କୋହଲା ପାଗ ଆଉ ଦୁଇ ଦିନ, ୨୨ରୁ ବଢ଼ିବ ତାତି

ଭୁବନେଶ୍ବର: କୋହଲା ପାଗ ଆଉ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ପାଗ ବଦଳିବ। ୨୨ ତାରିଖଠାରୁ ଦିନର ତାପମାତ୍ରା ଧୀରେ ଧୀରେ ବଢ଼ିବ। ତାତି ହେବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବ। ମାସ ଶେଷ ବେଳକୁ ମାଲକାନଗିରି ସମେତ ଭୁବନେଶ୍ବର ଓ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକର ତାପମାତ୍ରା ୪ରୁ ୫ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆକଳନ କରାଯାଇଛି ଯେ ୨୦ ଓ ୨୧ ତାରିଖରେ ଓଡ଼ିଶା ଉପରେ କାଳବୈଶାଖୀ ପ୍ରଭାବ ରହିବ। ୨୦ ତାରିଖରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବୈଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ଲାଗି ରହିବ। ୨୧ ତାରିଖ ବେଳକୁ ଉତ୍ତର ଓଡ଼ିଶା ଯଥା ବାଲେଶ୍ବର, ମୟୂରଭଞ୍ଜ ସମେତ ଖୋର୍ଧା, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ବହୁତ ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷ‌ରେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦରେ ସର୍ବାଧିକ ୬.୭ ମିମି ବର୍ଷା ହୋଇଛି। ଏହାବ୍ୟତୀତ ସମ୍ବଲପୁରରେ ୫.୪, ସୁନ୍ଦରଗଡ଼ରେ ୫, କେନ୍ଦୁଝରରେ ୦.୫, ସୋନପୁରରେ .୦୪, ଝାରସୁଗୁଡ଼ାରେ ୦.୩, ବାଲେଶ୍ବରରେ ୦.୧ ମିମି ବର୍ଷା ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ରହିଥିଲା। ମାଲକାନଗିରିରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର