ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ୨ ଅଟକ, ପୁଲିସର ପଚରାଉଚରା ଜାରି

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରର ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୋମବାର ଜଣାପଡ଼ିଛି। ସିଂହଦ୍ୱାର ପୁଲିସ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡଶଙ୍ଖ (ତାରିଣୀ ଷ୍ଟୋର) ନିକଟ ରାଜୁ ସିଂହଙ୍କ ପୁଅ ଦେବାଶିଷ ସିଂହ (୨୨) ଓ ନୟାଗଡ଼ ଜିଲ୍ଲାର ଫତେଗଡ଼ ଅନ୍ତର୍ଗତ କରଭବା ଗାଁର ଦର୍ଶନ କୁମାର ଦଳେଇଙ୍କ ପୁଅ ରାଜା ଦଳେଇ (୧୯)ଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଜଣେ ଓଲିଉଡ ଅଭିନେତ୍ରୀ ଓ ତାଙ୍କର ପରିବାର ଲୋକେ ଆନନ୍ଦବଜାରରେ ଅବଢ଼ା ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ନେଇ ରବିବାର ଜଣାପଡ଼ିଥିଲା। ଫଟୋ ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରବିବାର ସନ୍ଧ୍ୟାରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା।

ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହୋଇଛି, ଏଥିରେ ଅଭିନେତ୍ରୀ ଦିବ୍ୟା ଓ ଅନ୍ୟ ୪ ଜଣ ଦେଖାଯାଉଛନ୍ତି। ଏମାନେ ସମସ୍ତେ ଅବଢ଼ା ଖାଉଛନ୍ତି। ମାତ୍ର ଫଟୋ କେତେ ଦିନର ପୁରୁଣା, ଏହା ଜଣାପଡ଼ି ନାହିଁ। ମାତ୍ର ଶ୍ରୀମନ୍ଦିରକୁ ମୋବାଇଲ କଟକଣା ଥିଲେ ବି ଜଣେ ବ୍ୟକ୍ତି କେମିତି ଫଟୋ ଉଠାଇ ପାରିଲା ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଏହା ପ୍ରଥମ ଘଟଣା ନୁହେଁ। ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଛି।

ସମ୍ବନ୍ଧିତ ଖବର