ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଲେ ଶିକ୍ଷକ; ବର୍ଷାରେ ଭିଜି ଜାରି ରଖଲେ ଆନ୍ଦୋଳନ : ବିଧାନସଭାରେ ବିଜେପି କଲା ହଟ୍ଟଗୋଳ
କନକ ବ୍ୟୁରୋ : ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳୁଛନ୍ତି ଆନ୍ଦୋଳନରତ ଶିକ୍ଷକ । ଦାବି ପୂରଣ ପାଇଁ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ଅଧ୍ୟାପକ । ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥବାରୁ ଶିକ୍ଷକ ମାନେ ତାଙ୍କ ଦାବି ପୂରଣ ପାଇଁ ଲଢେଇ ଜାରି ରଖିଛନ୍ତି । ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଉ ନ ଥିବାରୁ ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବାକୁ ପୂର୍ବରୁ ଧମକ ଦେଇଥିଲେ ଆନ୍ଦୋଳନରତ ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ମିଳିତ ମଞ୍ଚ । ଯଦି ସରକାର ଦାବି ପୂରଣ ନକରନ୍ତି ଆସନ୍ତାକାଲି ଠାରୁ ସ୍କୁଲରେ ତାଲା ପଡିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଗୁରୁ ଦିବସକୁ କଳାଦିବସ ପାଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ଶିକ୍ଷକମାନେ କ’ଣ ଗୁରୁଦିବସ ପାଳନ କରନ୍ତି ? କଳାଦିବସ ପାଳନ କଲେ ବି ଏହାର କୌଣସି ପ୍ରଭାବ ପଡ଼ିବନାହିଁ ଏବଂ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ।’
ତେବେ ଶିକ୍ଷକମାନଙ୍କ ସମସ୍ୟାକୁ ନେଇ ଆଜି ବିଧାନସଭା ମୌସୁମୀ ଅଧିବେଶନରେ ହଙ୍ଗାମା କରିଛନ୍ତି ବିଜେପି ନେତା । ଗୃହର ମଧ୍ୟଭାଗକୁ ଆସି ବିଜେପି ନେତାମାନେ ହଟ୍ଟଗୋଳ କରିଛନ୍ତି । ଏପରିକି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏବଂ ରବି ନାଏକ ଲୋୟର ପିଏମଜି ଠାରେ ଚାଲିଥିବା ଶିକ୍ଷକମାନଙ୍କର ଏହି ପ୍ରତିବାଦରେ ସାମିଲ ମଧ୍ୟ ହୋଇଛନ୍ତି । ଗୃହ ଅଚଳ ହେବା ପରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ବିଧାୟକ ରବି ନାଏକ କହିଛନ୍ତି । ଏପରିକି ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ପକ୍ଷପାତିତାକୁ ସେ ନିନ୍ଦା କରିଛନ୍ତି ।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ସରକାର ଅତୀତରେ ଶିକ୍ଷକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ପ୍ରତିଶ୍ରୁତି ଦେଇ ପାଳନ ନକରିବା ଏକ ଦୁର୍ଭାଗ୍ୟଜନକ ଘଟଣା । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ସେ କହିଛନ୍ତି । ତେବେ ରାଜ୍ୟ ସରକାର ତୁରନ୍ତ ଶିକ୍ଷକମାନଙ୍କର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ସେପଟେ ଶିକ୍ଷକମାନଙ୍କୁ ସରକାର ଅବେହଳା କରିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ରବି ନାଏକ ।