ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାଖୀ ପଠାଇଲେ ଯାଜପୁରର କଲେଜ ଛାତ୍ରୀ

ଯାଜପୁର:  ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାଖୀ ବାନ୍ଧିଥାଏ।ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ହାତରେ ରାଖୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ସେହି ବୀର ଯବାନମାନଙ୍କୁ ବଡ ଭାଇର ସମ୍ମାନ ଜଣାଇ ଏଭଳି କିଛି ନିଆରା ପ୍ରୟାସ କରିଛନ୍ତି ଯାଜପୁରର ଚିତାଳୋ କଲେଜର ଛାତ୍ରୀ । ରାଖୀ ଦୋକାନରୁ ନିଜ ମନ ପସନ୍ଦର ରାଖୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

ଚଳିତ ବର୍ଷ ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫ ତାରିଖରେ ପଡୁଛି ଏହି ରକ୍ଷା ବନ୍ଧନ । ଏଥିପାଇଁ କଲେଜର ଛାତ୍ରୀମାନେ ରକ୍ଷାବନ୍ଧନର ଗୀତ ଗାଇ ସୀମା ସରହଦରେ ରହୁଥିବା ସେହି ଯବାନଙ୍କ ପାଇଁ ରାଖୀ ପଠାଇଛନ୍ତି । ଯେଉଁମାନେ ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିକୂଳ ପରିସ୍ଥିତିରେ ରହି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି,ସେମାନେ ବିଭିନ୍ନ ପର୍ବପର୍ବାଣୀରେ ସାମିଲ ହୋଇପାରନ୍ତି ନାହିଁ ।

ସେହି ବୀର ଯବାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବାର ନିଦର୍ଶନ ଦେଖାଇଛନ୍ତି ଏହି ଛାତ୍ରୀମାନେ । ସମସ୍ତେ ନିଜ ନିଜ ମନ ପସନ୍ଦର ରାଖୀ କିଣି ଡାକ ଯୋଗେ ଭାରତୀୟ ସେନାର କାର୍ଯ୍ୟାଳୟକୁ ପଠାଇଛନ୍ତି । ଏହି ରାଖୀ ପଠାଇ ଯବାନମାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । କଲେଜ ଛାତ୍ରୀମାନଙ୍କ ଏଭଳି ଉଦ୍ୟମ ଯବାନମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ ।

 

ସମ୍ବନ୍ଧିତ ଖବର