ମାଟ୍ରିକ୍‌ରେ ୬୦%ରୁ କମ୍‌ ରେଜଲ୍ଟ କରିଥିବା ହାଇସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ : ଶିକ୍ଷକଙ୍କୁ ପ୍ରଶ୍ନ, ଦରମା ବନ୍ଦ ହେବନି କାହିଁକି?

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ହାଇସ୍କୁଲ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ୬୦ ପ୍ରତିଶତରୁ କମ୍‌ ରେଜଲ୍ଟ କରିଥିବା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ବିଭାଗ ନାଲିଆଖି ଦେଖାଇଛି। ୬୦ ପ୍ରତିଶତରୁ କମ୍‌ ପରୀକ୍ଷାଫଳ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ଏଭଳି କାର୍ଯ୍ୟାନୁଷ୍ଠାନ ଭୟ ଦେଖାଯାଇଛି। କେଉଁ କାରଣ ପାଇଁ ପରୀକ୍ଷା ଫଳ ଖରାପ ହେଲା, କର୍ତ୍ତବ୍ୟରେ ଅବହେଳା ପାଇଁ କାହିଁକି ଦରମା ବନ୍ଦ କରା ନ ଯିବ, ଶିକ୍ଷକମାନଙ୍କଠାରୁ ତାହାର ସ୍ପଷ୍ଟୀକରଣ ମଗାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ଜୁନ୍‌ ୧୨ ତାରିଖ ସୁଦ୍ଧା କାରଣ ଦର୍ଶାଅ ରିପୋର୍ଟ ଦେବାକୁ କେତେକ ଡିଇଓ ଶିକ୍ଷକମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଚଳିତବର୍ଷ ମାଟ୍ରିକ୍‌ରେ ପାସ୍‌ହାର ୭୬.୨୩% ରହିଥିଲା। ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୯ ପ୍ରତିଶତ କମ୍‌। ଏଭଳି ପରୀକ୍ଷା ଫଳକୁ ନେଇ ବିଭିନ୍ନସ୍ତରରେ ଗଣଶିକ୍ଷା ବିଭାଗ ସମାଲୋଚନାର ଶିକାର ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। କେଉଁ କାରଣ ପାଇଁ ଏଭଳି ଫଳ ହେଲା ତାହାର ମଧ୍ୟ ଅନୁଧ୍ୟାନ କରାଯିବା ପରେ ଏବେ ବିଦ୍ୟାଳୟଗୁଡ଼ିକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ୬୦ ପ୍ରତିଶତକୁ ଏକ ମାନଦଣ୍ଡ ଭାବେ ଗ୍ରହଣ କରାଯାଇ ବିଦ୍ୟାଳୟଗୁଡ଼ିକୁ ନୋଟିସ୍‌ ପଠାଯାଉଥିବା ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅଧିକାରୀ ଜଣକ ନାମ ଗୋପନ ରଖି କହିଛନ୍ତି ଯେ ଏବର୍ଷ ୩୬ଟି ହାଇସ୍କୁଲରେ ‘ଶୂନ’ ରେଜଲ୍ଟ ହୋଇଛି। ଏହି ବିଦ୍ୟାଳୟଗୁଡ଼ିକରେ ଜଣେ ବି ହେଲେ କେହି କୃତକାର୍ଯ୍ୟ ହୋଇନାହାନ୍ତି। ୬୫୩ଟି ହାଇସ୍କୁଲରେ ୬୦ ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ତେଣୁ ସେମାନଙ୍କୁ ନୋଟିସ୍‌ ଜାରି କରିବା ଲାଗି କିଛି ଦିନ ତଳେ ବସିଥିବା ସମୀକ୍ଷା ବୈଠକରେ ସ୍ଥିର ହୋଇଥିଲା। ବିଦ୍ୟାଳୟଗୁଡ଼ିକ ଆଗାମୀ ବର୍ଷରେ କିଭଳି ଭଲ ପ୍ରଦର୍ଶନ କରିବେ, ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଯଦି ଭଲ କରିବାକୁ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ପ୍ରତିଶ୍ରୁତି ଦେବେ ତେବେ ପୁଣି ଦରମା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟଙ୍କ ମତରେ ସମସ୍ତେ ନିଜ ନିଜ ବାଟରେ ଠିକ୍‌ ଅଛନ୍ତି। ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ତୁଲାଇ ଖରାପ ଫଳାଫଳ କରିଥିବା ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ନୋଟିସ୍‌ର ଉତ୍ତର ଦେବା କଥା। ଏଭଳି ପ୍ରକ୍ରିୟା ନିତିଦିନିଆ ହୋଇଗଲାଣି। ସରକାର ଏହାକୁ ଗୁରୁତ୍ୱ ଦେବା ଦରକାର। କେଉଁଠି କେତେ ଶିକ୍ଷକ ରହିଛନ୍ତି? ଯେଉଁଠି ଶିକ୍ଷକ ନାହାନ୍ତି, ସେଠାରେ ନୂତନ ନିଯୁକ୍ତି ଦିଆଯାଇଛି କି? ଶିକ୍ଷକ ନିଯୁକ୍ତ ହୋଇଥିବା ବିଦ୍ୟାଳୟରେ ପଢ଼ାଇବାକୁ ଯାଉଛନ୍ତି କି ନାହିଁ? କମ୍‌ ଶିକ୍ଷକ ଥିବା ବିଦ୍ୟାଳୟରେ କିଭଳି ପାଠପଢ଼ା ହେଉଛି? ତାହା ଉପରେ ବି ଅନୁଧ୍ୟାନ ହେବାର ଆବଶ୍ୟକତା ରହିଛି।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଦରମା ସହ କାରଣଦର୍ଶାଅକୁ ଯୋଡ଼ିବା ଠିକ୍‌ ହେବ ନାହିଁ। ବହୁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ପାଠପଢ଼ା ବିପର୍ଯ୍ୟସ୍ତ ହୋଇଛି। ଶିକ୍ଷକ ନିଯୁକ୍ତି ଦିଆଯାଉନି। ତାହା କିଭଳି ହେବ, ସେଥିପ୍ରତି କାହାର ଧ୍ୟାନ ନାହିଁ। ମାଟ୍ରିକ୍‌ରେ ଖରାପ ରେଜଲ୍ଟ ପାଇଁ ଶିକ୍ଷା ବ୍ୟବସ୍ଥା, ପ୍ରଶାସନ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଦାୟୀ ରହିବେ। କେବଳ ଶିକ୍ଷକମାନଙ୍କୁ ମୋହରା କରି କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇବା ଠିକ୍‌ ନୁହେଁ।

ସମ୍ବନ୍ଧିତ ଖବର