ଆରମ୍ଭରୁ ରଥ ନିର୍ମାଣରେ ତ୍ରୁଟି : ଦର୍ପଦଳନ ରଥ ପଇରେ ଫାଟ, ବଦଳିଲା ଜଗନ୍ନାଥ ଓ ବଳଭଦ୍ରଙ୍କ ରଥ ଅଖ

ପୁରୀ : ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରଥ ନିର୍ମାଣରେ ତ୍ରୁଟି ଦେଖାଦେଇଛି। ରଥ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପଇରେ ଏକାଧିକ ଫାଟ ସୃଷ୍ଟି ହୋଇଛି। ରଥ ନିର୍ମାଣ ଯାଞ୍ଚ କମିଟି ଏହାକୁ ଦେଖିବା ପରେ ଫଟା ପଇକୁ ଚକରୁ କାଢ଼ି ଦିଆଯାଇଛି। ସେପଟେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଅଖ ଖରାପ ପଡ଼ିବାରୁ ଏହାକୁ ମଧ୍ୟ ବାଦ୍‌ ଦିଆଯାଇଛି। ଏହି ଦୁଇ ରଥର ଅଖ ପାଇଁ ଦୁଇଟି ୪୦ ଫୁଟିଆ କାଠ ରଥଖଳାରେ ପକାଯାଇଛି। ଗତବର୍ଷ ରଥ ନିର୍ମାଣ ଶେଷ ପରେ ଦର୍ପଦଳନ ରଥ ଅଖ ଭାଙ୍ଗି ପଡ଼ିଥିଲା। ଏଭଳି ପରିସ୍ଥିତିରେ ଆଜି ରଥ ନିର୍ମାଣ ଆରମ୍ଭରୁ ପଇ ଓ ଅଖରେ ତ୍ରୁଟି ଦେଖାଦେବା ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି କରିଛି।

ରଥ ନିର୍ମାଣ ଓ ମରାମତି କାମ ତଦାରଖ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ପୁରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ପୁରୀ ବନ୍ୟପ୍ରାଣୀ ବିଭାଗର ବନଖଣ୍ଡ ଅଧିକାରୀ, ଶ୍ରୀମନ୍ଦିର ଅଧିକ୍ଷଣ ଯନ୍ତ୍ରୀ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଧର୍ମପ୍ରସାଦ ମିଶ୍ର, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ରଥ, ଭୋଇ ସର୍ଦ୍ଦାର ରବି ଭୋଇ, ୱାର୍କ ସରକାର କାର୍ତ୍ତିିକ ଭୋଇ ପ୍ରମୁଖ ସଦସ୍ୟ ରହିଛନ୍ତି। ଆଜି ମଧ୍ୟାହ୍ନରେ ଏହି ଟିମ୍‌ ରଥ ନିର୍ମାଣ କାମ ଯାଞ୍ଚ ପାଇଁ ରଥଖଳାକୁ ଯାଇଥିଲେ। ଏହି ସମୟରେ ବିଶ୍ୱକର୍ମାମାନେ ଅର ଯୋଡ଼ା ସରିଥିବା ତମ୍ବରେ ପଇ ଲଗାଇବାରେ ବ୍ୟସ୍ତ ଥିଲେ। ପ୍ରତି ଚକରେ ୪ଟି ଲେଖା ପଇ ଯୋଡ଼ାଯିବାର ପରମ୍ପରା ରହିଥିବା ବେଳେ ଯାଞ୍ଚ ସମୟରେ ସୁଭଦ୍ରାଙ୍କ ଯୋଡ଼େଇ ସରିଥିବା ଏକ ଚକର ୩ ନମ୍ବର ପଇରେ ଏକାଧିକ ଫାଟ ରହିଥିବା ଦେଖିବାକୁ ମିଳିଥିଲା। ଏହି ପଇରେ ଗୋଟିଏ ଜାଗାରେ ୧୦ ଇଞ୍ଚରୁ ଅଧିକ ଲମ୍ବର ଏକ ଫାଟ ଓ ଅନ୍ୟ ଛୋଟ ଛୋଟ ଫାଟ ରହିଥିବା ଜଣାପଡ଼ିବା ପରେ ଏହାକୁ ଚକରୁ କାଢ଼ି ଦିଆଯାଇଛି। ଦୋଳ ବେଦିଠାରେ ଏହାକୁ ଅଲଗା ରଖାଯାଇଛି। ସେହିପରି ବିଶ୍ୱକର୍ମାମାନେ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଅଖ କାଟୁଥିବା ବେଳେ ଯାଞ୍ଚ ଟିମ୍‌ ଏଥିରେ ତ୍ରୁଟି ପାଇବା ପରେ ଦୁଇ ଅଖକୁ ଅଲଗା କରି ଦିଆଯାଇଛି। ନନ୍ଦିଘୋଷ ରଥ କାଠ ଅଖ ପୋଲା ପଡ଼ିଥିବା ବେଳେ ତାଳଧ୍ୱଜ ରଥ ଅଖରେ ଗଣ୍ଠି ଥିବା ଦେଖିବାକୁ ମିଳିଛି। ଏହା ବଦଳରେ ଆଉ ଦୁଇଟି ୪୦ ଫୁଟିଆ କାଠକୁ ଅଖ ପାଇଁ ରଥଖଳାରେ ପକାଯାଇଛି। ସେପଟେ ଯାଞ୍ଚ କମିଟି ଯିବା ପରେ ନନ୍ଦିଘୋଷ ଚକ ପଇରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଅର ଯୋଡ଼େଇ ସମୟରେ ଫାଟ ସୃଷ୍ଟି ହେବାରୁ ଏହି ପଇକୁ ବି ବାହାର କରି ଦିଆଯାଇଛି।

ସମ୍ବନ୍ଧିତ ଖବର