ଶ୍ରୀଜଗନ୍ନାଥଙ୍କ ହଜାର ହଜାର ଏକର ଜମି ଜବରଦଖଲକାରୀଙ୍କ କବଜାରେ, ବେଆଇନ ଅବରୋଧ ବିରୋଧରେ ରୁଜ୍ଜୁ ହୋଇଛି ୮୬୪ ମୋକଦ୍ଦମା
ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ହଜାର ହଜାର ଏକର ଜମି ଏବେ ବେଆଇନ ଭାବେ ଜବରଦଖଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏବେ ବିି ଜଗନ୍ନାଥଙ୍କ ସମସ୍ତ ଜମିର ସତ୍ୱଲିପି ନାହିଁ । ବିଧାନସଭାରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କର ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ଜମି ମଧ୍ୟରୁ ୨୫ ହଜାର ୬୨୩ ଏକର ଜମିର ସତ୍ୱଲିପି ମନ୍ଦିର ପ୍ରଶାସନ ପାଖରେ ନାହିଁ । ଏଥିରୁ ମାତ୍ର ୩୪ ହଜାର ୮୦୩ ଏକର ଜମିର ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଛି । ଅର୍ଥାତ୍ ଜଗନ୍ନାଥଙ୍କର ବହୁ ପରିମାଣର ଭୂସମ୍ପତ୍ତି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି । ସେହିପରି ଜଗନ୍ନାଥଙ୍କର ସ୍ଥାୟୀ ଜମା ଆକାରରେ ୫୫୨ କୋଟି ୪୩ ଲକ୍ଷ ଟଙ୍କା ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଗୃହରେ ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଂଟିଆଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ସଂପତ୍ତି ଓଡିଶାର ୨୪ଟି ଜିଲ୍ଲାରେ ରହିଛି। ଏଯାବତ୍ ୬୦ ହଜାର ୪୨୭ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଅଦ୍ୟାବଧି ୩୪୮୦୩.୦୧୩ ପରିମିତ ଜମିର ଚୂଡାନ୍ତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ତେବେ ବିନା କାଗଜପତ୍ରରେ ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ସରଜମିନ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇ ଉକ୍ତ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୧୬-ଏ(୧) ଅନୁଯାୟୀ ୮୬୪ଟି ବେଆଇନ ଅବରୋଧ ମୋକଦ୍ଦମା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଏର କରାଯାଇଛି ।
ଏହି ସବୁ ଭୂସଂପତ୍ତି ରାଜ୍ୟର ୨୪ଟି ଜିଲ୍ଲାରେ ଥିବା ବେଳେ ଓଡ଼ିଶା ବ୍ୟତୀତ ୬ଟି ରାଜ୍ୟରେ ରହିଛି। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ ଆଦି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ରହିଛି ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି।