ସ୍କୁଲ୍‌ ଆଗରେ ଗାଡ଼ିରୁ ପଡ଼ି ଛାତ୍ର ମୃତ

ଅଡବା/ମୋହନା: ପୂଜା ଛୁଟି ପୂର୍ବରୁ ଆଜି ଥିଲା ବିଦ୍ୟାଳୟର ଶେଷ ଦିନ। ସ୍କୁଲ ସମୟ ହୋଇ ଯାଉଥିବାରୁ ଏବଂ ସ୍କୁଲ୍‌ ଆଗରେ ଡ୍ରାଇଭର୍‌ ଗାଡ଼ି ନରଖିବାରୁ ତରବରରେ ଗାଡ଼ିରୁ ଡେଇଁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ସବୁ ମହଲକୁ ସ୍ତମ୍ଭୀଭୂତ କରି ଦେଇଛି। ମୃତ ଛାତ୍ର ଜଣକ ମୋହନା ବ୍ଳକ୍‌ ଗୁଣ୍ଡିମା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଗଷ୍ଟିନ ବେହେରା ବୋଲି ଜଣାଯାଇଛି।

ସୂଚନାନୁଯାୟୀ, ପ୍ରତିଦିନ ନିଜ ଗାଁ କଟାମାରୁ ଅଗଷ୍ଟିନ ବସ୍‌ ଯୋଗେ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟକୁ ଆସୁଥିଲେ। ଆଜି ଏକ କମାଣ୍ଡର ଜିପ୍‌(ଓଆର୍‌-୦୨ଟି-୬୫୧୭)ରେ ବିଦ୍ୟାଳୟକୁ ଆସୁଥିଲେ। ତେବେ ଗାଡ଼ିଟି ସ୍କୁଲ ଆଗରେ ନ ଅଟକି ଆଗକୁ ଅତିକ୍ରମ କରି ଚାଲିବା ଦେଖି ଅଗଷ୍ଟିନ୍‌ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ। ସ୍କୁଲ ସମୟ ହୋଇ ଯାଇଥିବାରୁ ହଠାତ୍‌ ସେ ଚଳନ୍ତା ଜିପ୍‌ରୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗାଡ଼ି ଡ୍ରାଇଭର୍‌ଙ୍କ ସାମାନ୍ୟ ଅବହେଳାରୁ ଏତେବଡ଼ ଘଟଣା ଘଟିଗଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଅଡ଼ବା ଥାନା ପୁଲିସ, ବ୍ଳକ୍‌ ଶିକ୍ଷାଧିକାରୀ ସୁଜନ ମଲ୍ଲିକ, ଏବିଡିଓ ଲିଙ୍ଗରାଜ ସାହୁ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୀମାଞ୍ଚଳ ବେହେରା ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ବିଦ୍ୟାଳୟ ଆଗରେ ହମ୍ପସ୍‌ ନିର୍ମାଣ କରିବା, ବିଦ୍ୟାଳୟର ପରିସୀମା ବୋର୍ଡ ଟାଙ୍ଗିବା, ୧୦୦ ଜଣ ଛାତ୍ର ରହିବା ପାଇଁ ହଷ୍ଟେଲ ନିର୍ମାଣ କରିବା ଆଦି ପ୍ରତିଶ୍ରୁତି ମିଳିିବା ପରେ ରାସ୍ତା ଅବରୋଧରୁ ବିରତ ହୋଇଥିଲେ। ଅପରପକ୍ଷେ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ କମାଣ୍ଡରକୁ ଅଡ଼ବା ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର