ଜିଲ୍ଲା ମୁଖ୍ୟ ଡାକ୍ତରଖାନା:ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ତ୍ରିଶଙ୍କୁ ଅବସ୍ଥା: ୫ ବର୍ଷ ହେଲା ନାହାନ୍ତି ମେଡିସିନ ଡାକ୍ତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସ୍ଥାନାନ୍ତର ନେଇ ସିଡ଼ିଏମ୍‌ଓ ଡ. ଶଶିଭୁଷଣ ପଟେଲଙ୍କ ଅଧ୍ୟକ୍ଷତାରେ ନୂଆ ମେଡ଼ିକାଲ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂତନ କୋଠାକୁ ମୁଖ୍ୟ ଚିକତ୍ସାଳୟ ସ୍ଥାନାନ୍ତର ନେଇ ରାଜ୍ୟ ସରକାର ମଂଗଳବାର ଭିଡ଼ିଓ କନ୍‌ଫରେସିଂରେ ମାଧ୍ୟମରେ ନିର୍ଦ୍ଦେଶ ଦେବା ପରେ ଜିଲ୍ଲାପାଳଙ୍କ ଆଦେଶକ୍ରମେ ବୁଧବାର ସିଡ଼ିଏମ୍‌ଓ ଏହି ବୈଠକର ଆହ୍ଵାନ କରିଥଲେ। ବୈଠକରେ ନୂତନ ଡାକ୍ତରଖାନାକୁ ଆସିଥିବା ରାସ୍ତା ବିପଦସଂକୁଳ ହୋଇଥିବାରୁ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଗତ ଦିନରେ ମଙ୍ଗଳବଜାର ଠାରେ ସିଟି ହସପିଟାଲ ଖୋଲିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରକାର ଆଜି ପଯ୍ୟର୍ନ୍ତ ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି। ନୂତନ ଡାକ୍ତରଖାନାରେ ଡାଇଲିସିସ୍‌ ମେସିନ ଲାଗିଥିବା ବେଳେ ଅନ୍ୟାନ୍ୟ ଆନୁଷଂଗିକ ବ୍ୟବସ୍ଥା ଥିବାରୁ ଏଠାରେ ଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରମ୍ଭ କରାଯିବାକୁ ମତ ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରଥମେ ଏଠାରେ ଓପିଡ଼ି ଖୋଲାଯିବ।

ମଙ୍ଗଳବଜାର ଠାରେ ଏକ ପ୍ରସୂତି କେନ୍ଦ୍ର ଓ ଓପିଡ଼ି ମଧ୍ୟ କାଯ୍ୟର୍ କରିବ ବୋଲି ସିଡ଼ିଏମ୍‌ଓ କହିଥିଲେ। ରାଜ୍ୟ ସରକାର ଶୀଘ୍ର ମେଡ଼ିକାଲ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିବାରୁ ନୂତନ ସ୍ଥାନରେ ବିଭିନ୍ନ ଆନୁଷଂଗିକ ବ୍ୟବସ୍ଥାକୁ ମଧ୍ୟ ପୂରଣ କରାଯିବାକୁ ସଦସ୍ୟମାନେ ମତ ବ୍ୟକ୍ତ କରିଥିଲେ। ଏହି ବୈଠକରେ ଏଡ଼ିଏମ୍‌ଓ(ମେଡ଼ିକାଲ) ଡା.ଉଷାରାଣୀ ଦାଶ, ଏଡ଼ିଏମ୍‌ଓ(ପିଏଚ୍‌) ଡା.ଡ଼ୋଳାମଣି ପଟେଲ, ଡା.ଏସ୍‌.ବାରିକ, ଡା.ଏମ୍‌.କେ.ପଟେଲ, ଡା.ଜିତେନ ପଟେଲ, ଡ଼ିପିଏମ୍‌ ହିମାଂଶୁ କର, ଡ଼ିଏଏମ୍‌ ଗଗନ ବିହାରୀ ସାହୁ, ମେଡ଼ିକାଲ ପରିଚାଳକ ବିଜୟ ମହନ୍ତଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଓ ବିଶେଷଜ୍ଞ ତଥା ରୋଗୀ କଲ୍ୟାଣ ସମିତି ସଦସ୍ୟ ତାପସ ରାୟ ଚୌଧୁରୀ ଯୋଗ ଦେଇଥିଲେ।

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟ ସ୍ଥାନାନ୍ତର ଓ କାଯ୍ୟର୍କ୍ଷମ କରାଯିବା ନେଇ ଏବେ ଅନେକ ସମସ୍ୟା ମୁଣ୍ଡ ଟେକିଛି। ଗୋଟିଏ ପଟେ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ସରକାର ନୂତନ ଭାବରେ ନିର୍ମିତ ୭ ମହଲା କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର କରାଯିବାକୁ ଚାପ ସୃଷ୍ଟି କରୁଥିବାରୁ ତ୍ରିଶଙ୍କୁ ଅବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରୁଣା କୋଠାରୁ ନୂତନ କୋଠାକୁ ସ୍ଥାନାନ୍ତର ପାଇଁ ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଉପୁଜିଛି। ମଙ୍ଗଳବଜାର ଠାରେ ଥିବା ପୁରୁଣା କୋଠାରୁ ନୂତନ କୋଠାକୁ ଜିଲ୍ଲା ମେଡ଼ିକାଲ ସ୍ଥାନାନ୍ତର ନେଇ ଗତ ଡ଼ିସେମ୍ବର ଜାନୁୟାରିରେ ତୀବ୍ର ବିରୋଧ କରାଯାଇଥିଲା। ଏହାକୁ ବିରୋଧ କରି ଧାରଣା, ଆମରଣ ଅନଶନ, ଝାରସୁଗୁଡ଼ା ବନ୍ଦ ଭଳି ଆନ୍ଦୋଳନାତ୍ମକ କାଯ୍ୟର୍ପନ୍ଥା ଗ୍ରହଣ କରାଯାଇଥିଲା।

ତେବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପୁରୁଣା କୋଠାରେ ସିଟି ହସପିଟାଲ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମାତ୍ର ରାଜ୍ୟ ସରକାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସିଟି ହସପିଟାଲ ଖୋଲାଯିବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରି ନାହାନ୍ତି। ଏବେ ପୁଣି ଏହାକୁ ସ୍ଥାନାନ୍ତର କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜନସାଧାରଣ ଏହାକୁ କିଭଳି ଗ୍ରହଣ କରିବେ ସ୍ପଷ୍ଟ ହୋଇନାହିଁ। ସିଡ଼ିଏମ୍‌ଓଙ୍କ କହିବାନୁଯାୟୀ ନୂତନ କୋଠାରେ ରୋଗୀ ସେବା ପାଇଁ ବ୍ୟାପକ ଆନୁଷଂଗିକ ବ୍ୟବସ୍ଥା ଆରମ୍ଭ ହୋଇଛି। ଡାଇଲିସିସ୍‌ ପାଇଁ, ଟିବି ପାଇଁ ବଡ଼ ବଡ଼ ମେସିନ ଆସି ଲାଗି ସାରିଛି। ତେଣୁ ଏଠାରେ ଡାକ୍ତରଖାନା ଆରମ୍ଭ ହେଲେ ରୋଗୀ ବିଶେଷ ଉପକୃତ ହେବେ।

ସମ୍ବନ୍ଧିତ ଖବର