ରାଜ୍ୟ ଖାଉଟି କମିସନକୁ ଉପେକ୍ଷା, ଖାଲି ପଡିଛି ସଦସ୍ୟ ପଦ; ଜଣେ ଅନୁପସ୍ଥିତ ରହିଲେ ଶୁଣାଣି ବନ୍ଦ

ଅତିରିକ୍ତ ଖଣ୍ଡପୀଠ ଘୋଷଣା କରି ଭୁଲିଗଲେ

କଟକ: କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)ରେ ଲାଗି ରହିଛି ଅଚଳାବସ୍ଥା। ଆବଶ୍ୟକତା ଅନୁଯାୟୀ ନୂଆ ଦୁଇ ସଦସ୍ୟ ନିଯୁକ୍ତ ହେଉ ନଥିବା ବେଳେ ଘୋଷଣା ମୁତାବକ ଅତିରିକ୍ତ ଖଣ୍ଡପୀଠ ଗଠନ ଦିଗରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏଭଳି ସ୍ଥିତିରେ କୌଣସି କାରଣରୁ ଯଦି ସଭାପତି ବା ସଦସ୍ୟ ଅନୁପସ୍ଥିତ ରୁହନ୍ତି, ସେଦିନ ଖଣ୍ଡପୀଠ ବସି ପାରୁ ନାହିଁ। ମାମଲା ରୁଜୁ, ସାର୍ଟିଫାଏଡ କପି ପ୍ରଦାନ, ପକ୍ଷଙ୍କୁ ନୋଟିସ ପଠାଇବା କାଯ୍ୟ ପାଇଁ ବି କର୍ମଚାରୀ ନାହାନ୍ତି। ଆବଶ୍ୟକ ସଂଖ୍ୟକ ‌ଟାଇପିଷ୍ଟ ଓ ‌ଷ୍ଟେନୋ ନାହାନ୍ତି। ଏଭଳି ଅବ୍ୟବସ୍ଥା ଭିତରେ ନିୟମନୁସାରେ ୯୦ଦିନ ଭିତରେ ଶୁଣାଣି କିପରି ଶେଷ ହେବ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି।

ସୂଚନାନୁଯାୟୀ, ଗତବର୍ଷ ବିଚାର ବିଭାଗୀୟ ସଦସ୍ୟ ଅବସର ଗ୍ରହଣ କରିବା ପରେ ଏବେ ସଭାପତି ଓ ଜଣେ ସଦସ୍ୟରେ ଖାଉଟି କମିସନ୍‌‌ ଚାଲିଛି। ଖାଉଟି ସୁରକ୍ଷା ଆଇନ କହୁଛି, କୌଣସି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ତପୀଠରେ ଅତି କମ୍‌ରେ ଦୁଇ ଜଣ ବିଚାରପତି ରହିବା ଆବଶ୍ୟକ। ବର୍ତ୍ତମାନ ଖାଉଟି କମିସନରେ ସଭାପତି ଜଷ୍ଟିସ ବି.କେ. ପଟେଲ ରହିଥିବାବେଳେ ଆଉ ମାତ୍ର ଜଣେ ସଦସ୍ୟ ରହିଛନ୍ତି। ଏଭଳି ସ୍ଥିତିରେ ଯଦି କୌଣସି କାରଣରୁ ସଭାପତି ବା ସଦସ୍ୟ ଅନୁପସ୍ଥିତ ରୁହନ୍ତି, ତେବେ ସଂପୃକ୍ତ ଦିନ ଖଣ୍ଡପୀଠ ବସି ପାରୁନାହିଁ। ଅନ୍ୟପଟେ ଖାଉଟି ମାମଲାର ତ୍ବରିତ ଶୁଣାଣି ପାଇଁ ଅତିରିକ୍ତ ଖଣ୍ଡପୀଠ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଅର୍ଥାତ୍ ଖାଉଟି କମିସନରେ ପୂର୍ବରୁ ଥିବା ସଭାପତି ଓ ଦୁଇ ସଦସ୍ୟଙ୍କ ବ୍ୟତୀତ ଆଉ ଦୁଇଟି ସଦସ୍ୟ ପଦ ସୃଷ୍ଟି ନେଇ ସରକାର ୨୦୧୭, ଅଗଷ୍ଟ ୧୭ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର ଅଦ୍ୟାବଧି ଉକ୍ତ ଦୁଇ ପଦରେ କୌଣସି ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ୨୦୦୪, ମେ’ ୭ତାରିଖରେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ରାଜ୍ୟ ଖାଉଟି କଲ୍ୟାଣ ବିଭାଗକୁ ୪ଟି ଅତିରିକ୍ତ ବେଞ୍ଚ ଗଠନ ପାଇଁ ପଦକ୍ଷେପ ଗ୍ରହଣ ଲାଗି ଚିଠି ଲେଖିଥିଲେ। ଅତିରିକ୍ତ ବେଞ୍ଚ୍‌ ପାଇଁ ସିଡିଏସ୍ଥିତ ରାଜ୍ୟ କମିସନଙ୍କ କୋଠାର ଉପର ମହଲାରେ ସ୍ବତନ୍ତ୍ର କୋଠରୀ ମଧୢ ନିର୍ମାଣ ସରିଛି। କିନ୍ତୁ ଅତିରିକ୍ତ ଖଣ୍ତପୀଠ ଗଠନ ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଗଲା ନାହିଁ। ସେହିଭଳି ରାଜ୍ୟ କମିସନ ଓ ବିଭିନ୍ନ ଜିଲ୍ଲାରେ ଥିବା ଖାଉଟି ଅଦାଲତ ଗୁଡିକରେ ଆବଶ୍ୟକ ସ˚ଖ୍ୟକ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇ ଦେବାକୁ ୧୯୯୯, ମାର୍ଚ୍ଚ ୨୨ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ ନିର୍ଦ୍ଦେଶ ବି କାର୍ଯ୍ୟକାରୀ କରାଗଲା ନାହିଁ। ଏ ନେଇ ଆସୋସିଏସନ ପକ୍ଷରୁ ୨୦୧୫ରେ ଦାୟର ଅଦାଲତ ଅବମାନନା ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଆବଶ୍ୟକ ସ˚ଖ୍ୟକ କର୍ମଚାରୀ ଓ ଭିତ୍ତିଭୂମି ଅଭାବ ସମସ୍ୟା ଯୋଗୁ ବର୍ତ୍ତମାନ ୫ ହଜାରରୁ ଅଧିକ ମାମଲା ରାଜ୍ୟ କମିସନଙ୍କ ନିକଟରେ ବିଚାରାଧୀନ ପଡ଼ିଛି।

ବର୍ତ୍ତମାନର ସଭାପତି ଜଷ୍ଟିସ ବି.‌କେ.ପଟେଲ ୨୦୨୦, ଜାନୁଆରି ୨୩ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ନିୟମ କହୁଛି ସଭପତି ଓ ସଦସ୍ୟ ପଦ ପୂରଣ ପାଇଁ ଅବସର ୬ମାସ ପୂର୍ବରୁ ସରକାର ପ୍ରକ୍ରିୟା ଆରମ୍ଭ କରିବା କଥା। କିନ୍ତୁ ଏପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଫଳରେ ଆଗାମୀ ଦିନରେ ଖାଉଟି କମିସନରେ ପୁଣି ଅଚଳାବସ୍ଥା ସୃଷ୍ଟି ହେବ ବୋଲି କନଜ୍ୟୁମର ବାର‌୍‌ ଆସୋସିଏସନ ସଭାପତି ଆଇନଜୀବୀ କରୁଣାକର ଜେନା ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୮ରେ ଖାଉଟି କମିସନ ଗୁଡିକର ସ୍ଥିତିରେ ସୁଧାର ତଥା ତ୍ବରିତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରସଂଗରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ସ୍ବତନ୍ତ୍ର ନିୟମ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନାହିଁ। ଏପରିକି, ୨୦୧୬, ନଭେମ୍ବର ୨୧ରେ ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶରେ ଖାଉଟି ଅଦାଲତ ଗୁଡିକର ସମସ୍ୟା ସ˚ପର୍କରେ ଅନୁଧ୍ୟାନ ତଥା ସ˚ସ୍କାର ପାଇଁ ଗଠିତ ଜଷ୍ଟିସ ଅରିଜିତ ପଶାୟତ କମିଟିଙ୍କ ପରାମର୍ଶ ବି ପାଳନ କରାଗଲା ନାହିଁ ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର