ଆତଙ୍କବାଦୀ ଆକ୍ରମଣ, ଓଡ଼ିଆ ଯବାନ ଅଜିତ ସହିଦ୍
ଫେସ୍ବୁକ୍ରେ ଲେଖିଥିଲେ: ଦେଶ୍କେ ଲିୟେ ଜିନା, ଦେଶ୍କେ ଲିୟେ ମର୍ନା
ପରିବାର ସ୍ତବ୍ଧ; ଶୋକରେ ବୁଡ଼ିଲା ବଡ଼ସୁଆଁଳ
Sambad is now on WhatsApp
Join and get latest news updates delivered to you via WhatsApp
କାମାକ୍ଷାନଗର: ଫେସ୍ବୁକ୍ ଆକାଉଣ୍ଟରେ ଲେଖିଥିଲେ ‘ଦେଶ୍ କେ ଲିୟେ ଜିନା, ଦେଶ୍ କେ ଲିୟେ ମର୍ନା’..ହେଲେ ୨୪ ଘଣ୍ଟା ବିତିନି, ଦେଶ ପାଇଁ ସେ ସହିଦ ହୋଇଗଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବଡ଼ସୁଆଁଳ ଗାଁର ଯବାନ ଅଜିତ କୁମାର ସାହୁ(୨୭) ଜମ୍ମୁ-କଶ୍ମୀରରେ ଗତକାଲି ଆତଙ୍କବାଦୀଙ୍କ ଆକ୍ରମଣେର ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ବଡ଼ସୁଆଁଳ ସମେତ ସମଗ୍ର କାମାକ୍ଷାନଗର ଉପଖଣ୍ଡକୁ ଆଜି ଶୋକରେ ଡୁବାଇ ଦେଇଛି। ବଡ଼ସୁଆଁଳ ଗାଁର ସନ୍ତୋଷ ସାହୁଙ୍କ ସାନ ପୁଅ ଅଜିତ ମାତ୍ର ୪ ବର୍ଷ ତଳେ ୨୦୧୫ ମସିହାରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ। ତାଲିମ ଶେଷ ପରେ କୋଲକତାରେ ୨ ବର୍ଷ କାର୍ଯ୍ୟ କରିଥିଲେ।
ସେଠାରୁ ତାଙ୍କର ବଦଳି ହୋଇଥିଲା ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ଏକ କ୍ୟାମ୍ପକୁ। ଗତକାଲି ସକାଳେ ସେନା ଗାଡ଼ିରେ ଯିବାବେଳେ ବାପା ସନ୍ତୋଷଙ୍କ ସହ ସେ ଫୋନ୍ରେ ଶେଷଥର ପାଇଁ କଥା ହୋଇଥିଲେ। କହିଥିଲେ ‘ଆଜି ମୁଁ କ୍ୟାମ୍ପ୍ରେ ଯୋଗ ଦେଉଛି। ଏହା ପରେ ଟଙ୍କା ପଠାଇବି। ବାକି ଥିବା ଘରକାମ ଶେଷ କରିବ ଓ ଆଈଙ୍କ ଚିକିତ୍ସା ବ୍ୟବସ୍ଥା କରିବ।’ ସେତିକିବେଳେ ନିଜ େଫସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଦେଶ ପାଇଁ ତାଙ୍କର ଭାବନା ଓ ଯବାନଙ୍କ ଟୋପି ପିନ୍ଧିଥିବା ତାଙ୍କ ମା’ କୁମୁଦିନୀଙ୍କ ଫଟୋ। ହେଲେ ଆଜି ସକାଳେ ଜମ୍ମୁରୁ ବିଭାଗୀୟ କାର୍ଯ୍ୟାଳୟରୁ ବାପା ସନ୍ତୋଷଙ୍କ ପାଖକୁ ଫୋନ୍ ଆସିଥିଲା ଅଜିତ ସହିଦ ହୋଇଯାଇଛନ୍ତି। ଏହି ଦୁଃଖଦ ଖବର ପାଇବା ପରେ ବାପା ସନ୍ତୋଷ, ମା’ କୁମୁଦିନୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ କାନ୍ଦଣାରେ ଘର ଫାଟି ପଡ଼ିଥିଲା, ସାରା ଗାଁ ଶୋକରେ ସ୍ତବ୍ଧ ହୋଇ ଯାଇଥିଲା। ଗତକାଲି ସନ୍ଧ୍ୟାରେ ଅନନ୍ତନାଗ ଅଞ୍ଚଳରେ ସେନାଗାଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଗାଡ଼ିରେ ଅନ୍ୟମାନଙ୍କ ସହ ଯାଉଥିବା ଅଜିତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଡାକ୍ତରଖାନାରେ ଗତକାଲି ରାତି ପ୍ରାୟ ୨ଟାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ କାମାକ୍ଷାନଗର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। କଶ୍ମୀରରୁ ସହିଦଙ୍କ ପାର୍ଥିବ ଶରୀର ତାଙ୍କ ଗାଁକୁ ଆଣିବାର ବ୍ୟବସ୍ଥା କରାଯାଉଛି। କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଆଜି ସହିଦ ଅଜିତଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।