ଭୂତ କୋଠି ପାଲଟିଛି ପୁରୁଣା ଥାନା

ଗୁଣପୁର : ଗୁଣପୁର ସ୍ଥିତ ପୁରୁଣା ଥାନା ବର୍ତମାନ ଭୂତ କୋଠି ପାଲଟିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କୋଠାଟି ଏଭଳି ଅବସ୍ଥାରେ ପଡି ରହିଛି। ଗତ ୨ବର୍ଷ ତଳେ ଏହି କୋଠାକୁ ଆଧୁନିକିକରଣ କରାଯାଇଥିଲା। ଏପରିକି ଏହି ପୁରୁଣା ଥାନା ପରିସରରେ ମହିଳା ସେଲ୍ ନିମନ୍ତେ ଏକ ନୂତନ କୋଠା ମଧ୍ୟ ନିର୍ମାଣ କରାଯାଇଛି। ଗତବର୍ଷ ନଭେମ୍ବର ମାସରେ ନୂତନ ଥାନା ଉଦ୍‌ଘାଟନ ହେବା ପରେ ନୂତନ କୋଠାରେ ଥାନା ଚାଲୁଛି। କିନ୍ତୁ ପରିତାପର ବିଷୟ ପ୍ରାୟ ୧ବର୍ଷ ହେଲା ବିଭାଗ ପକ୍ଷରୁ ପୁରୁଣା ଥାନାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହା ଭୂତ କୋଠି ପାଲଟି ଯାଇଛି।

ବାତ୍ୟା ତିତ୍‌ଲି ପ୍ରଭାବରେ ପୁରୁଣା ଥାନା ପରିସରରେ ଥିବା ଏକ ଗଛ ଉପୁଡି ଯାଇଥିଲେ ହେଁ ଅଦ୍ୟାବଧି ତାହାକୁ ହଟାଯାଇପାରିନି। ଏହି ଥାନା ପରିସରରେ ଏସଡିପିଓ ଅଶ୍ବିନୀ ନାୟକଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ରହିଥିଲେ ହେଁ କୋଠାର ରକ୍ଷଣାବେକ୍ଷଣ କିଭଳି କରାଯାଉନି ବୋଲି ସାଧାରଣରେ ଆଲୋଚନା ହେଉଛି। ଘର ଖଣ୍ଡିଏ ପାଇଁ ଅନେକ ଲୋକ ପ୍ରଶାସନ ନିକଟରେ ଗୁହାରି କରୁଥିବା ବେଳେ ସରକାରୀ କୋଠା ଗୁଡିକୁ ଏଭଳି ପରିତ୍ୟକ୍ତ ଅବସ୍ଥାରେ ଛାଡି ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆଲୋଚନା ହେଉଛି। ଏନେଇ ଏସଡିପିଓ ଅଶ୍ବିନୀ କୁମାର ନାୟକଙ୍କୁ ପଚାରିବାରୁ ଉଚ୍ଚ କର୍ତୃପକ୍ଷ ଯାହା ନିଷ୍ପତ୍ତି ନେବେ ବୋଲି କହିବା ସହ ଏହି କୋଠାକୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯିବା ଯୋଜନା ରହିଥିବା କହିଛନ୍ତି। ଅନ୍ୟପଟେ ଶୀଘ୍ର ଏହି କୋଠାର ରକ୍ଷଣାବେକ୍ଷଣ କରାଯାଇ ବ୍ୟବହାର କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର