କଡ଼ାକଡ଼ି ହେବ ଶ୍ରୀମନ୍ଦିରରେ ମୋବାଇଲ କଟକଣା

ଫଟୋ ଭାଇରାଲ ପଛରେ ଯାତ୍ରୀ ଗୁମାସ୍ତା

ପୁରୀ: ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ପରେ ମୋବାଇଲ୍ କଟକଣାକୁ କଡ଼ାକଡ଼ି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ପ୍ରସଙ୍ଗରେ ଆଜି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଫଟୋ ବାରମ୍ବାର ଭାଇରାଲ ହେବା ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପରେ ମନ୍ଦିର ପ୍ରଶାସନ ଉଭୟ ସେବାୟତ, ପୁଲିସ ଓ ଭକ୍ତଙ୍କ କ୍ଷେତ୍ରରେ ମୋବାଇଲ୍ ବ୍ୟବହାର ସଂପୂର୍ଣ୍ଣ ବନ୍ଦ ପାଇଁ ବିଚାରବିମର୍ଶ ଚଳାଇଛି। ଏ ପରିପ୍ରେକ୍ଷୀରେ କିଏ ଶ୍ରୀମନ୍ଦିରକୁ ମୋବାଇଲ୍ ନେବେ ଓ କେଉଁମାନେ ନେବେ‌ ନାହିଁ ତା’ ଉପରେ ବିଚାର ଚାଲିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ତାଙ୍କ ସୂଚନା ଅନୁସାରେ, ଆଗକୁ କ୍ୟାମେରା ନଥିବା ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ବିଚାର ଚାଲିଛି। ଯେହେତୁ ଅଧିକାଂଶ କମ୍ପାନି ବିନା କ୍ୟାମେରା ମୋବାଇଲ୍ ବନ୍ଦ କରି ସାରିଲେଣି, ଏପରି ପରିସ୍ଥିତିରେ ବିନା କ୍ୟା‌ମେରାବାଲା ମୋବାଇଲ୍ ବ୍ୟବହାର ନିୟମ ଲାଗୁ କରିବା କଷ୍ଟସାଧ୍ୟ ବ୍ୟାପାର। ସାଧାରଣତଃ ଯେଉଁ ଗୁମାସ୍ତାମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି, ଫଟୋ ଭାଇରାଲ ପଛରେ ସେମାନଙ୍କ ହାତ ରହୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏମାନେ ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୋବାଇଲରେ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ୁଛନ୍ତି। ମୋବାଇଲ୍ ପ୍ରବେଶ ଉପରେ ନିୟମ କଡ଼ାକଡ଼ି କରିବା ଉପରେ ବିଚାର ଚାଲିଛି। ଏସ୍‌ପିଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି। ପ୍ରବେଶ ଦ୍ବାର ଦେଇ ଯାଉଥିବା ଭକ୍ତ ଓ ଅନ୍ୟମାନେ ଯେପରି ମୋବାଇଲ୍‌ ଶ୍ରୀମନ୍ଦିରକୁ ନେଇ ପାରିବେନି ତା’ ଉପରେ ଗୁରୁତ୍ବ ଦିଆଯାଇଛି। ସିଂହଦ୍ବାର ଓ ଅନ୍ୟଦ୍ବାରରେ ଚେକିଂକୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର