଏଏସ୍‌ଆଇ ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍‌.ଏ.ନାୟକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଜୟ ବିଜୟ ଦ୍ୱାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଏସଆଇକୁ ମରାମତି ପାଇଁ ସ୍ୱଳ୍ପ ସମୟ ପ୍ରଦାନ କରାଯାଉଥିବା ବେଳେ ମରାମତି ସ୍ଥଳର ଛାତରୁ ଦୁର୍ବଳ ହୋଇ ପଡିଥିବା ପ୍ଲାଷ୍ଟର ଓ ରଙ୍ଗ ଛଡା ଯାଇଛି। ଛାତର ସାମାନ୍ୟ କିଛି ମରାମତି କାର୍ଯ୍ୟ କରାଯାଇଛି। ଦୁର୍ବଳ ଯୋଡେଇ ସ୍ଥାନ ଓ ରହିଥିବା ଫାଟର ମରାମତି କୋର୍‌ କମିଟି ପରାମର୍ଶ ଅନୁସାରେ କରାଯାଇଛି। ମରାମତି ପାଇଁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଭାରାକୁ ରଥଯାତ୍ରା ସଂପର୍କିତ ନୀତି ପାଇଁ ଖୋଲି ଦିଆଯାଇଛି। ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବିମ୍‌ ଡିଜାଇନ୍‌ ଚୂଡାନ୍ତ ହୋଇ ସାରିଛି। ଏଥି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ ସରିଛି। ପୂର୍ବ ଯୋଜନା ମୁତାବକ ଓ ହସ୍ତଗତ ହୋଇଥିବା ଡ୍ରଇଂ ଅନୁସାରେ ଷ୍ଟିଲ୍‌ ବିମ୍‌ ଝଳେଇ କରାଯାଉଛି। ରଥଯାତ୍ରା ପରଦିନ ୧୫ ତାରିଖରୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବିମ୍‌ ସ୍ଥାପନ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆରମ୍ଭ ହେବ। ପୂର୍ବରୁ ଏଏସଆଇକୁ ମରାମତି କାମ ପାଇଁ ଯଥେଷ୍ଟ ସମୟ ପ୍ରଦାନ କରାଯାଉ ନଥିବା ବେଳେ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଜୟ ବିଜୟ ଦ୍ୱାର ମରାମତି ପାଇଁ ପ୍ରତି ଦିନ ଯଦି ୧୨ ଘଣ୍ଟା ପ୍ରଦାନ କରାଯିବ ତେବେ ଏହି କାମ ଜୁଲାଇ ୨୫ ତାରିଖ ନୀଳାଦ୍ରିବିଜେ ପୂର୍ବରୁ ଶେଷ ହେବ ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଛି। ଏପରି ପରିସ୍ଥିତିରେ ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ଜୟ ବିଜୟ ଦ୍ୱାର ମରାମତି ପାଇଁ ପ୍ରତିଦିନ ଏଏସଆଇକୁ କିପରି ୧୨ ଘଣ୍ଟା ସମୟ ପ୍ରଦାନ କରାଯିବ ତାହା ସୁନିଶ୍ଚିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଜଳକ୍ରୀଡ଼ା ମଣ୍ଡପ, ଝୁଲଣ ମଣ୍ଡପ ସମେତ ମୁକ୍ତିମଣ୍ଡପ, ମା’ ବିମଳା ମନ୍ଦିର, ଆଦି ନୃସିଂହ ମନ୍ଦିର, ମା’ ମହାଲକ୍ଷ୍ମୀ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମା’ ବିମଳା ମନ୍ଦିରର ପଶ୍ଚିମ ପଟ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି। ଅନ୍ୟ ମନ୍ଦିର ଗୁଡିକର ମରାମତି ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଆବଶ୍ୟକ ଅର୍ଥ ଏଏସଆଇ ଡିଜି ମଞ୍ଜୁର କରି ସାରିଛନ୍ତି। ସ୍ନାନଯାତ୍ରା ଓ ଅଣସର ନୀତି ପାଇଁ ଜୁନ୍‌ ୨୮ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ବନ୍ଦ ରହିଛି। ଏହି ମନ୍ଦିର ଗୁଡିକର ମରାମତି ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ମେଘନାଦ ପାଚେରିର ବାହାର ପଟ ମରାମତି ହେଉଛି। ଦକ୍ଷିଣ ଓ ପୂର୍ବ ପଟେ ଏହି ପାଚେରି ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମେଘନାଦ ପାଚେରି ମରାମତି ପାଇଁ ଏଏସଆଇ ପକ୍ଷରୁ ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ନିଯୋଗ କୋଠରୀ, ସେବାୟତ କେଠରୀ, ରୋଷଘର ଓ ଭିତର ବେଢାର ଉତ୍ତର ଦିଗରେ ଥିବା ଢାଞ୍ଚା ଗୁଡିକର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ଏ ସବୁ ମରାମତିର ଅଗ୍ରଗତି ସଂପର୍କରେ ଜୁଲାଇ ୩୦ରେ ଅବଗତ କରିବା ପାଇଁ ଖଣ୍ଡପୀଠ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ପରିସରରେ ଚାଲିଥିବା ମରାମତି କାର୍ଯ୍ୟ ସଂପର୍କରେ ଏନ୍‌.କେ.ମହାନ୍ତି କମିସନ୍‌ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ଶ୍ରୀ ମହାନ୍ତି ସାନି ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର