ସୁନ୍ଦରଗଡ ଜିଲ୍ଲାରେ ଯକ୍ଷ୍ମା ପରୀକ୍ଷଣ ମେସିନ୍‌ କିଣାରେ ବ୍ୟାପକ ଦୁର୍ନୀତିର ଗନ୍ଧ

୧୨.୫୦ ଲକ୍ଷର ମେସିନ୍‌କୁ ୩୩.୫୦ ଲକ୍ଷ ଟଙ୍କାର ବିଲ୍, ଏଲ୍‌ଇଡି ମାଇକ୍ରୋସ୍କୋପ୍‌ କିଣାରେ ବି ହେରଫେର‌

ରାଉରକେଲା : ସ୍ବାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତାଘାଟ ମରାମତି ଆଦି ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ପାଣ୍ଠିକୁ କୋଟି କୋଟି ଟଙ୍କା ଦେଉଥିବା ସୁନ୍ଦରଗଡ଼ ଜିଲ୍ଲାରେ ଖଣିଜ ପାଣ୍ଠି ଅର୍ଥର ବିନିଯୋଗକୁ ନେଇ ନାନା ବିବାଦ ସୃଷ୍ଟି ହୋଇଛି। ଅନେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାମାନେ ସଲାସୁତୁରାରେ ମିଳୁଥିବା ଅର୍ଥରୁ ରାଜଭାଗ ଚଳୁ କରି ଦେଉଛନ୍ତି।

ସୁନ୍ଦରଗଡ ଜିଲ୍ଲାରେ ନିକଟରେ ହୋଇଥିବା ଯକ୍ଷ୍ମା ପରୀକ୍ଷଣ ମେସିନ୍‌ (ଟ୍ରୁ ନାଟ୍‌) କିଣାରେ ବ୍ୟାପକ ଦୁର୍ନୀତିର ଗନ୍ଧ ଜଣା ପଡୁଛି। ଏହି ମେସିନ୍‌କୁ ଢ଼େର ଅଧିକ ଦାମରେ କିଣା କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ମେସିନ୍‌ର ବଜାର ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଥିବାବେଳେ ତାହାକୁ  ୩୩ ଲକ୍ଷ ୫୦ ହଜାର ୫୧୯ ଟଙ୍କାରେ କିଣା ଯାଇଛି। ଜିଲ୍ଲାର ପାନପୋଷ ଉପଖଣ୍ଡ ହସ୍ପିଟାଲ, ବଣାଇ, କୋଇଡା, କୁଆରମୁଣ୍ଡା, ରାଜଗାଙ୍ଗପୁର ଓ ହେମଗିରି ଡାକ୍ତରଖାନ ପାଇଁ ଗୋଟିଏ ଲେଖାଏଁ କରି ମୋଟ୍‌ ୬ଟି ଟ୍ରୁ ନାଟ୍‌ ମେସିନ୍‌ କିଣା ଯାଇଛି। ଗୋଟିଏ ମେସିନ୍‌କୁ ୨୧ ଲକ୍ଷ ଟଙ୍କା ଅଧିକ ମୂଲ୍ୟରେ କିଣାଯାଇଥିବା ବିଲ୍‌ରେ ଦର୍ଶାଯାଇଛି। ଏପରି ଭାବେ ୬ଟି ମେସିନ୍‌ରେ ପାଖାପାଖି ୧ କୋଟି ୨୬ ଲକ୍ଷ ଟଙ୍କାର ବିଲ୍‌ରେ ଦର୍ଶାଯାଇଛି। ତେଣୂ ମେସିନ୍‌ କିଣାରେ ସମ୍ପୃକ୍ତ ଅଧିକାରୀମାନଙ୍କର ଭୂମିକା ସନ୍ଦେହ ଘେରକୁ ଆସି ଯାଇଛି। ଏହାର ବିଧିବଦ୍ଧ ଯାଞ୍ଚ କରାଯିବା ଉଚିତ।

ଅନୁରୂପ ଭାବେ ଏହି ମେସିନ୍‌ରେ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଥିବା କ୍ୟାଟ୍ରିଜ୍‌ର ଦାମ ବଜାର ମୂଲ୍ୟ ଠାରୁ ଢ଼େର ଅଧିକ ଦର୍ଶାଯାଇଛି। ଗୋଟିଏ କ୍ୟାଟ୍ରିଜ୍‌ର ବଜାର ମୂଲ୍ୟ  ୭ଶହରୁ ୮ ଶହ ଟଙ୍କା ଥିବାବେଳେ ‌ବିଲ୍‌ରେ ଗୋଟାପ୍ରତି ୧୨ଶହରୁ ୧୩୦୦  ଟଙ୍କା ଦର୍ଶାଯାଇଛି। ଅର୍ଥାତ୍‌ କ୍ୟାଟ୍‌ରିଜ୍‌ଗୁଡ଼ିକୁ ଗୋଟାପ୍ରତି ୪୦୦ ଟଙ୍କା ଅଧିକରେ, ଅର୍ଥାତ୍ ୫୦ ପ୍ରତିଶତ ଅଧିକ ମୂଲ୍ୟରେ କିଣାଯାଇଛି। ଏହିପରି ଭାବେ ୨୫ ହଜାର କ୍ୟାଟ୍‌ରିଜ୍‌ କିଣାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଅଧିକ ଠିକା ସଂସ୍ଥାକୁ ଦିଆଯାଇଛି। ଏକକାଳୀନ ଏତେ ସଂଖ୍ୟାରେ କ୍ୟାଟ୍ରିଜ୍‌ ଆବଶ୍ୟକ ନଥିଲେ ମଧ୍ୟ ଅର୍ଥ ଆତ୍ମସାତ୍‌ କରିବାକୁ ଏଭଳି କରାଯାଇଥିବା କୁହାଯାଉଛି। ସେହି ସମାନ ସ୍ଥିତି ଏଲ୍‌ଇଡି ମାଇକ୍ରୋସ୍ପୋପ୍‌  କିଣାରେ। ଚଳିତ ଥର ଯକ୍ଷ୍ମା ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ୩୭ଟି ମାଇକ୍ରୋସ୍କୋପ୍‌ ମେସିନ୍‌ କିଣାଯାଇଛି। ଗୋଟିଏ ମାଇକ୍ରୋସ୍କୋପ୍‌ ମେସିନ୍‌ର ବଜାର ଦର ପ୍ରାୟ  ୧ଲକ୍ଷ ୧୦ ହଜାର ଟଙ୍କା ଥିବାବେଳେ ଏହାକୁ କିଣାଯାଇଛି ପ୍ରାୟ ୨ ଲକ୍ଷ ୯୫ ହଜାର ଟଙ୍କାରେ। ଅର୍ଥାତ୍‌ ଗୋଟା ପିଛା ଅଧିକ ୧ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହିପରି ଭାବେ ୩୭ଟି ମାଇକ୍ରୋସ୍ପୋପ୍‌ ମେସିନ୍‌ରେ ପ୍ରାୟ ୬୮ଲକ୍ଷ ୪୫ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି।

ଉଲ୍ଲେଖନୀୟ ଯେ ଏସବୁ ମେଡିକାଲ ଯନ୍ତ୍ରପାତି କିଣା ପାଇଁ ଖୋଲା ଟେଣ୍ଡର କରାଯାଇଥିଲା। ଟ୍ରୁ ନାଟ୍‌ ମେସିନ୍‌, ମାଇକ୍ରୋସ୍ପୋପ୍‌ ଓ  ଟ୍ରୁ ନାଟ୍‌ ମେସିନ୍‌ରେ ଆବଶ୍ୟକ କ୍ୟାଟ୍ରିଜ୍‌ ପାଇଁ  ପର୍ଯ୍ୟାୟକ୍ରମେ ତିନି ଥର ଖୋଲା ଟେଣ୍ଡର କରାଯାଇଛି। ଟେଣ୍ଡରରେ ୩/୪ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ଶେଷରେ କଟକର ଏକ ସଂସ୍ଥା  ଠିକା ପାଇଥିଲା। କୋଟି କୋଟି ଟଙ୍କାର ଜିନିଷ ସେହି ଗୋଟିଏ ସଂସ୍ଥା ଯୋଗାଇ ଦେଇଛି। ସେପଟେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଟ୍ରୁ  ନାଟ୍‌ ମେସିନ୍‌ର ଆବଶ୍ୟକତା ଥିଲାବେଳେ ଏହାକୁ ଜାଣିଶୁଣି ପାନପୋଷ ଉପଖଣ୍ଡ ହସ୍ପିଟାଲରେ ଲଗାଯାଇଛି। ପ୍ରତିଦିନ ଆର୍‌ଜିଏଚ୍‌କୁ ୫ରୁ ୨୦ ଜଣ ରୋଗୀ ଯକ୍ଷ୍ମା ପରୀକ୍ଷା ପାଇଁ ଆସୁଛନ୍ତି। କିନ୍ତୁ ସେମାନଙ୍କର ପରୀକ୍ଷା କରାଯାଉଛି ପାନପୋଷ ଉପଖଣ୍ଡ ହସ୍ପିଟାଲରେ। ଏ ସଂକ୍ରାନ୍ତରେ ରୋଗୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କିଛି ସୁଫଳ ମିଳୁନାହିଁ। ପୁଣି ଯେଉଁସବୁ ଡାକ୍ତରଖାନାକୁ ସେ ମେସିନ୍ ଦିଆ ଯାଇଛି, ‌ସେଥିରୁ କେତୋଟିରେ ତାହାକୁ ଚଳାଇବାଲାଗି ଟେକ୍ନିସିଆନ୍ ନଥିବାରୁ କିଛିଦିନ ବେକାର ପଡ଼ିବା ପରେ ସେଗୁଡ଼ିକୁ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆ ଯାଇଛି। ଡିଏମ୍‌ଏଫ୍‌ ଫାଣ୍ଠି ପରିଚାଳନା ଦାୟିତ୍ବରେ ଥିବା ଜନୈକ କର୍ମଚାରୀ କହିଛନ୍ତି ଚଳିତ ବର୍ଷ ଜିଲ୍ଲାରେ ଟ୍ରୁ ନାଟ୍‌ ମେସିନ୍‌ କିଣା ପାଇଁ  ପ୍ରାୟ ୫ କୋଟି ମଞ୍ଜୁରୀ ହୋଇଛି। ଏଥିସହ ୨୫ ହଜାର କ୍ୟାଟ୍‌ରିଜ୍‌ ଓ ୩୭ଟି ମାଇକ୍ରୋସ୍ପୋପ୍‌ ମେସିନ୍‌ କିଣା ପାଇଁ ମଧ୍ୟ ଡିଏମ୍‌ଏଫ୍‌ ପାଣ୍ଠିରୁ ଅର୍ଥ ଦିଆଯାଇଛି। ଟ୍ରୁନାଟ୍‌ ମେସିନ୍‌ ଦୁଇ ବର୍ଷ ୱାରଣ୍ଟି ସହ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ସର୍ଭିସ୍‌, ଟ୍ରାନ୍ସପୋର୍ଟ, ଟ୍ରେନିଂ ବାବଦରେ ‌ମେସିନ୍‌ ପିଛା ୩୩ ଲକ୍ଷ ୫୦ ହଜାର ୫୧୯ ଟଙ୍କା ଦିଆଯାଇଛି।

ତେବେ ଏଭଳି ଅଭିଯୋଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ପଟେଲ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପୂର୍ବ ସିଡିଏମ୍‌ଓ ଥିଲାବେଳେ ଖୋଲା ଟେଣ୍ଡର ହୋଇଥିଲା। ସେମିତି କିଛି ଦୁର୍ନୀତି ହୋଇଥିବା କାହିଁକି ମନେ ହେଉନାହିଁ। ଏହି ମେସିନ୍‌ରେ ଏକ କାଳୀନ ୪ ଜଣ ରୋଗୀଙ୍କର ଯକ୍ଷ୍ମା ପରୀକ୍ଷା କରାଯାଇ ପାରୁଛି। ଏଥିସହ କୋଭିଡ୍‌, ଏଚ୍‌ଆଇଭି, ମେଲେରିଆ ଆଦି ୨୫ ପ୍ରକାର ରୋଗର ପରୀକ୍ଷା କରାଯାଇ ପାରୁଛି। ମଡେଲ ଅନୁଯାୟୀ ଦାମ ଅଧିକ ହୋଇଥାଇ ପାରେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାରେ ମାସକୁ  ପ୍ରାୟ ୩୦୦ରୁ ୪୦୦ ରୋଗୀଙ୍କର ଯକ୍ଷ୍ମା ପରୀକ୍ଷା ହେଉଛି। ଏପରି ଭାବେ ବର୍ଷକୁ ପ୍ରାୟ ୪, ୫୦୦ ରୋଗୀଙ୍କର ଯକ୍ଷ୍ମା ପରୀକ୍ଷା ଟ୍ରୁ ନାଟ୍‌ ମେସିନ୍‌ରେ କରାଯାଉଛି।

ସମ୍ବନ୍ଧିତ ଖବର