ନଦୀ ପାଇଁ ୧୬ରେ ୫ ରାଜ୍ୟର ବୈଠକ : ଓଡ଼ିଶା ଉଠାଇବ ମହାନଦୀ ପ୍ରସଙ୍ଗ

ଭୁବନେଶ୍ୱର : ମହାନଦୀ ମହାବିବାଦକୁ ନେଇ ବିଧାନସଭା ତିନି ଦିନ ହୁଲୁସ୍ତୁଲୁ ହେଲା। ଆଜି ବିଧାନସଭା ନ ଥିଲେ ବି ମହାନଦୀ ଚର୍ଚ୍ଚା ଥମି ନାହିଁ। ଉଭୟ ରାଜନୈତିକ ଓ ସରକାରୀ ସ୍ତରରେ ମହାନଦୀକୁ ନେଇ ସ୍ଥିତି ସରଗରମ ରହିଛି। ବିଜେଡି ପକ୍ଷରୁ ୧୫ ତାରିଖରେ ହେବାକୁ ମହାନଦୀ ମହାସମ୍ମିଳନୀକୁ ୭ ଦିନ ଘୁଞ୍ଚାଇ ଦିଆଯାଇଛି। ଅପରପକ୍ଷରେ ୧୬ ତାରିଖରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ କୋଲକାତାରେ ପୂର୍ବାଞ୍ଚଳର ୫ ରାଜ୍ୟର ପ୍ରତିନିଧିଙ୍କ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଓଡ଼ିଶା ଏଥିରେ ମହାନଦୀ ପ୍ରସଙ୍ଗକୁ ଦୃଢ଼ ଭାବେ ଉଠାଇବାକୁ ଯୋଜନା କରିଛି।

ଆସନ୍ତା ୧୬ ତାରିଖରେ କୋଲକାତାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ନଦୀ ବିବାଦ ଉପରେ ଆଲୋଚନା ପାଇଁ ପୂର୍ବାଞ୍ଚଳ ରାଜ୍ୟମାନଙ୍କର ବୈଠକ ଡକାଯାଇଛି। ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ଏକ ବୈଠକ ଆୟୋଜନ କରାଯାଉଛି। ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଜଳବିବାଦ ସମ୍ପର୍କରେ ଏଥିରେ ଆଲୋଚନା ହେବ। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘଓ୍ଵାଲ ବୈଠକରେ ସଭାପତିତ୍ୱ କରିବେ। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ସରକାରଙ୍କ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ପକ୍ଷରୁ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏଥିରେ ଯୋଗଦେବେ। ଜଳସମ୍ପଦ ବିଭାଗର ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ୍‌ ହେବେ। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ଯୁକ୍ତି ବୈଠକରେ ଉପସ୍ଥାପନ କରାଯିବ। ଏହା ସହ ବ୍ରାହ୍ମଣୀ, ବୈତରଣୀ ଆଦି ନଦୀକୁ ନେଇ ପଡ଼ୋଶୀ ରାଜ୍ୟ ସହ ଥିବା ବିବାଦ ମଧ୍ୟ ଉଠାଯିବ।

ବିଜେଡିର ମହାନଦୀ ମହାସମ୍ମିଳନୀ ୭ ଦିନ ଘୁଞ୍ଚିଲା
ଅପରପକ୍ଷରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଅଧାପନ୍ତରିଆ ଅବସ୍ଥାରେ ରଖି ଟର୍ମସ ଆଣ୍ଡ ରେଫରେନ୍ସ ବିଜ୍ଞପ୍ତି ଜାରି କରୁ ନାହାନ୍ତି ବୋଲି ବିଜେଡି ଅଭିଯୋଗ ଆଣିଥିଲା। ତେଣୁ ମହାନଦୀକୁ ପ୍ରସଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଆରମ୍ଭ କରିବା ଲାଗି ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଆସନ୍ତା ୧୫ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ଏକ ମହାସମ୍ମିଳନୀ ଡକାଯାଇଥିଲା। ସେଥିରେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ଲୋକ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଏହି ମହାସମ୍ମିଳନୀକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଛି। ତେବେ ମହାନଦୀ ମହାସଂଗ୍ରାମ ପାଇଁ ଏକ ପ୍ରସ୍ତୁତି ବୈଠକ ଆସନ୍ତାକାଲି ଦଳୀୟ କାର୍ଯ୍ୟାଳୟରେ ହେବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜେଡିର ମହାନଦୀ ମହାସଂଗ୍ରାମକୁ ଆଜି ପୁଣି ସମାଲୋଚନା କରିଛି ବିଜେପି। ଦଳ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାର ନିଜ ଅପାରଗତା କାରଣରୁ ମହାନଦୀ ସମସ୍ୟାର ସମାଧାନ ପାଇଁ ଆନ୍ତରିକତା ପ୍ରଦର୍ଶନ କରୁ ନାହାନ୍ତି। ବିଜେଡି ମହାନଦୀକୁ ନେଇ କେବଳ ରାଜନୀତି କରୁଛି। ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗତ ମାସରେ ଗଠିତ ହୋଇଯାଇଛି। ରାଜ୍ୟ ସରକାର ଖୁବ୍‌ଶୀଘ୍ର ଟର୍ମ ଅଫ୍‌ ରେଫରେନ୍ସ ପାଇଯିବେ। ତେଣୁ ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଟ୍ରିବ୍ୟୁନାଲ୍‌କୁ ଠିକ୍‌ ତଥ୍ୟ ପ୍ରଦାନ କରନ୍ତୁ।

ସମ୍ବନ୍ଧିତ ଖବର