ଦାଦନ ଦୁଃଖ

ତାମିଲନାଡ଼ୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ଖୁଣ୍ଟା: ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଲବନ୍ଧ ଗ୍ରାମର ଉଦ୍ଧବ ସିଂଙ୍କ ଝିଅ ଲକ୍ଷ୍ମୀ(୨୧)। ଅଭାବୀ ପରିବାରର ଦୁଃଖ ଦୂର କରିବାକୁ ସେ ଘରୁ ଗୋଡ଼ କାଢ଼ିଥିଲେ। ମାତ୍ର ଏବେ ଝିଅର ଶବ ଆଣିବା ପାଇଁ ବାପା ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁସାରେ ଜଣେ ଦଲାଲ ବାଲେଶ୍ୱରର ଏକ କମ୍ପାନିରେ ଚାକିରି କରାଇଦେବ କହି ଲକ୍ଷ୍ମୀଙ୍କ ସହ ଗଣେଶ୍ୱର ସିଂଙ୍କ ପୁଅ ଅଜୟ (୨୧) ଓ ବାଙ୍ଗରା ଗ୍ରାମର କାର୍ତ୍ତିକ ସିଂଙ୍କ ଝିଅ ଭାରତୀ(୨୫)ଙ୍କୁ ଗତ ୯ ତାରିଖ ଦିନ ସାଥିରେ ନେଇ ଯାଇଥିଲା। ପ୍ରଥମେ ବାଲେଶ୍ୱର ପରେ ଭଦ୍ରକରେ ଦୁଇଦିନ ସେମାନଙ୍କୁ ରଖିବା ପରେ ତାମିଲନାଡୁ ଅନ୍ତର୍ଗତ ମଦୁରାଇ ଜିଲ୍ଲାର ସିଣ୍ଡିକୋଲ ଅଞ୍ଚଳକୁ ନେଇଥିଲା। ହେଲେ ସେଠାରେ ଦୀପାବଳି ପୂର୍ବଦିନ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଙ୍କ ଶବ ଫେରିବା ନେଇ ଗାଁଲୋକେ ଦଲାଲ ସହ ଯୋଗାଯୋଗ କରିଥିଲେ। ମାତ୍ର କୌଣସି ଫଳ ମିଳି ନଥିଲା। ଶେଷରେ ଲକ୍ଷ୍ମୀଙ୍କ ମୃତଦେହକୁ ସେଠାରେ ସତ୍କାର କରାଯାଇଛି। ସେହିପରି ସାଙ୍ଗରେ ଯାଇଥିବା ଭାରତୀ ଓ ଗଣେଶ୍ୱରଙ୍କ ପରିବାର ଏବେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି

ସମ୍ବନ୍ଧିତ ଖବର