ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’

ଉପକୃତ ହେବେ ୫୦ ହଜାର ଦୁଃସ୍ଥ କଳାକାର, ଏଣିକି ୧ହଜାର ବଦଳରେ ମିଳିବ ୧୨ଶହ ଟଙ୍କା

ଭୁବନେଶ୍ୱର: ଦୁଃସ୍ଥ ଜୀବନ ଜିଉଁଥିବା କଳାକାରଙ୍କୁ ଆର୍ଥିକ ଅନୁଦାନର ହାତ ବଢ଼େଇବେ ସରକାର। କଳା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଏବଂ ଆର୍ଥିକ ଅନାଟନ ମଧ୍ୟରେ କାଳାତିପାତ କରୁଥିବା କଳାକାରଙ୍କୁ ଆର୍ଥିକ ସହୟତା ଦେବ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୫୦ ହଜାର କଳାକାର ଉପକୃତ ହେବେ। ପୂର୍ବରୁ ୪ହଜାର କଳାକାରଙ୍କୁ ୧ହଜାର ଟଙ୍କା ଲେଖାଏଁ କଳାକାର ଭତ୍ତା ମିଳୁଥିବା ବେଳେ ଆହୁରି ୪୬ ହଜାର କଳାକାର ଏହି ଯୋଜନାରେ ସାମିଲ୍‌ ହେବେ। ଖାଲି ସେତିକି ନୁହେଁ, ଭତ୍ତା ରାଶି ମଧ୍ୟ ୧୨ଶହ ଟଙ୍କାକୁ ବୃଦ୍ଧି ପାଇବ। ସୀମିତ ସଂଖ୍ୟା ଯୋଗୁଁ ଅନେକ କଳାକାର ଏହି ଭତ୍ତା ପାଇବାରୁ ବଞ୍ଚିତ ଥିବା ବେଳେ ନୂଆ ଯୋଜନାରେ ଉପକୃତ ହେବେ।

ଏହି ଯୋଜନାରେ ସରକାର ବୟସ ସୀମା ମଧ୍ୟ କୋହଳ କରିଛନ୍ତି। ପୂର୍ବରୁ କଳାକାର ଭତ୍ତା ପାଇଁ ପୁରୁଷମାନଙ୍କ ବୟସସୀମା ୬୦ ବର୍ଷ ଏବଂ ମହିଳାମାନଙ୍କ ବୟସସୀମା ୫୦ ବର୍ଷ ନିର୍ଧାରଣ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ପୁରୁଷ କଳାକାରଙ୍କ ବୟସସୀମା ୫୦ବର୍ଷ ଏବଂ ମହିଳା କଳାକାରଙ୍କ ବୟସସୀମା ୪୦ ବର୍ଷକୁ ଖସାଇ ଦିଆଯାଇଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଫଳରେ ଏହି ଯୋଜନାରେ ପୂର୍ବାପେକ୍ଷା ବହୁତ କଳାକାର ଉପକୃତ ହୋଇପାରିବେ। ସବୁବର୍ଗର କଳାରେ ପାରଦର୍ଶିତା ହାସଲ କରିଥିବା ଏବଂ ଆର୍ଥିକ ଅନଗ୍ରସର ଜୀବନ ବଞ୍ଚୁଥିବା କଳାକାରମାନେ ଜୁନ୍‌ ୩୦ ତାରିଖ ମଧ୍ୟରେ ଏହି ଭତ୍ତା ପାଇଁ ଆବେଦନ କରିପାରିବେ। ଜିଲ୍ଲାସ୍ତରରେ କଳାକାର ହିତାଧିକାରୀଙ୍କୁ ଚୟନ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଯେଉଁଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ, ପର୍ଯ୍ୟଟନ ଅଧିକାରୀ ଏବଂ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି। ଏହି କମିଟି ଉପଯୁକ୍ତ ମାନଦଣ୍ଡ ପୂର୍ବକ କଳାକାରଙ୍କୁ ଚୟନ କରି ରାଜ୍ୟ ସଂସ୍କୃତି ବିଭାଗକୁ ପଠାଇବେ। ଏହି ଭତ୍ତା ପାଇବା ପାଇଁ ଅନେକଗୁଡ଼ିଏ ମାପଦଣ୍ଡ ରହିଛି। ଆବେଦନ କରୁଥିବା କଳାକାରଙ୍କ ବାର୍ଷିକ ଆୟ ୫୦ ହଜାର ଟଙ୍କା ତଳକୁ ହୋଇଥିବ। ସଂପୃକ୍ତ କଳାକାର କେନ୍ଦ୍ର ସରକାରୀ ସୂତ୍ରରୁ କୌଣସି ସହାୟତା ପାଉ ନଥିବେ। ଜିଲ୍ଲାରୁ ଏକ ନିର୍ଦିଷ୍ଟ ସଂଖ୍ୟାରେ କଳାକାର ଏହି ଯୋଜନାରେ ଉପକୃତ ହେବେ। ତେବେ ଆର୍ଥିକ ଅନଗ୍ରସର କଳାକାରମାନେ ଏହି ଯୋଜନାରେ ସହାୟତା ପାଇଁ ଆବେଦନ କରିବା ପରେ ଆବେଦନକାରୀଙ୍କ ସଂଖ୍ୟା ଦେଖି ପ୍ରତି ଜିଲ୍ଲାରୁ କେତେଜଣ କଳାକାର ଏଥିରେ ଉପକୃତ ହେବେ ତାହା ସ୍ଥିର ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର