ରେଳ ଚାକିରିକୁ ଫେରିଯାଇ ଏଭଳି ପ୍ରତିକ୍ରିୟା ଦେଲେ ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକ

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ଖବର ଆସିଛି କି  ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲିକ ତାଙ୍କ ଚ‌ାକିରିକୁ ଫେରି ଯାଇଛନ୍ତି। ରେସଲରମାନେ କହିଛନ୍ତି, ‘ଆନ୍ଦୋଳନ ସହ ରେଳରେ ଚାକିରି କରିଥିବାରୁ ଆମର ସେଥିପ୍ରତି କିଛି କର୍ତ୍ତବ୍ୟ ରହିଛି। ଯାହାକୁ ପାଳନ କରିବାକୁ ହେବ।’

ନିକଟରେ ଖବର ଆସିଥିଲା କି ସାକ୍ଷୀ ମଲିକ ଆନ୍ଦୋଳନରୁ ପଛକୁ ହଟି ଯାଇଛନ୍ତି। ଏହି ଖବରକୁ ନେଇ ସାକ୍ଷୀ ମୁହଁ ଖୋଲି କହିଛନ୍ତି, ‘ଏହି ଖବର ଭୁଲ ଅଟେ।  ନ୍ୟାୟର ଲଢ଼େଇରେ ଆମ ମଧ୍ୟରୁ କେହି ବି ପଛକୁ ହଟି ନାହାନ୍ତି କି ଆଗକୁ ହଟିବେ ନାହିଁ। ଆମର ଏହି ଲଢ଼େଇ ଜାରି ରହିବ।’

କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ଏହି କାରଣରୁ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତରରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରି ଗିରଫ କରିବାକୁ ଦାବି କରିଛନ୍ତି । କାରଣ ସେ ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି ।

ଏହି ଆନ୍ଦୋଳନକୁ ନେଇ ବଜରଙ୍ଗ ପୁନିଆ କହିଥିଲେ, ‘ଆମେ ନିଶ୍ଚିତ ଯେ ଦିନେ ଆମେ ଜିତିବୁ, ସମଗ୍ର ଦେଶ ଆମ ସହ ମିଶି ଲଢୁଛନ୍ତି । ଆମର ଆନ୍ଦୋଳନ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଆମେ ନିଶ୍ଚିତ ଭାବରେ ନ୍ୟାୟ ପାଇବୁ ।’

ସମ୍ବନ୍ଧିତ ଖବର