୧କୋଟିରୁ ଅଧିକ ଶିଶୁଙ୍କୁ ଅଭିଯାନରେ ସାମିଲ କରିବା ଲକ୍ଷ୍ୟ

ଆଜି ଜାତୀୟ କୃମିନାଶକ ଦିବସ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଜାତୀୟ କୃମିନାଶକ ଦିବସ ପାଳିତ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ବର୍ଷକୁ ଦୁଇଥର ପାଳିତ ହୋଇଥାଏ। ତେବେ ରାଜ୍ୟରେ ମିଜିଲ୍‌ସ ରୁବେଲା ଟିକାକରଣ ଚାଲୁଥିବାରୁ ଫେବ୍ରୁଆରି ମାସରେ ହେବାକୁ ଥିବା ଏହି ଦିବସକୁ ଆସନ୍ତାକାଲି ପାଳନ କରାଯିବ। ରାଜ୍ୟରେ ଏଥିପାଇଁ ୧କୋଟିରୁ ଅଧିକ ଶିଶୁଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦେଶକ(ଭାରପ୍ରାପ୍ତ) ଡା. କେ କେ ଦାସ କହିଲେ, ରାଜ୍ୟର ୨୪ଟି ଜିଲ୍ଲାରେ ୧କୋଟି ୩୫ଲକ୍ଷ ୯୦ହଜାର ୩୬୭ଜଣ ଶିଶୁ ଓ ବଳକା ୬ଟି ଜିଲ୍ଲାରେ ସାମୂହିକ ଭାବେ କୃମିନାଶକ ସହିତ ଫାଇଲେରିଆ ଔଷଧ ବଣ୍ଟନ କରାଯିବ। ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରେ ୧ଲକ୍ଷ ୭୨ହାଜର ୨୪ଜଣ ଶିଶୁଙ୍କୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ୨୪ଟି ଜିଲ୍ଲାରେ ହେବାକୁ ଥିବା ଅଭିଯାନରେ ୧୧ତାରିଖରେ ପୁନର୍ବାର ଏହି ଅଭିଯାନ ଅନୁଷ୍ଠିତ ହେବ। ଅପରପକ୍ଷରେ ୬ଟି ଜିଲ୍ଲାରେ କ୍ରମାଗତ ଭାବେ ୪, ୫ ଓ ୬ତାରିଖରେ ଏହି ଅଭିଯାନ ଚାଲିବ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଔଷଧ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ୧-୨ବର୍ଷର ଶିଶୁଙ୍କୁ ଆଲବେଣ୍ଡାଜୋଲ ୫ମି.ଲି ସିରିପ୍‌, ୨-୫ବର୍ଷର ଶିଶୁଙ୍କୁ ୧୦ମି.ଲି ସିରିପ୍‌ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଦାନ କରାଯିବ। ସେହିପରି ୬-୧୯ବର୍ଷର ପିଲାଙ୍କୁ ବିଦ୍ୟାଳୟରେ ଆଲବେଣ୍ଡାଜୋଲ ବଟିକା ପ୍ରଦାନ କରାଯିବ। ତେବେ ଯେଉଁ ପିଲାମାନେ ସ୍କୁଲ ଯାଉ ନାହାନ୍ତି ସେମାନଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ିର କର୍ମୀମାନେ ଏହାକୁ ପ୍ରଦାନ କରିବେ। ଔଷଧ ବଣ୍ଟନ କରାଯିବା ସମୟରେ ପରିଷ୍କାର ଓ ପରିଚ୍ଛନ୍ନତାର ଉପାୟ ବିଷୟରେ ପିଲାଙ୍କୁ ସୂଚନା ଦିଆଯିବ। କୃମି ଯୋଗୁଁ ଅପପୁଷ୍ଟି, ରକ୍ତହୀନତା ସହ ପିଲାଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ବାଧା ଉପୁଜିଥାଏ। ତେଣୁ ପିଲାଙ୍କ ଦେହରୁ କୃମି ଦୂର କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ସେହିପରି ରାଜ୍ୟର ସମସ୍ତ ଜିଲ୍ଲାରେ ୯ମାସରୁ ୫ବର୍ଷର ଶିଶୁଙ୍କୁ ଭିଟାମିନ୍‌ ‘କ’ ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ଅଭିଯାନରେ ସ୍ୱାସ୍ଥ୍ୟ ବିଭାଗ ସମେତ ସହରାଞ୍ଚଳ ବିକାଶ, ଗ୍ରାମ୍ୟ ଉନ୍ନୟନ, ଏସ୍‌/ଏସ୍‌ଟି ବିଭାଗ, ପଞ୍ଚାୟତିରାଜ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହାୟତାରେ ଏହି ଅଭିଯାନ ଚାଲିବ ବୋଲି ଶ୍ରୀ ଦାସ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡା.ପ୍ରମିଳା ବରାଳ, ଡା.ଭିକ୍ଷାକରୀ ନାୟକ, ଡା.ବି.ଆର ପାଢ଼ୀ ଓ ୟୁନିସେଫର କର୍ମକର୍ତା ଅଳକା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର