ବ୍ରହ୍ମପୁର/ ଜଗନ୍ନାଥପ୍ରସାଦ: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ର ରଘୁନାଥ ସ୍ୱାମୀ ଉଚ୍ଚବିଦ୍ୟାଳୟ, ପଟ୍ଟାଧରର ଛାତ୍ର ସିପୁନ, ସଂଗ୍ରାମ,ସୂର୍ଯ୍ୟ, କାହ୍ନ…..ଏମିତି ଅନେକ ବିଦ୍ୟାଳୟ ଦେଖି ନାହାନ୍ତି, ଗଂଜାମରେ ମଧ୍ୟ ରହୁନାହନ୍ତି। ସେଥିରୁ କିଛି ଛାତ୍ରଛାତ୍ରୀ ଗୁଜୁରାଟରେ ରହୁଛନ୍ତି। ଅଷ୍ଟମ ଶ୍ରେଣୀରେ ମଧ୍ୟ ଏ ଛାତ୍ରଛାତ୍ରୀଙ୍କ ନାମ ରେଜିଷ୍ଟ୍ରାରରେ ନଥିଲା। ମାତ୍ର ଏବେ ସେମାନେ ଚଳିତ ବର୍ଷ ଓଡ଼ିଶା ମାଧ୍ୟମକି ଶିକ୍ଷା ପରିଷଦ(ବୋର୍ଡ) ଅଧୀନରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ଏ ଛାତ୍ରଛାତ୍ରୀଙ୍କ ନାମ ନବମ ଶ୍ରେଣୀରୁ ପଞ୍ଜୀକୃତ କରାଯାଇଛି। ଦଶମ ଶ୍ରେଣୀ ପାସ୍ କରିବା ପାଇଁ ଓଡ଼ିଶାର କିଛି ବିଦ୍ୟାଳୟକୁ ଏଭଳି ବ୍ୟବହାର କରାଯାଉଛି। ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଏଭଳି ଏକ ଭୟଙ୍କର ଅନିୟମିତତା ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲା ଗୋଟାକୁ ୧୫ରୁ ୨୨ ହଜାର ଟଙ୍କା ନେଇ ମାଟ୍ରିକ୍ ପାସ୍ କରାଇ ଦେବା ପାଇଁ ଏଭଳି ଏକ ର୍ୟାକେଟ୍ରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ସୁରତରେ ଅନୁମତି ପାଇନଥିବା ଏକ ବିଦ୍ୟାଳୟକୁ ବଂଚାଇବାକୁ ଏ ପ୍ରକାର ଏକ ର୍ୟାକେଟ୍ ଗଂଜାମ ଜିଲ୍ଲାରେ କାମ କରୁଛି। ଅନ୍ୟପକ୍ଷରେ ସରକାରୀ ଗାଇଡ ଲାଇନ ମୁତାବକ ପିଲା ହେଉନଥିବାରୁ ଏଭଳି ପଦ୍ଧତ୍ତି ଆପଣେଇଥିବା ଜଣେ ପ୍ରଧାନଶିକ୍ଷକ ସ୍ୱୀକାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗଂଜାମ ଜିଲ୍ଲାର ରଘୁନାଥ ସ୍ୱାମୀ ହାଇସ୍କୁଲ, ପଟ୍ଟାଧାର, ସିଏସ୍ ଆଞ୍ଚଳିକ ବାଳିକା ଉଚ୍ଚବିଦ୍ୟାଳୟ ବିଡିପୁର ଶାସନ ଓ ବୈଦ୍ୟ ରଘୁନାଥ ହାଇସ୍କୁଲ କୁମ୍ଭାରୀରେ ଏଭଳି ଅନିୟମିତତା ଏବେ ସାମ୍ନାକୁ ଆସିଛି। ରଘୁନାଥ ସ୍ୱାମୀ ହାଇସ୍କୁଲର ୯ ଜଣ ଛାତ୍ରଛାତ୍ରୀଙ୍କ ଏଭଳି ପଞ୍ଜୀକରଣ କରାଯାଇଥିବା ବେଳେ ସି.ଏସ୍ ଆଞ୍ଚଳିକ ବାଳିକା ବିଦ୍ୟାଳୟରେ ୧୬ ଜଣ ଛାତ୍ରୀ ଓ ବୈଦ୍ୟ ରଘୁନାଥପୁର ହାଇସ୍କୁଲରେ ୬ ଜଣ ଛାତ୍ରୀଙ୍କର ଏହିଭଳି ପଞ୍ଜୀକରଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏକ ବଡଧରଣର ର୍ୟାକେଟ୍ର ପର୍ଦାଫାସ ହେବ ବୋଲି ଜଣାପଡିଛି।
ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍, ଖମାରପଲ୍ଲୀ ପଞ୍ଚାୟତର ପଟ୍ଟାଧର ଗ୍ରାମର ରଘୁନାଥ ସ୍ୱାମୀ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ୮ମ ଶ୍ରେଣୀରେ ପାଠ ପଢିନଥିବା ତଥା ବିଦ୍ୟାଳୟକୁ ଆଦୌ ଆସୁନଥିବା କିଛି ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ କରିଥିବା ଅଭିଯୋଗ ହୋଇଛି। ପଞ୍ଜୀକୃତ ହୋଇଥିବା ମୋଟ ୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ଜଣ ଛାତ୍ର ବିଦ୍ୟାଳୟ ବାରଣ୍ଡା ମାଡି ନାହାନ୍ତି। ମାତ୍ର ସେମାନେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବାକୁ ନାମ ପଞ୍ଜୀକୃତ କରିଥିବା ତଥ୍ୟରୁ ଜଣାପଡିଛି। ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ଜଣ ଛାତ୍ରଛାତ୍ରୀ ସ୍ଥାନୀୟ ଅଞ୍ଚଳରେ ହୋଇନଥିବା ଓ ସେମାନେ ଏଠାରେ ରହୁନଥିବା ମଧ୍ୟ ଜଣାପଡିଛି। ସେମାନେ ଗୁଜୁରାଟର ସୁରତ ଅଞ୍ଚଳରେ ତାଙ୍କ ଅଭିଭାବକଙ୍କ ସହିତ ରହୁଛନ୍ତି। ଏହି ଛାତ୍ରଛାତ୍ରୀମାନେ ସୁରତର ଆମ୍ବୋଲି ଓ ଆଲାକାପୁରୀ ସ୍ଥିତ ମ୍ୟୁନସିପାଲଟିସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ତେବେ ସେଠାରେ ଏହି ବିଦ୍ୟାଳୟକୁ ୯ମ ଓ ୧୦ମ ଶ୍ରେଣୀ ପାଇଁ ଅନୁମତି ମିଳିନଥିବାରୁ ବିଦ୍ୟାଳୟ କର୍ତୃପକ୍ଷ ବିଦ୍ୟାଳୟକୁ ବଂଚାଇବାକୁ ଏଭଳି ଏକ ଅସାଧୁ ଉପାୟ ଅବଲମ୍ବନ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ପ୍ରଧାନଶିକ୍ଷକଙ୍କୁ ହାତ କରି ସେଠାକାର ଛାତ୍ରଛାତ୍ରୀଙ୍କ ନାମ ଏଠାରେ ଏନ୍ରୋଲମେଣ୍ଟ୍ କରାଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଜରିଆରେ ପରୀକ୍ଷା ଦେବାକୁ ଉଦ୍ୟମ କରିଛନ୍ତି। ମାତ୍ର ସରକାରୀ ଅନୁଦାନ ପାଉନଥିବା ଏହି ବିଦ୍ୟାଳୟଗୁଡିକ ଏବେ ବଂଚିବା ପାଇଁ ଏଭଳି ଏକ ଭୟଙ୍କର ଅନିୟମିତତାକୁ ଆପଣେଇ ନେଇଛନ୍ତି। ସ୍କୁଲ ବଂଚାଇବାକୁ ଗୁଜୁରାଟ, ମୁମ୍ବାଇରେ ରହୁଥିବା ପିଲାଙ୍କୁ ମାଟ୍ରିକ୍ ପାସ୍ କରାଇବା ପାଇଁ ନାମ ପଞ୍ଜୀକରଣ କରାଉଛନ୍ତି। ଗଂଜାମ ଜିଲ୍ଲାରେ କେବଳ ଏହି ତିନୋଟି ନୁହେଁ ବରଂ ସରକାରୀ ଅନୁଦାନ ପାଉନଥିବା ବିଦ୍ୟାଳୟଗୁଡିକ ଏ ପ୍ରକାର ଜାଲିଆତିକୁ ପ୍ରଶ୍ରୟ ଦେଉଛନ୍ତି।
ଏ ସଂପର୍କରେ ପଟ୍ଟାଧର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରେ, ଏହି ବିଦ୍ୟାଳୟ ଗତ ୧୯୯୫ ମସିହାରୁ ସ୍ଥାପିତ ହୋଇଛି। ଗତ ୨୨ ବର୍ଷ ହେବ କୌଣସି ସରକାରୀ ଅନୁଦାନ ପାଇନାହିଁ। ଗ୍ରାମବାସୀ କମିଟି ଗଠନ କରି ଏହି ବିଦ୍ୟାଳୟ ଚଲାଇଛନ୍ତି। ସ୍କୁଲକୁ ପିଲା କେଉଁଠୁ ଆସିଲେ ସେ ସଂପର୍କରେ କିଛି କହିପାରିବେ ନାହିଁ ବୋଲି ମନା କରିବା ସହିତ ଏ ସଂପର୍କରେ ସ୍କୁଲ ସଭାପତି ଜାଣିଥିବେ କହି ଅଭିଯୋଗକୁ ଏଡାଇ ଯାଇଥିଲେ। ଅନ୍ୟପକ୍ଷରେ ବିଡିପୁରସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଗୌଡଙ୍କୁ ପଚାରିବାରେ ସେ ଘଟଣା ସତ୍ୟ ବୋଲି ସ୍ୱୀକାର କରିଛନ୍ତି। ତେବେ ସରକାରଙ୍କ ଗାଇଡ୍ଲାଇନ ମୁତାବକ ପିଲା ସଂଖ୍ୟା କମ ରହିଥିବାରୁ ଏଭଳି ପିଲାଙ୍କ ନାମ ପଞ୍ଜୀକରଣ କରାଯାଇଛି। ତେବେ ପିଲାମାନେ ବିଦ୍ୟାଳୟ ଆସନ୍ତି ନାହିଁ, କି ସେମାନଙ୍କୁ ସେ ଚିହ୍ନି ନଥିବା ଭଳି ଏକ ବିସ୍ଫୋରକ ସତ୍ୟ ଓଗାଳିଛନ୍ତି। ଭୁଲ ହୋଇଛି, ଏଥର ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି, ସେମାନଙ୍କୁ ସୁଯୋଗ ଦିଆଯାଉ, ଆଗକୁ ଆଉ ଭୁଲ ହେବ ନାହିଁ ବୋଲି କହିଛନ୍ତି। ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କୁ ପଚାରିବାରେ ଏ ସଂପର୍କିତ ଅଭିଯୋଗ ସେ ପାଇଛନ୍ତି। ତେବେ ସେ ଜଗନ୍ନାଥପ୍ରସାଦ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ଅବସର ନେଇଛନ୍ତି। ଏବେ ଆଉ ଜଣକୁ ତଦନ୍ତ ଭାର ଦେବେ ବୋଲି କହିଛନ୍ତି।