ଭାପୁର : ନୟାଗଡ଼ ଜିଲ୍ଲାରେ ପୁଣି ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କର ଦାଗ ଲାଗିଛି। ଆଜି ଭାପୁର ଥାନା ଅଞ୍ଚଳରେ ଜଣେ ଶିକ୍ଷକ ଟ୍ୟୁସନ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରିବାରୁ ଇଲେକ୍ଟ୍ରି ଖୁଣ୍ଟରେ ବନ୍ଧା ହୋଇ ମାଡ଼ ଖାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଭାପୁର ଥାନା ଅଧୀନ ବିଜିପୁର ଗ୍ରାମର ରାମଚନ୍ଦ୍ର ସାହୁ ହାଇସ୍କୁଲର ପିଇଟି ଶିକ୍ଷକ ବିଶ୍ବନାଥ ମୁଦୁଲି ସ୍କୁଲ୍ରେ ଶାରୀରିକ ଶିକ୍ଷାଦାନ କରିବା ସହ ବାହାରେ ଟିୟୁସନ୍ ମଧ୍ୟ କରିଥାନ୍ତି। ସ୍କୁଲ ନିକଟରୁ କିଛି ଦୂରରେ ଏକ ଘରେ ସେ ନିଜର ଟ୍ୟୁସନ୍ ଅନୁଷ୍ଠାନ ଚଳାଇଥିଲେ। ପ୍ରତିଦିନ ଭଳି ଆଜି ମଧ୍ୟ ସ୍କୁଲ୍ ଛୁଟି ପରେ ସନ୍ଧ୍ୟା ପାଞ୍ଚଟା ବେଳେ ପିଲାମାନେ ତାଙ୍କ ନିକଟକୁ ଟ୍ୟୁସନ୍ ହେବାକୁ ଯାଇଥିଲେ। ହେଲେ ମନ୍ଦ ପ୍ରକୃତିର ଏହି ପିଇଟି ବିଶ୍ବନାଥ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅନ୍ୟ ଏକ ରୁମ୍କୁ କୌଣସି ବାହାନା ଦେଖାଇ ଡାକି ନେଇଥିଲେ। ସେଠାରେ ଉକ୍ତ ଛାତ୍ରୀଙ୍କୁ ଅସଦାଚରଣ କରି ଏକଥା ପ୍ରଘଟ ନକରିବାକୁ ଭୟ ଦେଖାଇଥିଲା। ହେଲେ ଛାତ୍ରୀ ଜଣକ ଘରେ ପହଞ୍ଚିବା ପରେ କାନ୍ଦି କାନ୍ଦି ନିଜ ପରିବାର ଲୋକଙ୍କ ଆଗରେ ସମସ୍ତ ଘଟଣା କହିଥିଲେ। ଏହା ପରେ ଛାତ୍ରୀଙ୍କ ଅଭିଭାବକ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ସମସ୍ତ ଘଟଣା ବାବଦରେ ପଚାରିଥିଲେ। ଘଟଣା ସତ୍ୟ ହୋଇଥିବା ଜାଣିବା ପରେ ଛାତ୍ରୀଙ୍କ ଅଭିଭାବକ ଓ ବିଜିପୁର ଗ୍ରାମ ଲୋକ ବିଶ୍ବନାଥଙ୍କୁ ଗାଁ ଦାଣ୍ଡରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଥୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଭାପୁର ପୁଲିସ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ଛାଡ଼ିନଥିଲେ। ଗ୍ରାମବାସୀ ଏହି ଶିକ୍ଷକଙ୍କୁ ଗାଁ କୋଠ ଘରେ ନେଇ ଅଟକ ରଖିଥିବା ବେଳେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖବର ଲେଖା ହେବା ପର୍ଯ୍ୟନ୍ତ ଆଲୋଚନା ଚାଲିଥିବା ଜଣାପଡ଼ିଛି।